ରାଜନୀତିରାଜ୍ୟ

ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଓ ଆକ୍ରମଣକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ବିଜେଡି

ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଓ ଆକ୍ରମଣକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ବିଜେଡି

ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ବ୍ରିଟିସ୍‌ ଅତ୍ୟାଚାରଠାରୁ ବଳିଯାଇଛି

ଭୁବନେଶ୍ୱର୦୨-୦୭-୨୦୨୫( ଏସ .ଏମ ) : ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ବ୍ରିଟିସ୍‌ ଅତ୍ୟାଚାରଠାରୁ ବଳିଯାଇଛି। ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଓ ଆକ୍ରମଣକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ଯେଉଁଭଳି ଅମାନୁଷିକ ଭାବେ ବିଏମ୍‌ସିର ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରାଗଲା ତାହା ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେଉଥିବା ଗୁଣ୍ଡାରାଜ ଦୃଶ୍ୟଠାରୁ କୌଣସି ଗୁଣରେ କମ୍‌ ନୁହେଁ। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରିଛି। ଦେଶରେ ଓଡ଼ିଶାର ଛବିକୁ ମଳିନ କରିଛି। ରାଜ୍ୟ ଓଏଏସ୍ ସଂଘ ଏହି ଘଟଣାରେ ପ୍ରଦାନ କରିଥିବା ସ୍ମାରକପତ୍ରରେ ଗତ ଏକ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ସେମାନଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଏଥିସହ ସେମାନଙ୍କ ସୁରକ୍ଷା ଓ ସମ୍ମାନ ବିପଦରେ ପଡିଛି ବୋଲି ଉଲ୍ଲେଖ କରିଛନ୍ତି। ଗତ ଏକ ବର୍ଷ ଧରି ରାଜ୍ୟର ପ୍ରଶାସନିକ ଢାଞ୍ଚା ଉପରେ ଯେଉଁଭଳି ଆକ୍ରମଣ ହେଉଛି ତାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ବିଏମ୍‌ସି ମେୟର ସୁଲୋଚନା ଦାସ ଘଟଣାକୁ ନିନ୍ଦା କରିବା ସହ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଫିସ୍ ମଧ୍ୟରୁ ଘୋଷାରି ଆଣି ଯେଭଳି ବର୍ବରୋଚିତ ଆକ୍ରମଣ କରିଛନ୍ତି, ତା‌ହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଘଟଣାରେ ୬ରୁ ୭ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ପୁଲିସ କେବଳ ୫ ଜଣଙ୍କୁ ଗିରଫ କରିଛି। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଲେ ଗତ ୩୦ ବର୍ଷ ଭିତରେ ଏଭଳି ଅମାନବୀୟ କାଣ୍ଡ କେବେ ଘଟି ନଥିଲା। ଏଭଳି ହୃଦୟ ବିଦାରକ ଘଟଣା ବ୍ରିଟିସ୍‌ ଅତ୍ୟାଚାରଠୁ ମଧ୍ୟ ବଳିଯାଇଛି। ଦୁଇ ଜଣ ମହିଳା କର୍ପୋରେଟର ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ସେମାନେ ମଧ୍ୟ ଆକ୍ରମଣକାରୀଙ୍କ ଦ୍ୱାରା ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ ଶାସକ ବିଜେପି ଦଳର କାର୍ଯ୍ୟକର୍ତ୍ତା। ବିଜେପି ନେତା ତଥା ଗତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଘଟାଇଛନ୍ତି। ଯାହାକି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ନମୁନା ଏବଂ ଶାସକ ବିଜେପିର ଅତ୍ୟାଚାର ମନୋବୃତ୍ତିର ପରିଚୟ ବୋଲି ସେ କହିଛନ୍ତି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ସମସ୍ତ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି ମେୟର ମଞ୍ଜୁଲତା କହଁର ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *