TOP STORIESଅପରାଧଦେଶ- ବିଦେଶ

ଭୋପାଳରେ ଲଭ୍ ଜିହାଦ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌

ଭୋପାଳରେ ଲଭ୍ ଜିହାଦ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌

ଗତ କିଛି ମାସ ମଧ୍ୟରେ ଭୋପାଳ ଓ ମଧ୍ୟପ୍ରଦେଶର ଛୋଟ ଛୋଟ ସହରରେ ହିନ୍ଦୁ ମହିଳା ଓ ଝିଅଙ୍କୁ ଟାର୍ଗେଟ କରି ଏକ ଯୋଜନାବଦ୍ଧ ଯୌନ ଶୋଷଣ ଓ ଧର୍ମାନ୍ତରୀକରଣ ରୢାକେଟ୍ ଚାଲିଥିବା ସାମ୍ନାକୁ ଆସିଛି

ଭୋପାଳ/ଭୁବନେଶ୍ୱର ୩୧-୦୫-୨୦୨୫(ଏସ .ଏମ ) :ତ କିଛି ମାସ ମଧ୍ୟରେ ଭୋପାଳ ଓ ମଧ୍ୟପ୍ରଦେଶର ଛୋଟ ଛୋଟ ସହରରେ ହିନ୍ଦୁ ମହିଳା ଓ ଝିଅଙ୍କୁ ଟାର୍ଗେଟ କରି ଏକ ଯୋଜନାବଦ୍ଧ ଯୌନ ଶୋଷଣ ଓ ଧର୍ମାନ୍ତରୀକରଣ ରୢାକେଟ୍ ଚାଲିଥିବା ସାମ୍ନାକୁ ଆସିଛି। ଲଭ୍ ଜିହାଦ ଗ୍ୟାଙ୍ଗର କାର୍ଯ୍ୟଶୈଳୀରେ ଅଜଣା ହିନ୍ଦୁ ଯୁବତୀଙ୍କ ସହ ବନ୍ଧୁତା କରିବା, ସେମାନଙ୍କୁ ଯୌନ ଶୋଷଣ କରିବା ଓ ପରେ ଅଶ୍ଳୀଳ ଭିଡିଓ ମାଧ୍ୟମରେ ବ୍ଲାକ୍‌ମେଲ୍‌ କରିବା ଏବଂ ଶେଷରେ ଧର୍ମପରିବର୍ତ୍ତନ ପାଇଁ ଚାପ ପକାଇବା ଅନ୍ତର୍ଭୁକ୍ତ। ଗତ କିଛି ମାସ ମଧ୍ୟରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଥିବା ବେଳେ ପୁଲିସ ବିଭିନ୍ନ ସହରରୁ ୧୨ରୁ ଅଧିକ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ଭୋପାଳରେ ଛାଡ଼ପତ୍ରପ୍ରାପ୍ତ ମହିଳାଙ୍କ ଦୁଃଖ
‘ଲଭ୍ ଜିହାଦ’ ଗ୍ୟାଙ୍ଗର ଶିକାର ହୋଇଥିବା ଜଣେ ୩୫ ବର୍ଷୀୟା ଛାଡ଼ପତ୍ରପ୍ରାପ୍ତ ମହିଳା ତାଙ୍କ ପୁଅ (୧୪) ସହ ରହୁଥିଲେ। ନଦୀମ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ବନ୍ଧୁତା କରିଥିଲା ଏବଂ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିଲା। ନଦୀମ ପରେ ମହିଳାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଓ ତାଙ୍କ ପୁଅର ସୁନ୍ନତ କରାଇବାକୁ ଚାପ ପକାଇଥିଲା। ନଦୀମ ବିବାହିତ ବୋଲି ମହିଳା ଜଣକ ପରେ ଜାଣିବାକୁ ପାଇଲେ। ୨୦୨୫ ମେ ୧୩ ତାରିଖରେ ନଦୀମ ନିଜ ଘରେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଏହି ଘଟଣାର ଭିଡିଓ ରେକର୍ଡିଂ କରିଥିଲା। ମହିଳା ଜଣକ ଦାବି କରିଛନ୍ତି ଯେ ନଦୀମ ତାଙ୍କୁ ବୁର୍ଖା ପିନ୍ଧିବା, ଗୁରୁବାର ବ୍ରତ ବନ୍ଦ କରିବା ଏବଂ ତାଙ୍କ ବିନା ଅନୁମତିରେ ଘରୁ ନ ବାହାରିବା ପାଇଁ ଚାପ ପକାଉଥିଲେ। ଶେଷରେ ମହିଳା ଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ସଂଗଠିତ ଗ୍ୟାଙ୍ଗର ପର୍ଦ୍ଦାଫାସ
ଫରହାନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଜଣେ ଯୁବତୀ ମାମଲା ରୁଜୁ କରିବା ପରେ ହିନ୍ଦୁ କଲେଜ ଛାତ୍ରୀଙ୍କୁ ଟାର୍ଗେଟ କରୁଥିବା ଏକ ସଂଗଠିତ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିଲା। ଫରହାନ ଗିରଫ ହେବା ପରେ ପୁଲିସ ଏକ ଡଜନ ଅଶ୍ଳୀଳ ଭିଡିଓ ଠାବ କରିଥିଲା, ଯେଉଁଥିରେ ସେ ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ୫ ଜଣ ପୀଡ଼ିତା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ଫରହାନ ବ୍ୟତୀତ ଅନ୍ୟ ୪ ଜଣ ସାହିଲ, ଅଲି, ସାଦ ଓ ନବିଲକୁ ଗିରଫ କରାଯାଇଛି।

ଭୋପାଳରେ ଲଭ୍ ଜିହାଦ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌
୧୨ରୁ ଅଧିକ ସନ୍ଦିଗ୍ଧ ଗିରଫ

ଗ୍ୟାଙ୍ଗ୍‌ର କାର୍ଯ୍ୟଶୈଳୀ
ଏହି ଗ୍ୟାଙ୍ଗର ନେତୃତ୍ୱ ଫରହାନ ନେଉଥିଲା। ବିଶେଷ କରି ଭୋପାଳରେ ପାଠ ପଢୁଥିବା ଛୋଟ ଛୋଟ ସହର କିମ୍ବା ଗାଁର ହିନ୍ଦୁ ଝିଅମାନଙ୍କୁ ଟାର୍ଗେଟ କରାଯାଉଥିଲା। ଏହି ଗ୍ୟାଙ୍ଗ୍ ପୀଡ଼ିତାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ସହ ବ୍ଲାକମେଲ କରିବା ପାଇଁ ଭିଡିଓ ରେକର୍ଡ କରୁଥିଲା। ଫରହାନ ପୀଡ଼ିତାଙ୍କୁ ଅନ୍ୟ ମହିଳାମାନଙ୍କୁ ଏହି ଗ୍ୟାଙ୍ଗ ସହିତ ପରିଚିତ କରାଇବା ପାଇଁ ଚାପ ପକାଉଥିଲା। ଅଶୋକ ଗାର୍ଡେନରେ ଡ୍ୟାନ୍ସ କ୍ଲାସ ଚଳାଉଥିବା ସାହିଲ ମଧ୍ୟ ହିନ୍ଦୁ ଝିଅଙ୍କୁ ଟାର୍ଗେଟ କରିଥିଲା। ଅଲି ମଧ୍ୟ ଏଭଳି ଜଣେ ଛାତ୍ରୀଙ୍କୁ ଶୋଷଣ କରି ଫରହାନ ପାଖକୁ ଭିଡିଓ ପଠାଇଥିଲା। ମେକାନିକ୍ କାମ କରୁଥିବା ସାଦ୍‌, ପୀଡ଼ିତାଙ୍କୁ ଫରହାନର ବାସଭବନକୁ ପଠାଇବା ସହ ଗଞ୍ଜେଇ କାରବାର କରୁଥିଲା। ନବିଲ ଓ ଅବରାର ସେମାନଙ୍କ କୋଠରି ପ୍ରଦାନ କରିଥିଲେ ଯେଉଁଠାରେ ମହିଳାମାନେ ଯୌନ ଆକ୍ରମଣର ଶିକାର ହୋଇଥିଲେ। ଏହି ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ହମିଦ ଗତବର୍ଷ ଆତ୍ମହତ୍ୟା କରିଥିଲା। ଏହି ଗ୍ୟାଙ୍ଗ ସାଧାରଣତଃ ପୀଡ଼ିତାଙ୍କୁ ହୁକ୍କା ଲାଉଞ୍ଜ ଓ ପବ୍‌କୁ ନେଇ ଯୌନ ଶୋଷଣ ପୂର୍ବରୁ ନିଶା ଦେଉଥିଲା। ପଚରାଉଚରା ବେଳେ ଫରହାନ୍ କୌଣସି ଅନୁତାପ ଦେଖାଇ ନ ଥିଲା ଏବଂ ସ୍ପଷ୍ଟ ଭାବରେ କହିଥିଲା ଯେ ଏଭଳି କାର୍ଯ୍ୟ ତାକୁ ‘ସୱାବ’ (ଧାର୍ମିକ ପୁରସ୍କାର) ଦେଇଛି। ଏହାକୁ ନେଇ ଭୋପାଳ ବିଜେପି ବିଧାୟକ ରାମେଶ୍ୱର ଶର୍ମା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁମାନେ ସୱାବ ବିଷୟରେ କହୁଛନ୍ତି ସେମାନେ ଜାଣିବା ଉଚିତ ଯେ କେବଳ ଏକ କବରସ୍ଥାନ ସେମାନଙ୍କୁ ଅପେକ୍ଷା କରିଛି। ଆମେ ମଧ୍ୟପ୍ରଦେଶରେ ଲଭ୍ ଜିହାଦକୁ ଆଗକୁ ବଢିବାକୁ ଦେବୁ ନାହିଁ ବୋଲି ଶର୍ମା କହିଛନ୍ତି।

ମହିଳା ପୁଲିସ ମଧ୍ୟ ଏହାର ଶିକାର ହୋଇଛନ୍ତି
ରାଇସେନ ଜିଲ୍ଲାର ମଣ୍ଡିଦୀପରେ କାର୍ଯ୍ୟରତ ଜଣେ ମହିଳା ସବ୍‌ଇନ୍ସପେକ୍ଟର ମଧ୍ୟ ଜାଲରେ ଫସିଥିଲେ। ଇସ୍ତିୟାକ ଅହମଦ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅମନ ବୋଲି ପରିଚୟ ଦେଇ ବିବାହ କରିଥିଲା। ତେବେ ଦୁଇ ବର୍ଷ ପରେ ଇନ୍ସପେକ୍ଟର ସରକାରୀ କାଗଜପତ୍ର ଯାଞ୍ଚ କରିବା ବେଳେ ତା’ର ପ୍ରକୃତ ପରିଚୟ ଜାଣିବା ପରେ ଅଭିଯୋଗ କରିଥିଲେ। ୨୦୨୧ରେ ତତ୍କାଳୀନ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ବିଜେପି ସରକାର ‘ଲଭ୍ ଜିହାଦ’ ମାମଲାର ସମାଧାନ ପାଇଁ ଧାର୍ମିକ ସ୍ୱାଧୀନତା ଆଇନ ଲାଗୁ କରିଥିଲେ। ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ହୋଇପାରେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *