GeneralTOP STORIESମନୋରଞ୍ଜନରାଜନୀତିରାଜ୍ୟ

ମା’ ତାରାତାରିଣୀଙ୍କ ପୀଠର ଭିତ୍ତିଭୂମି ବିକାଶ ପାଇଁ ୩୦ କୋଟି ଘୋଷଣା : ମୁଖ୍ୟମନ୍ତ୍ରୀ

ମା’ ତାରାତାରିଣୀଙ୍କ ପୀଠର ଭିତ୍ତିଭୂମି ବିକାଶ ପାଇଁ ୩୦ କୋଟି ଘୋଷଣା : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି। ମା’ଙ୍କ ନିକଟରେ ଦୀପ ଜାଳି ପୂଜାର୍ଚ୍ଚନା କରିବା ସହ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଏବଂ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଥିଲେ।

ପୁରୁଷୋତ୍ତମପୁର/ଭୁବନେଶ୍ୱର ୦୯-୦୫-୨୦୨୫( ଏସ.ଏମ ) :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି। ମା’ଙ୍କ ନିକଟରେ ଦୀପ ଜାଳି ପୂଜାର୍ଚ୍ଚନା କରିବା ସହ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଏବଂ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରାର୍ଥନା କରିଥିଲେ। ମନ୍ଦିରରେ ଏକ ଘଣ୍ଟା ବିତାଇବା ସହ ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ କରିଥିଲେ। ସେହିପରି ମନ୍ଦିରର ସମସ୍ତ ରୀତିନୀତି ସଂପର୍କରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଭାରତର ଏହି ପ୍ରମୁଖ ଶକ୍ତିପୀଠର ବିକାଶ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଭକ୍ତ ଓ ଯାତ୍ରୀମାନଙ୍କୁ ଆବଶ୍ୟକ ସୁବିଧାସୁଯୋଗ ଯୋଗାଇଦେବା ଏବଂ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭବ ଉପଲବ୍ଧ କରାଇବାର ମହତ ଉଦ୍ଦେଶ୍ୟ ନେଇ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସିଂହଦ୍ୱାର ସାମନାରେ ବହୁତଳ ବିଶିଷ୍ଟ ଧର୍ମଶାଳା ଓ ବଣଭୋଜିସ୍ଥଳ ନିର୍ମାଣ ହେବ। ସେହିପରି ରାସ୍ତାଘାଟର ଉନ୍ନତୀକରଣ କରାଯିବ।ନବନିର୍ମିତ ପୋଲ ଠାରୁ ମୁଖ୍ୟରାସ୍ତା ଓ ଘାଟରୋଡ଼୍ ପାର୍ଶ୍ୱରେ ସୁରକ୍ଷା ପାଚେରି, ଆଲୋକୀକରଣ, ସାଇନ୍‌ବୋର୍ଡ, ମନ୍ଦିର ଚାରିପାଖରେ ୫ଟି ଗୁମୁଟ, ମନ୍ଦିର ଉତ୍ତରପାର୍ଶ୍ୱର ଉନ୍ନତୀକରଣ ଓ ଋଷିକୁଲ୍ୟା ନଦୀପଠାରେ ହେବାକୁ ଥିବା ଅନ୍ୟାନ୍ୟ ଉନ୍ନତୀକରଣ କାର୍ଯ୍ୟ ପାଇଁ ୨୫ କୋଟି ଟଙ୍କା ବ୍ୟୟ ହେବ। ଏହାସହ ମନ୍ଦିର ସମେତ ଅନ୍ୟାନ୍ୟ କୋଠାବାଡ଼ିର ରକ୍ଷଣାବେକ୍ଷଣ ନିମନ୍ତେ ୫ କୋଟି ଟଙ୍କା ସ୍ଥାୟୀଜମା ଆକାରରେ ରଖାଯିବ। ସେହିପରି ରାଜ୍ୟ ସରକାର ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ ପୂର୍ବରୁ ୮ କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ୱୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ଼ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃନିର୍ମାଣ, ଯାନବାହାନ ରହଣିସ୍ଥଳ ଓ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଥାଉକି, ମା’ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬୮ କୋଟି ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଖଲ୍ଲିକୋଟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ଏବଂ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରୁ ପାଛୋଟି ନେଇଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ଶୁଭେନ୍ଦୁ ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ବିଡିଓ ଶରତ କୁମାର ପାତ୍ର, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ଓ ପୁରୁଷୋତ୍ତମପୁର ଥାନାଧିକାରୀ ରାଜେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *