ମୋଦୀ ସରକାରଙ୍କ ସପକ୍ଷରେ କହିବେ ଓୱାସି
ମୋଦୀ ସରକାରଙ୍କ ସପକ୍ଷରେ କହିବେ ଓୱାସି
ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବେ
ନୂଆଦିଲ୍ଲୀ/ଭୁବନେଶ୍ୱର ୧୭.୦୫.୨୦୨୫(ଏସ .ଏମ ) : ବିଶ୍ୱ ମଞ୍ଚରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ପ୍ରଦର୍ଶିତ କରିବା ପାଇଁ ଏକ କୂଟନୈତିକ ପଦକ୍ଷେପର ଅଂଶ ସ୍ୱରୂପ କେନ୍ଦ୍ର ସରକାର ଏକ ସର୍ବଦଳୀୟ ପ୍ରତିନିଧି ଦଳକୁ ବିଭିନ୍ନ ଦେଶ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି ଏହି ପ୍ୟାନେଲରେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱାସିଙ୍କୁ ସାମିଲ କରାଯାଇଛି। ଫଳରେ ଓୱାସି ଏବେ ମୋଦୀ ସରକାରଙ୍କ ସପକ୍ଷରେ କହି ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବେ। ଏହିପରି ଭାବରେ, କେନ୍ଦ୍ର ସରକାର ଏକ ବାର୍ତ୍ତା ଦେଇଛନ୍ତି ଯେ, ଦଳୀୟ ମତଭେଦ ଥାଇପାରେ କିନ୍ତୁ ଯେତେବେଳେ ଦେଶର କଥା ଆସେ, ସମସ୍ତ ରାଜନୈତିକ ଦଳ ଏକାଠି ଅଛନ୍ତି।ପହଲଗାମରେ ଆତଙ୍କବାଦୀମାନେ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିବା ପରେ ସାରା ଦେଶରେ କ୍ରୋଧ ପ୍ରକାଶ ପାଇଥିଲା। ଓୱାସି ସ୍ପଷ୍ଟ ଭାବରେ କହିଥିଲେ ଯେ, ଏବେ ପାକିସ୍ତାନକୁ ଉଚିତ୍ ଜବାବ ଦେବାର ସମୟ ଆସିଛି। ସେ କହିଥିଲେ, ପାକିସ୍ତାନ ଏକ ନିର୍ଲଜ୍ଜ ଏବଂ ବିଫଳ ଦେଶ। ଏପରି ପରିସ୍ଥିତିରେ, ଏବେ ପାକିସ୍ତାନକୁ ବୁଝାଇବାର ସମୟ ନୁହେଁ ବରଂ ଦଣ୍ଡ ଦେବାର ସମୟ।ସେତେବେଳେ ଓୱେସି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ କହିଥିଲେ ଯେ, ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିବା ନିର୍ମମତା। ସେ କହିଥିଲେ, ଭାରତକୁ ଏହି ଆକ୍ରମଣର ଉଚିତ୍ ଜବାବ ଦେବା ଜରୁରୀ। ଓୱରସି କହିଥିଲେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କୁ କେନ୍ଦ୍ର ସରକାର ସହିଦ ମାନ୍ୟତା ଦେବା ଉଚିତ।ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାସି ସେନାର ଅପରେସନରେ ଖୁସି ପ୍ରକାଶ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ, ଆମର ପ୍ରତିରକ୍ଷା ବାହିନୀ ଦ୍ୱାରା ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଲକ୍ଷ୍ୟଭେଦ ଆକ୍ରମଣକୁ ମୁଁ ସ୍ୱାଗତ କରୁଛି।ପାକିସ୍ତାନୀ ଡିପ୍ ଷ୍ଟେଟ୍କୁ ଏପରି କଠୋର ଶିକ୍ଷା ଦେବାକୁ ପଡିବ ଯେପରି ଆଉ ଏକ ପହଲଗାମ୍ ଆଉ କେବେ ନ ଘଟିବ। ପାକିସ୍ତାନର ଆତଙ୍କବାଦ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଜୟ ହିନ୍ଦ! ଏନଡିଏ ସରକାର ସୀମାପାର ଆତଙ୍କବାଦ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିବା ପରେ, ବିଶେଷକରି ଅପରେସନ ସିନ୍ଦୁର ପରେ ସରକାରଙ୍କ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି। ଏହି ଅଭିଯାନ ଅନ୍ତର୍ଗତ, ଶାସକ ମେଣ୍ଟ ଏବଂ ପ୍ରମୁଖ ବିରୋଧୀ ଦଳଗୁଡ଼ିକର ସାଂସଦମାନଙ୍କୁ ନେଇ ଗଠିତ ପ୍ରତିନିଧିମଣ୍ଡଳୀ ଆମେରିକା, ବ୍ରିଟେନ ଏବଂ ଅନେକ ଇସଲାମିକ ଦେଶ ସମେତ ପାଞ୍ଚ କିମ୍ବା ଛଅଟି ଦେଶ ଗସ୍ତ କରିବେ। ଏହି ପ୍ରତିନିଧିମଣ୍ଡଳୀମାନେ ରାଷ୍ଟ୍ରମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଏହି ଅଭିଯାନ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ ଏବଂ ଆତଙ୍କବାଦ ବିରୁଦ୍ଧରେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବେ।