ଦେଶ- ବିଦେଶରାଜନୀତିରାଜ୍ୟ

ମହାନଦୀ ଜଳ ବିବାଦ ମାମଲା

ମହାନଦୀ ଜଳ ବିବାଦ ମାମଲା

ମହାନଦୀ ଜଳ ବିବାଦର ସମାଧାନକୁ ନେଇ ଆପୋସ ଆଲୋଚନା ଦିଗରେ ପର୍ଯ୍ୟାପ୍ତ ଅଗ୍ରଗତି ହୋଇଛି। ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଅନୌପଚାରିକ ଆଲୋଚନା ଆରମ୍ଭ କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର୧୮-୦୭-୨୦୨୫( ଏସ.ଏମ ) : ହାନଦୀ ଜଳ ବିବାଦର ସମାଧାନକୁ ନେଇ ଆପୋସ ଆଲୋଚନା ଦିଗରେ ପର୍ଯ୍ୟାପ୍ତ ଅଗ୍ରଗତି ହୋଇଛି। ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଅନୌପଚାରିକ ଆଲୋଚନା ଆରମ୍ଭ କରିଛନ୍ତି। ଆଗକୁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ରୀୟ ଏଜେନ୍ସିସ୍ତରୀୟ ‌ଆଲୋଚନା ହେବ। ଆଜି ମହାନଦୀ ଜଳ ବିବାଦର ଶୁଣାଣି ଅବସରରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ବେଲା ଏମ୍‌. ତ୍ରିବେଦୀଙ୍କୁ ଏ ନେଇ ଅବଗତ କରାଇଛନ୍ତି ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ। ୧୭ ମାସ ପରେ ଆଜି ମହାନଦୀ ଜଳ ବିବାଦ ମାମଲାର ୪୩ତମ ଶୁଣାଣି ହୋଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ରୂପେ ଦାୟିତ୍ବ ନେବାପରେ ପ୍ରଥମ ଥର ପାଇଁ ମାମଲାର ଶୁଣାଣି ବିଚାରପତି ତ୍ରିବେଦୀ କରିଛନ୍ତି। ଆଜିର ଶୁଣାଣି ‌ବେଳେ ଟ୍ରିବ୍ୟୁନ‌ାଲ ମାମଲାର ବିଚାର ପ୍ରକ୍ରିୟା, ସାକ୍ଷୀଙ୍କ ଜେରା ସ୍ଥିତି ସଂପର୍କରେ ଜାଣିବାକୁ ଚାହିଥିଲେ। ଟ୍ରିବ୍ୟୁନାଲରେ ଓଡ଼ିଶାର ପ୍ରଥମ ସାକ୍ଷୀଙ୍କର ଜେରା ସଂପୂର୍ଣ୍ଣ ହୋଇ ସାରିଥିବାବେଳେ ଦ୍ବିତୀୟ ସାକ୍ଷୀ ଅସୁସ୍ଥତା ଯୋଗୁଁ ଆଜି ଉପସ୍ଥିତ ହୋଇପାରି ନଥିବା ଶ୍ରୀ ଆଚାର୍ଯ୍ୟ ଜଣାଇଥିଲେ। ଟ୍ରିବ୍ୟୁନାଲରେ ସାକ୍ଷୀମାନଙ୍କର ଜେରା କରାଯିବାବେଳେ ‌ରେକର୍ଡିଂ ତଥା ଅନ୍ୟାନ୍ୟ ଭିତ୍ତିଭୂମି ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେଉ ନଥିବା ପକ୍ଷଭୁକ୍ତ ରାଜ୍ୟମାନଙ୍କ ଦ୍ବାରା ଅବଗତ କରାଯାଇଥିଲା। ଏ ବାବଦରେ ଟ୍ରିବ୍ୟୁନାଲଙ୍କ ନଭେମ୍ବର ୨୮, ୨୦୨୩ର ଆଦେଶ ସଂପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଟ୍ରିବ୍ୟୁନାଲକୁ ଅବଗତ କଲେ ଆଡ୍‌ଭୋକେଟ୍‌ ଜେନେରାଲ୍‌
ଅଗଷ୍ଟ ୨ରେ ପରବର୍ତ୍ତୀ ଶୁଣାଣି

ଅଧ୍ୟକ୍ଷ ଟ୍ରିବ୍ୟୁନାଲରେ ଉପଲବ୍ଧ ହେଉ ନଥିବା ଉପକରଣକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସମସ୍ତ ଭିତ୍ତିଭୂମିର ବ୍ୟବସ୍ଥା କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟ କରିବା ନେଇ ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ। ଶୁଣାଣିବେଳେ ଶ୍ରୀ ଆଚାର୍ଯ୍ୟ ଆହୁରି ମଧ୍ୟ ଜଣାଇଥିଲେ ଯେ ବର୍ତ୍ତମାନ ବର୍ଷା ଜାରି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ସ୍ଥିତି ଅନୁଧ୍ୟାନ ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ମାମଲାର ଶୁଣାଣି ଉପରେ ବିଶେଷ ଗୁରତ୍ବାରୋପ କରିଥିଲେ। ଅଧ୍ୟକ୍ଷ କହିଥିଲେ ଆମର ଚିନ୍ତା ହେଉଛି ଟ୍ରିବ୍ୟୁନାଲର ଅବଧି ଆସନ୍ତା ବର୍ଷ ଏପ୍ରିଲରେ ଶେଷ ହେବ। ମାମଲାର ଅଗ୍ରଗତି ନଗଣ୍ୟ ରହିଛି। ହେଲେ ଆମେ ମାମଲାର ଶୁଣାଣିକୁ ନେଇ ଗମ୍ଭୀର ଅଛୁ। ଆମେ ଦେଶର ଦାୟିତ୍ବସଂପନ୍ନ ଅଧିକାରୀ, ଶୁଣାଣିରେ ଅନାବଶ୍ୟକ ବିଳମ୍ବ ହେବା ଅନୁଚିତ ବୋଲି ବିଚାରପତି ତ୍ରିବେଦୀ କହିଥିଲେ। ଆପୋସ ଆଲୋଚନା ଜାରି ରହିଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ମାସରେ ଧାର୍ଯ୍ୟ କରିବା ପାଇଁ ଆଡଭୋକେଟ୍‌ ଜେନେରାଲ ଶ୍ରୀ ଆଚାର୍ଯ୍ୟ ପ୍ରସ୍ତାବ ଦେଇଥିଲେ। ହେଲେ ଟ୍ରିବ୍ୟୁନାଲ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨ ତାରିଖକୁ ଧାର୍ଯ୍ୟ କରିଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ଓଡ଼ିଶାକୁ ଆପୋସ ଆଲୋଚନା ସଂପର୍କିତ ନିଷ୍ପତ୍ତି ତଥା ସାକ୍ଷୀଙ୍କ ଜେରା ସଂପର୍କିତ ବିବରଣୀ ଦେବା ପାଇଁ କୁହାଯାଇଛି। ଉଭୟ ପକ୍ଷ ଆସନ୍ତା ଶୁଣାଣି ସମୟରେ ବିବାଦ ସମାଧାନର ଅଗଗତି ବିଷୟରେ ଜଣାଇବା ପରେ ଟ୍ରିବ୍ୟୁନାଲ ଶୁଣାଣିକୁ ନେଇ ପରବର୍ତ୍ତୀ ଆଭିମୁଖ୍ୟ ସ୍ପଷ୍ଟ କରିବେ। ସୂଚନାଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୮ରେ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଟ୍ରିବ୍ୟୁନାଲ ମାମଲାର ବିଚାର ପାଇଁ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ବିଚାର ପ୍ରକ୍ରିୟା ଶେଷ ହୋଇପାରିନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *