ମଝି ଆକାଶରେ ବାହାରିଗଲା ବିମାନର ଝରକା ଫ୍ରେମ୍
ମଝି ଆକାଶରେ ବାହାରିଗଲା ବିମାନର ଝରକା ଫ୍ରେମ୍
ବିମାନର କୌଣସି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇନି କି ଇନ୍ଧନ ସରିଯାଇନି ବରଂ ବିମାନର ଝରକା ଫ୍ରେମ୍ ବାହାରିଯାଇଥିବାର ଘଟଣା ସାମ୍ନାକୁ ଆସିଛି । ମଝି ଆକାଶରେ ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଛି
ନୂଆଦିଲ୍ଲୀ/ଭୁବନେଶ୍ୱର୦୩-୦୭-୨୦୨୫( ଏସ .ଏମ ) : ବିମାନରେ ଅଘଟଣକୁ ନେଇ ଆସିଲା ପୁଣି ଏକ ଖବର । ଯେଉଁଠି ବିମାନର କୌଣସି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇନି କି ଇନ୍ଧନ ସରିଯାଇନି ବରଂ ବିମାନର ଝରକା ଫ୍ରେମ୍ ବାହାରିଯାଇଥିବାର ଘଟଣା ସାମ୍ନାକୁ ଆସିଛି । ମଝି ଆକାଶରେ ବିମାନ ଭିତରର ଝରକା ଫ୍ରେମ୍ ହଠାତ୍ ହୁଗୁଳା ହୋଇ ବାହାରିଯିବା ପରେ ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଛି ।ତେବେ ମଙ୍ଗଳବାର ଦିନ ଗୋଆରୁ ପୁଣେ ଅଭିମୁଖେ ଉଡାଣ ଭରିଥିବା ସ୍ପାଇସ୍ ଜେଟ୍ ବିମାନ ଏସଜି୧୦୮୦ ଆକାଶରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବା ବେଳେ ହଠାତ୍ ସିଟ୍ ପାଖକୁ ଲାଗିଥିବା ଭିତର ଝରକା ଫ୍ରେମ୍ ବାହାରକୁ ବାହାରି ଆସିଥିଲା । ଝରକାର ଫ୍ରେମ୍ ହଠାତ୍ ବାହାରି ଆସିବା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ ଏବଂ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ଯଦିଓ ବିମାନ ସଦସ୍ୟ ଏହା କୌଣସି ବିପଦ ନୁହେଁ ବୋଲି କହିଥିଲେ ମାତ୍ର ଯାତ୍ରୀଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଥିଲା । ବିମାନଟି ପୁଣେରେ ସୁରକ୍ଷିତ ଅବତରଣ କରିବା ପରେ ଝରକାର ମରାମତି କରାଯାଇଥିଲା । ତେବେ ଅଘଟଣ ସମୟରେ ଜଣେ ଯାତ୍ରୀ ଏହି ଭିଡିଓ କରିଥିବା ବେଳେ ଏହା ବେସ୍ ଭାଇରାଲ ହେଉଛି ।ଭାଙ୍ଗିଯାଇଥିବା ଅଂଶଟି ବିମାନ ଭିତରକୁ ଖରା ନଆସିବା ପାଇଁ ଲଗାଯାଇଥାଏ । ଛାଇ ପାଇଁ ଏହା ଝରକା ଉପରେ ଲଗାଯାଇଥିଲା ଯାହା କୌଣସି ପ୍ରକାରେ ବିମାନର ସୁରକ୍ଷାକୁ ବିପଦରେ ପକାଇ ନଥିଲା।