ମୃତ ପ୍ରଶାନ୍ତଙ୍କ ଘରେ ଏନ୍ଆଇଏ ଟିମ୍
ମୃତ ପ୍ରଶାନ୍ତଙ୍କ ଘରେ ଏନ୍ଆଇଏ ଟିମ୍
ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ଘଟଣା ବାବଦରେ ପଚରାଉଚରା କରିଛନ୍ତି
ବାଲେଶ୍ବର/ଭୁବନେଶ୍ୱର ୨୭.୦୪.୨୦୨୫ (ଏସ .ଏମ ) : ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଏନେଇ ବିଭିନ୍ନ ସରକାରୀ ସଂସ୍ଥା ତଦନ୍ତ କରୁଥିବା ବେଳେ ନ୍ୟାସନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ)ର ପଦାଧିକାର ବାଲେଶ୍ବର ଜିଲ୍ଲାର ଈଶାଣୀ ଆସି ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ଘଟଣା ବାବଦରେ ପଚରାଉଚରା କରିଛନ୍ତି। ଜମ୍ମୁ-କାଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଆତଙ୍କବାଦୀ ଆକ୍ରମଣରେ ଈଶାଣୀର ପ୍ରଶାନ୍ତଙ୍କ ସହ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣ ଘଟଣା ନେଇ ବିଭିନ୍ନ ସରକାରୀ ସଂସ୍ଥା ତଦନ୍ତ ଚଳାଇଛନ୍ତି। ଏନ୍ଆଇଏର ଏକ ୩ ଜଣିଆ ଟିମ୍ ଈଶାଣୀ ଆସି ପ୍ରଶାନ୍ତଙ୍କ ସାଙ୍ଗରେ ପହଲଗାମ ବୁଲିବା ପାଇଁ ଯାଇଥିବା ଏବଂ ତାଙ୍କ ହତ୍ୟାକୁ ଆଖି ଆଗରେ ଦେଖିଥିବା ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ପଚରାଉଚରା କରିଛି। ପଦାଧିକାରୀମାନେ ଉଭୟ ମାଆପୁଅଙ୍କୁ ଏକ ବନ୍ଦ କୋଠରିରେ ପ୍ରାୟ ୫ ଘଣ୍ଟା ଧରି ଘଟଣା ସଂପର୍କରେ ପଚାରିଥିଲେ। ତେବେ ଏନେଇ ଟିମ୍ର ପଦାଧିକାରୀଙ୍କ ସହ ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ହେଲେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଗଣମାଧ୍ୟମକୁ କେହି କିଛି କହିବା ପାଇଁ ମନା କରି ଦେଇଥିଲେ।