ରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଭୁବନେଶ୍ବର-କଟକ ଡ୍ରେନେଜ୍‌ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଜୁନ୍‌ ୨୦ ସୁଦ୍ଧା ସଫେଇ ସାର

ଭୁବନେଶ୍ବର-କଟକ ଡ୍ରେନେଜ୍‌ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଜୁନ୍‌ ୨୦ ସୁଦ୍ଧା ସଫେଇ ସାର

ଭୁବନେଶ୍ୱର ସହରର ୮୦% ଡ୍ରେନ୍‌ର ସଫେଇ କାର୍ଯ୍ୟ ଶେଷ ହୋଇଛି। ବାକି ରହିଥିବା ଡ୍ରେନ୍‌ଗୁଡ଼ିକର ସଫେଇ କାର୍ଯ୍ୟ ଜୁନ୍‌ ୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ୩୦-୦୫-୨୦୨୫( ଏସ.ଏମ ) :  ଭୁବନେଶ୍ୱର ସହରର ୮୦% ଡ୍ରେନ୍‌ର ସଫେଇ କାର୍ଯ୍ୟ ଶେଷ ହୋଇଛି। ବାକି ରହିଥିବା ଡ୍ରେନ୍‌ଗୁଡ଼ିକର ସଫେଇ କାର୍ଯ୍ୟ ଜୁନ୍‌ ୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ବର-କଟକରେ ଉପୁଜୁଥିବା କୃତ୍ରିମ ଜଳବନ୍ଦି ସମସ୍ୟାର ସମାଧାନ ଦିଗରେ କିଭଳି ପଦକ୍ଷେପ ନିଆଯାଇଛି ସେନେଇ ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନଠାରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାପଡ଼ିଛି ଯେ ଇସ୍କନ ନିକଟ, କଟକ-ରୋଡ୍‌, ଅହଲ୍ୟା ନଗର, ସମ୍‌ ହସ୍ପିଟାଲ ପାଖ ଆୟୁର୍ବେଦିକ କଲେଜ ଭଳି କେତେକ ପ୍ରମୁଖରେ ବର୍ଷାଦିନେ ଜଳ ନିଷ୍କାସନର ଅସ୍ଥାୟୀ ବ୍ୟବସ୍ଥା ହୋଇଛି। ଏହି ସବୁ ଜାଗାରେ ସ୍ଥାୟୀ ସମାଧାନ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଇସ୍କନ ନିକଟରେ ଜଳମଗ୍ନ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସହରରେ ମୁଖ୍ୟତଃ ୧୫ଟି ପ୍ରାକୃତିକ ନାଳ ରହିଛି। ଏଥିସହ ସହର ଭିତରେ ଅନେକ ଛୋଟ ବଡ଼ ଡ୍ରେନ୍‌ ମଧ୍ୟ ଯାଇଛି। ଏସବୁର ଜଳ ପ୍ରାୟତଃ ଗଙ୍ଗୁଆ ନଦୀରେ ମିଶୁଛି। ଯେଉଁଥିରେ ହସ୍‍ପିଟାଲ ବର୍ଜ୍ୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରଦୂଷଣଯୁକ୍ତ ସାମଗ୍ରୀ ମଧ୍ୟ ରହୁଛି। ଗଙ୍ଗୁଆ ନଦୀ ଦୟାନଦୀ ସହିତ ମିଶିଛି। ତେଣୁ ବିଭିନ୍ନ ଜାଗାରେ ଜଳ ବିଶୋଧନାଗାର ସ୍ଥାପନ କରି ଗଙ୍ଗୁଆ ନଦୀର ପାଣିକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏଥିସହିତ ନାଳଗୁଡ଼ିକର ସୌନ୍ଦର୍ଯ୍ୟୀକରଣ ଉପରେ ବୈଠକରେ ଆଲୋଚନା ହୋଇଥିଲା।

ସେହିପରି କଟକରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ମୁକାବିଲା ଓ ସମାଧାନ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ କଟକ ମହାନଗର ନିଗମ କମିସନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏଥିପାଇଁ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ବର୍ଷା ଦିନକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ସହିତ ଜଳବାହିତ ରୋଗର ପ୍ରତିରୋଧ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ-ଭୁବନେଶ୍ୱର ସମେତ ଏଭଳି ସମସ୍ୟା ଉପୁଜୁଥିବା ରାଜ୍ୟର ଅନ୍ୟ ସହରାଞ୍ଚଳ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ, ବିଡିଏ ଉପାଧ୍ୟକ୍ଷ ଏନ୍. ତିରୁମାଳା ନାୟକ, କଟକ ମହାନଗର ନିଗମ ଆୟୁକ୍ତ ଅନାମ ଚରଣ ପାତ୍ର, ଜାତୀୟ ରାଜପଥ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପୂର୍ତ୍ତ ବିଭାଗ ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *