ଅପରାଧଦେଶ- ବିଦେଶରାଜନୀତିସମସ୍ୟା ଭିତ୍ତିକ ଖବର

ମଣିପୁର ଅଶାନ୍ତ, କର୍ଫ୍ୟୁ ଜାରି

ମଣିପୁର ଅଶାନ୍ତ, କର୍ଫ୍ୟୁ ଜାରି

୫ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ, ଆନ୍ଦୋଳନକାରୀଙ୍କ ଆତ୍ମଦାହ ଉଦ୍ୟମ

ଇମ୍ଫାଲ/ଭୁବନେଶ୍ୱର ୦୯-୦୬-୨୦୨୫(ଏସ .ଏମ ) : ଣିପୁରର ବିଭିନ୍ନ ଜିଲ୍ଲାରେ ପୁଣି ହିଂସାକାଣ୍ଡ ଓ ଉତ୍ତେଜନା ବୃଦ୍ଧି ପାଇଛି। ଗତରାତିରୁ ହିଂସା ଲାଗି ରହିଥିବା ବେଳେ ଆଜି ସକାଳେ କର୍ଫ୍ୟୁ ଜାରି କରାଯାଇଛି। ଏହା ସହିତ ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଶନିବାର ରାତିରେ ମୈତେୟୀ ସଂଗଠନ ଆରାମବାଇ ତେଙ୍ଗଗୋଲର ଜଣେ ନେତା ଓ ଅନ୍ୟ କିଛି ସଦସ୍ୟଙ୍କୁ ଗିରଫ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ରାଜଧାନୀ ଇମ୍ଫାଲ ସମେତ ବିଭିନ୍ନ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧ ଓ ପୋଡ଼ାଜଳା ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି। ବିକ୍ଷୋଭକାରୀମାନେ ରାସ୍ତା ମଝିରେ ଟାୟାର ଓ ପୁରୁଣା ଆସବାବପତ୍ର ଜାଳି ଦେବା ସହ ବିମାନବନ୍ଦର ପ୍ରବେଶ ପଥ ଘେରାଉ କରିଥିଲେ। ଗିରଫ ହୋଇଥିବା ନେତାଙ୍କୁ ମୁକ୍ତ କରିବା ଦାବିରେ ସୁରକ୍ଷାବାହିନୀ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ଏବଂ କେତେକ ଆନ୍ଦୋଳନକାରୀ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଗିରଫ ହୋଇଥିବା ମୈତେୟୀ ନେତା ବିଭିନ୍ନ ଅଞ୍ଚଳରେ ହିଂସା ଭିଆଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ଉକ୍ତ ନେତାଙ୍କ ପରିଚୟ ସଂପର୍କରେ କିଛି କହିନାହିଁ। ତେବେ ଏହି ନେତାଙ୍କ ନାମ କାନନ ସିଂହ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଶନିବାର ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କ ସହ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ ଏବଂ ଆଜି ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ଇମ୍ଫାଲ ପୂର୍ବ ଜିଲ୍ଲାର ଖୁରାଇ ଲାମଙ୍ଗ ଅଞ୍ଚଳରେ ଉତ୍ତ୍ୟକ୍ତ ଜନତା ଏକ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। କ୍ୱାକେଇଥେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇଥିବା ମଧ୍ୟ ଜଣାପଡ଼ିଛି।

ଅନ୍ୟପକ୍ଷରେ ଗିରଫ ମୈତେୟୀ ନେତାଙ୍କୁ ରାଜ୍ୟ ବାହାରକୁ ପଠାଯିବା ଖବର ମିଳିବା ପରେ ତୁଲିହାଲସ୍ଥିତ ଇମ୍ଫାଲ ବିମାନବନ୍ଦର ଗେଟ୍ ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ। ମଣିପୁରରୁ ନେତାଙ୍କୁ ଅନ୍ୟତ୍ର ନେବା ପାଇଁ କୌଣସି ପ୍ରୟାସକୁ ରୋକିବା ପାଇଁ ବିକ୍ଷୋଭକାରୀମାନେ ବିମାନବନ୍ଦର ରାସ୍ତାକୁ ରାତିସାରା ଅବରୋଧ କରିଥିଲେ। ସିବିଆଇ ରବିବାର ଇମ୍ଫାଲ ବିମାନ ବନ୍ଦରରୁ ଆରାମବାଇ ତେଙ୍ଗଗୋଲର ଜଣେ ସଦସ୍ୟଙ୍କୁ ଗିରଫ କରିଛି। ସେ ୨୦୨୩ରେ ମଣିପୁର ହିଂସା ସହ ଜଡ଼ିତ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରୁ ଉତ୍ତ୍ୟକ୍ତ ଜନତାଙ୍କୁ ହଟାଇବା ପାଇଁ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ ସେଲ୍‌ ପ୍ରୟୋଗ କରିଥିଲା। ଲାଠିମାଡ଼ ଯୋଗୁଁ ଜଣେ ଆନ୍ଦୋଳନକାରୀର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଶାନ୍ତ ଅଞ୍ଚଳରେ ଅତିରିକ୍ତ ଯବାନ ମୁତୟନ କରାଯାଇଛି ଏବଂ ରାଜଭବନକୁ ଯାଉଥିବା ରାସ୍ତାରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, ଥୋବଲ ଏବଂ କାକଚିଂ ଉପତ୍ୟକା ଜିଲ୍ଲାରେ ୫ ଜଣ ତା’ଠାରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଜାରି କରାଯାଇଛି। ଅନ୍‌ଲାଇନରେ ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିବାରୁ ୫ ଦିନ ପାଇଁ ସଂପୃକ୍ତ ଅଂଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

ଅନ୍ୟପକ୍ଷରେ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ବରିଷ୍ଠ ପ୍ରଶାସନିକ ଓ ସୁରକ୍ଷା ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବିଧାୟକଙ୍କ ଏକ ଗୋଷ୍ଠୀ ରାଜଭବନରେ ଭଲ୍ଲାଙ୍କୁ ଭେଟି ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ଏହି ମାମଲାରେ ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି। ସମସ୍ୟାର ସମାଧାନ ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟପାଳ ପ୍ରତିନିଧି ଦଳକୁ କହିଛନ୍ତି।

ଦୁଇ ବର୍ଷ ତଳେ ମଣିପୁରରେ କୁକି ଓ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ଜାତିଆଣ ହିଂସା ଆରମ୍ଭ ହେବା ପରଠାରୁ ସୁରକ୍ଷା ବାହିନୀ ସର୍ଚ ଅପରେସନ‌୍ ଓ ଗିରଫଦାରୀ ଜାରି ରଖିଛି। ଗତକାଲି ହିଂସାରେ ଲିପ୍ତ ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ବିପୁଳ ପରିମାଣରେ ବ‌ିସ୍ଫୋରକ ମଧ୍ୟ ଜବତ ‌କରାଯାଇଥିଲା। ମେ ୨୦୨୩ ପରଠାରୁ ମୈତେୟୀ ଏବଂ କୁକି-ଜୋ ଗୋଷ୍ଠୀ ମଧ୍ୟରେ ଜାତିଆଣ ହିଂସାରେ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଇସ୍ତଫା ଦେବା ପରେ ଗତ ଫେବ୍ରୁଆରିରେ କେନ୍ଦ୍ର ସରକାର ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *