ରାଜ୍ୟ

ଭଉଁରି ଖେଳିଲେ ଭାବ ବିନୋଦିଆ

ଭଉଁରି ଖେଳିଲେ ଭାବ ବିନୋଦିଆ…

ଭଉଁରି ଖେଳିବାକୁ ମଣିବିମାନରେ ଝୁଲିଝୁଲି ଆସୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ। ବିମାନକୁ ଘେରି ରହି ନୃତ୍ୟରେ ତଲ୍ଲୀନ ହୋଇଯାଉଥିଲେ ସହଚରୀବୃନ୍ଦ।

ପୁରୀ /ଭୁବନେଶ୍ୱର ୨୦-୦୫-୨୦୨୫(ଏସ.ଏମ ) : ଉଁରି ଖେଳିବାକୁ ମଣିବିମାନରେ ଝୁଲିଝୁଲି ଆସୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ। ବିମାନକୁ ଘେରି ରହି ନୃତ୍ୟରେ ତଲ୍ଲୀନ ହୋଇଯାଉଥିଲେ ସହଚରୀବୃନ୍ଦ। ଭାବ ବିନୋଦିଆଙ୍କୁ ଜଳକ୍ରୀଡ଼ା ପାଇଁ ପାଛୋଟି ନେବା ବେଳେ ଭାବରେ ଭିଜୁଥିଲେ ସଂକୀର୍ତ୍ତନିଆଙ୍କଠୁ ନେଇ କୁନି କଳାକାରବୃନ୍ଦ। ସୁସଜ୍ଜିତ ପାଲିଙ୍କିରେ ଶୋଇ ଶୋଇ ବିରାଜମାନ କରୁଥିଲେ ରାମ-କୃଷ୍ଣ। ପଛେପଛେ ପହଞ୍ଚିଥିଲେ ପଞ୍ଚପାଣ୍ଡବ ମହାଦେବ ଶ୍ରୀଯମେଶ୍ବର, ଶ୍ରୀମାର୍କଣ୍ଡେୟ, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠ। ବଡ଼ଦାଣ୍ଡ ପାଲଟିଯାଇଥିଲା ଭୂସ୍ବର୍ଗ। ମହାପ୍ରଭୁଙ୍କ ଏହି ଦିବ୍ୟଲୀଳା ଦର୍ଶନ କରିବାକୁ ଉତ୍ସବମୁଖର ହୋଇଥିଲା ବଡ଼ଦାଣ୍ଡ। ଏହି ଲୀଳା ଦେଖିବାକୁ ଶ୍ରୀମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ୪୦ ହଜାରରୁ ଊର୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। 

ଆଜିର ଦିବ୍ୟ ଦର୍ଶନ ସାଙ୍ଗକୁ ବିଶାଳ ପଟୁଆର ଦୃଷ୍ଟି ଆକର୍ଷଣ କରିଥିଲା। ୫ଟା ୧୦ରେ ରାମକୃଷ୍ଣ ଆଜ୍ଞାମାଳ ପାଇ ପାଲିଙ୍କିକୁ ବିଜେ କରିଥିଲେ। ୫ଟା ୧୫ରେ ମଦନମୋହନ ଜୟବିଜୟ ଦ୍ବାରକୁ ବିଜେ କରିଥିଲେ। ଭୋଗ ବନ୍ଦାପନା ପରେ ୫ଟା ୨୫ରେ ମଦନମୋହନ, ଲକ୍ଷ୍ମୀ ଓ ସରସ୍ବତୀ ବିମାନକୁ ବିଜେ କରିଥିଲେ। ୫ଟା ୫୫ରେ ବିମାନ ଉଠିଥିଲା। ବିମାନ ଆସି ନରେନ୍ଦ୍ର ପୁଷ୍କରିଣୀ ନିକଟରେ ପହଞ୍ଚିବା ବେଳକୁ ୬ଟା ୪୫ ବାଜି ସାରିଥିଲା। ପରେ ଜଳକ୍ରୀଡ଼ା ପାଇଁ ପ୍ରଭୁ ନନ୍ଦା ଓ ଭଦ୍ରା ନୌକାରେ ବସି ବାହାରିଥିଲେ। ୨୧ ଘେରା ବୁଲିବା ପର୍ଯ୍ୟନ୍ତ ଭକ୍ତମାନେ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ ପାହାଚରେ ଭିଡ଼ ଜମାଇଥିଲେ। ଆସନ୍ତାକାଲି ହଳଦୀପାଣି ନୀତି ଅନୁଷ୍ଠିତ ହେବ।    

ଚକଡ଼ା କର୍ଡନ ଭାଙ୍ଗି ଧସେଇ ପଶିଲେ…
ଗତବର୍ଷ ଭଉଁରିରେ ବାଣ ବିସ୍ଫୋରଣ ଅଘଟଣ ଯୋଗୁଁ ଭକ୍ତଙ୍କ ଆଗମନ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ମାତ୍ର ଭଉଁରି ଦେଖିବାକୁ ଆଜି ଭକ୍ତଙ୍କ ସୁଅ ଛୁଟିଥିଲା। ଚନ୍ଦନ ଚକଡ଼ା ଭିତରେ ପ୍ରଭୁଙ୍କ ପାଲିଙ୍କି ଓ ବିମାନକୁ ସୁରୁଖୁରୁରେ ପ୍ରବେଶ କରାଇବା ଉଦ୍ଦେଶ୍ୟରେ ଚକଡ଼ାକୁ ଦୁଇ ସ୍ତରୀୟ ସୁରକ୍ଷା ଦିଆଯାଇଥିଲା। ମାତ୍ର ରାମକୃଷ୍ଣଙ୍କ ପାଲିଙ୍କି ପ୍ରବେଶ କରିବା ପରେ ଭକ୍ତ କର୍ଡନ ମାନିନଥିଲେ। ଅନ୍ୟ ବିମାନ ସହ ଭକ୍ତମାନେ ମଧ୍ୟ ଚକଡ଼ା ମଧ୍ୟକୁ ଧସେଇ ପଶିଥିଲେ। ଫଳରେ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ଚକଡ଼ା ଡେଇଁବା ପରେ ମଧ୍ୟ ପୁଲିସ ଭକ୍ତଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲା ତାକୁ ମଧ୍ୟ ଭକ୍ତମାନେ ଅତିକ୍ରମ କରି ଧସେଇ ପଶିଯାଇଥିଲେ। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *