Uncategorized

ଭୁବନେଶ୍ବର ରେଳଷ୍ଟେସନ: ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ

ଭୁବନେଶ୍ବର ରେଳଷ୍ଟେସନ: ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ

ଭୁବନେଶ୍ବର ରେଳ ଷ୍ଟେସନର ଦୁଇ ପାର୍ଶ୍ବ ବିଲ୍‌ଡିଂ (କୋଠା) ନିର୍ମାଣ ସରିଛି। ଷ୍ଟେସନର ପୂର୍ବ(କଟକରୋଡ୍‌) ପାର୍ଶ୍ବ ଜି+୩ କୋଠା କାମ ସମ୍ପୂର୍ଣ୍ଣ ହୋଇଛି। ଏବେ ପଶ୍ଚିମ(ମ‌ାଷ୍ଟରକ୍ୟାଣ୍ଟିନ୍‌) ପାର୍ଶ୍ବ ମୁଖ୍ୟ ପ୍ରବେଶ ପଥର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି।

ଭୁବନେଶ୍ୱର ୧୦-୦୪-୨୦୨୫(ଏସ .ଏମ ) :  ଭୁବନେଶ୍ବର ରେଳ ଷ୍ଟେସନର ଦୁଇ ପାର୍ଶ୍ବ ବିଲ୍‌ଡିଂ (କୋଠା) ନିର୍ମାଣ ସରିଛି। ଷ୍ଟେସନର ପୂର୍ବ(କଟକରୋଡ୍‌) ପାର୍ଶ୍ବ ଜି+୩ କୋଠା କାମ ସମ୍ପୂର୍ଣ୍ଣ ହୋଇଛି। ଏବେ ପଶ୍ଚିମ(ମ‌ାଷ୍ଟରକ୍ୟାଣ୍ଟିନ୍‌) ପାର୍ଶ୍ବ ମୁଖ୍ୟ ପ୍ରବେଶ ପଥର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି। ଜି+୧୧ ବିଶିଷ୍ଟ ହେବାକୁ ଥିବା ଏହି କୋଠାର ପ୍ରଥମ ପର୍ଯ୍ୟାୟରେ ଜି+୪ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେହି ଅନୁଯାୟୀ ସମସ୍ତ ୪ ମହଲା କାମ ଶେଷ ହୋଇଥିବା ବେଳେ ବିଲ୍‌ଡିଂ ଭିତର କାମ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ୩୯୮ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଷ୍ଟେସନର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ୨୦୨୫ ଅକ୍ଟୋବରରେ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ମାଷ୍ଟରକ୍ୟାଣ୍ଟିନ୍‌ ଓ କଟକରୋଡ୍‌ ପାର୍ଶ୍ବ କୋଠା ନିର୍ମାଣ ଶେଷ
୧୦୮ ମିଟରର ଏୟାର୍‌ କନ୍‌କୋର୍ସ ପ୍ରସ୍ତୁତ ହେଉଛି
ଅନୁମତି ପରେ ଏଲିଭେଟେଡ୍‌ ଡ୍ରାଇଭ୍‌ ୱେ କାମ ଆରମ୍ଭ
୩୪ଟି ଲିଫ୍ଟ, ୨୦ଟି ଏସ୍କାଲେଟର୍‌ ସୁବିଧା ଉପଲବ୍ଧ ହେବ

ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ହେବ। ସେଥିପାଇଁ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ୧୦୮ ମିଟରର ଏୟାର କନ୍‌କୋର୍ସ ନିର୍ମାଣ ଚାଲିଛି। ଷ୍ଟେସନର ପୂର୍ବ ଓ ପଶ୍ଚିମ ପାର୍ଶ୍ବକୁ ସଂଯୋଗ କରୁଥିବା ଏହି କନ୍‌କୋର୍ସ ଛାତ କାମ ଆରମ୍ଭ ହୋଇଛି। ଏଠାରେ ଏକ ହଜାରରୁ ଅଧିକ ଯାତ୍ରୀଙ୍କ ବସିବା ପାଇଁ ବ୍ୟବସ୍ଥା‌, ଲାଉଞ୍ଜ ସୁବିଧା ଉପଲବ୍ଧ କରାଯାଉଛି। ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ପ୍ରବେଶ ଓ ପ୍ରସ୍ଥାନ ବାଟ ରହିବ। ଉଦ୍‌ଘାଟନ ପରେ ଷ୍ଟେସନ୍‌ରେ ଦୈନିକ ଯେପରି ୧ ଲକ୍ଷ ଯାତ୍ରୀ ଚଳପ୍ରଚଳ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଏଥିସହ ପ୍ରତିଦିନ ଷ୍ଟେସନ୍‌ରୁ ୭୭ ହଜାର ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା ହେଉଛି। ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ୍‌ ଓଭରବ୍ରିଜ୍‌ଗୁଡ଼ିକର ଓସାର ଅଧିକ ରହିବ। ଫଳରେ ଯାତ୍ରୀମାନେ ସୁରୁଖୁରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ଏଲିଭେଟେଡ୍‌ ଡ୍ରାଇଭ୍‌ ୱେ ଏବଂ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ କରିବାକୁ ବିଡିଏ ଅନୁମତି ଦେଇସାରିଛି। ବିଡିଏ ଦ୍ୱାରା ଆବଣ୍ଟିତ ଜମିରେ ଏଲିଭେଟେଡ୍ ଆପ୍ରୋଚ୍‌ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। ପୂର୍ବତଟ ରେଳପଥ ଓ ବିଡିଏ ମଧ୍ୟରେ ଯୋଜନାକୁ ଧ୍ୟାନରେ ରଖି ପୁନର୍ବିକାଶ ପ୍ରକଳ୍ପ ହେଉଛି। ଷ୍ଟେସନ ପୁନର୍ବିକାଶର ଏକ ଅଂଶ ଭାବେ ଏହା ପରିସରରେ ପାର୍କିଂ କ୍ଷେତ୍ର ଓ ବାଣିଜ୍ୟିକ ସ୍ଥାନଗୁଡ଼ିକର ବିକାଶ ବିଡିଏ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରିବା ପରେ ନିର୍ମାଣ ହେବ। ସେମାନଙ୍କୁ ଦିଆଯାଇଥିବା ଜମିରେ ବାଣିଜ୍ୟିକ କ୍ଷେତ୍ର ବିକାଶ କରିବାକୁ ବିଡିଏ ଯୋଜନା କରୁଛି। 

ବିଶ୍ୱସ୍ତରୀୟ ମାନଦଣ୍ଡ ସହ ଆଧୁନିକ କୋଠା, ବିମାନବନ୍ଦର ଟର୍ମିନାଲ ଭଳି ଡିଜାଇନ୍‌ ହୋଇଥିବା ଯାତ୍ରୀ ଚଳପ୍ରଚଳ କ୍ଷେତ୍ର, ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏୟାର କନକୋର୍ସ, ୩୪ଟି ଲିଫ୍ଟ, ୨୦ଟି ଏସ୍କାଲେଟର, ବ୍ୟାଗେଜ ସୁରକ୍ଷା ଯାଞ୍ଚ କ୍ଷେତ୍ର, ସୂଚନା କେନ୍ଦ୍ର, ଫୁଡ୍‌ ପ୍ଲାଜା, ପ୍ରତୀକ୍ଷା ଅଞ୍ଚଳ ଓ ଅନ୍ୟାନ୍ୟ ସୁବିଧା ହେଉଛି। ୨୧ଟି ରୁମ୍‌, ୧୫୦ଟି ଡର୍ମିଟୋରି, ଫୁଡ୍‌କୋର୍ଟ, ପେଡ୍‌ ଲାଉଞ୍ଜ, ପିଲାଙ୍କ ଖେଳିବା ସୁବିଧା, ଏଟିଏମ୍‌ ସୁବିଧା ଉପଲବ୍ଧ ହେବ। ପ୍ରବେଶ ଓ ପ୍ରସ୍ଥାନ ପଥରେ ଉଚ୍ଚା ସଡ଼କ ନିର୍ମାଣ କରାଯିବ। ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ଲାଗି ଷ୍ଟଲ ମଧ୍ୟ ଖୋଲାଯିବ। ଯାତ୍ରୀଙ୍କୁ ସୂଚନା ଦେବା ଲାଗି ବିମାନବନ୍ଦର ପରି ଡିସ୍‌ପ୍ଲେ ବୋର୍ଡ ଲାଗିବ। ଦିବ୍ୟାଙ୍ଗଙ୍କ ଯିବା ଆସିବା ଲାଗି ପର୍ଯ୍ୟାପ୍ତ ସୁବିଧା କରାଯିବ। ସୁରକ୍ଷା ପାଇଁ ସିସିଟିଭି, ଲଗେଜ୍‌ ସ୍କାନର, ଆସେସ୍‌ କଣ୍ଟ୍ରୋଲର, ପାର୍କିଂ ସ୍ଥଳରେ ବୈଦ୍ୟୁତିକ ଯାନ ଚାର୍ଜି ପାଇଁ ସୁବିଧା ଉପଲବ୍ଧ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୭ ମହଲା ନିର୍ମାଣ ପରେ ଏହା ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *