ପୁରୀ,୧୧-୦୬-୨୦୨୫(ଏସ.ଏମ ) :(ବିଜୟ କୁମାର ପଣ୍ଡା )  ବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ। ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିବେ। ଏହି ଅପୂର୍ବ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ। ଏହି ସମୟ ପାଖେଇ ଆସୁଥିବାରୁ ଭକ୍ତମାନଙ୍କ ମନରେ ଉତ୍କଣ୍ଠା ଭରି ଉଠୁଛି। ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖାଯାଇଥିବା ବେଳେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି। 

ମହାପ୍ରଭୁଙ୍କର ସ୍ନାନପୂର୍ଣ୍ଣିମା ଆଜି ଅନୁଷ୍ଠିତ ହେଉଛି। ଏଥି ପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍‌ରୁ ଆରମ୍ଭ ହୋଇଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ ଅଛନ୍ତି। 

 

 

ହାତୀବେଶରେ ମୁଖ୍ୟତଃ କଦଳୀ ପାଟୁଆ, କଇଁଥ ଅଠା, ସୋଲ, ଜରି, କପଡ଼ା, ଲେସ୍ ଆଦି ବ୍ୟବହାର କରାଯାଏ। ରାଘବ ଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଗୋପାଳତୀର୍ଥ ମଠ ଦିଏ ଶ୍ରୀବଳଭଦ୍ରଙ୍କ ବେଶ। ପାରମ୍ପରିକ ଭାବେ ପିଢ଼ିପିଢ଼ି ଧରି କାରିଗରମାନେ ହାତୀବେଶ ପ୍ରସ୍ତୁତ କରିଆସୁଛନ୍ତି। କାରିଗରଙ୍କୁ ମଠ ପକ୍ଷରୁ ପାରିଶ୍ରମିକ ଦିଆଯାଏ। ହାତୀବେଶ ପ୍ରସ୍ତୁତ କରି ସମସ୍ତେ ଖୁସି ଅଛନ୍ତି। ମହାପ୍ରଭୁଙ୍କ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ବେଶ୍ ଆବେଗ ରହିଛି। ଏହି ଦୁର୍ଲ୍ଲଭ ବେଶ  ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। 

 

ମହାପ୍ରଭୁଙ୍କ ପହଣ୍ଡି ଲାଗି ମଙ୍ଗଳବାର ପ୍ରଥମେ କୋଠ ସୁଆସିଆମାନେ ସିଂହାସନରେ ଚାର ମାଳ ବାନ୍ଧିବା ପରେ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିଛନ୍ତି।  ସ୍ନାନଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଓ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପି ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ନଜରରେ ରଖାଯାଇଛି। ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ପାଣି ବ୍ୟବସ୍ଥା ହୋଇଛି।

ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ।