ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ଯୁବକଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିବା ମାମଲା

ମହିଳାଙ୍କ ସହ ଅନୈତିକ ସମ୍ପର୍କ ହେଲା କାଳ!

ପରକୀୟା ପ୍ରୀତିରୁ  ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ସ୍ବାଧୀନ ବିରୁଆ ଓରଫ ଶତ୍ରୁଘ୍ନ ବିରୁଆ ଓରଫ ଶତୁରାକୁ ହତ୍ୟା କରାଯାଇଛି ବୋଲି  ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର….

ଭୁବନେଶ୍ବର/ ମେଣ୍ଢାଶାଳ ୨୭-୧୧-୨୦୨୫(ଏସ.ଏମ ) :  ରକୀୟା ପ୍ରୀତିରୁ ଯାଜପୁରଜିଲ୍ଲା ବଡ଼ଚଣା ଅଞ୍ଚଳର ସ୍ବାଧୀନ ବିରୁଆ ଓରଫ ଶତ୍ରୁଘ୍ନ ବିରୁଆ ଓରଫ ଶତୁରାକୁ ହତ୍ୟା କରାଯାଇଛି ବୋଲି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା କହିଛନ୍ତି। ହତ୍ୟା ମାମଲାରେ ପୁଲିସ ମହିଳାଙ୍କ ସ୍ବାମୀ ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଗୋଡ଼ିବାରି ଅଞ୍ଚଳର ବାହାଦୁଲା ବାନ୍ଦ୍ରା ଓରଫ ପଣ୍ଡା(୨୬), ରୂପା ପିଙ୍ଗୁଆ ଓରଫ ଲାଲା(୨୬), ପୀତାମ୍ବର କାନ୍‌କେଲ୍‌ ଓରଫ ବେତାଳିଆ(୨୨), ନବ ତିରିଆ(୨୫) ଓ ଗୁଲ୍‌ଟୁ ହେମ୍ବ୍ରମ ଓରଫ ବିକା(୨୫)। ପୁଲିସ ସେମାନଙ୍କ ନିକଟରୁ ବାଇକ୍‌, ମୋବାଇଲ୍‌ ଏବଂ ହତ୍ୟାରେ ବ୍ୟବହୃତ ପଥର ଜବତ କରିଛି।

ପଥରରେ ଛେଚି, ତଣ୍ଟିଚିପି ସ୍ବାମୀ କରିଥିଲା ହତ୍ୟା, ୫ ଗିରଫ

ବ୍ୟବଚ୍ଛେଦ ରିପୋର୍ଟ ଖୋଲିଥିଲା ଗୁମର

ମହିଳାଙ୍କ ସହ ଅନୈତିକ ସମ୍ପର୍କ ହେଲା କାଳ। ରାତି ଅଧରେ ସ୍କୁଟି ନେବା ପାଇଁ ଅସିବା ସମୟରେ ପଥରରେ ଛେଚି ହତ୍ୟା କଲେ। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜଙ୍ଗଲରେ ଫିଙ୍ଗଦେଲେ। ଚନ୍ଦକା ଥାନା ଜଙ୍ଗଲ ଅଞ୍ଚଳରେ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ସ୍ବାଧୀନ ବିରୁଆ ଓରଫ ଶତ୍ରୁଘ୍ନ ବିରୁଆ ଓରଫ ଶତୁରାକୁ ହତ୍ୟା ମାମଲାରେ ଏଭଳି ଚାଞ୍ଚଲ୍ୟକର ବୟାନ ପୁଲିସ ହାତରେ ଲାଗିଛି। ମାମଲାରେ ପୁଲିସ ମହିଳାଙ୍କ ସ୍ବାମୀ ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଗୋଡ଼ିବାରି ଅଞ୍ଚଳର ବାହାଦୁଲା ବାନ୍ଦ୍ରା ଓରଫ ପଣ୍ଡା(୨୬), ରୂପା ପିଙ୍ଗୁଆ ଓରଫ ଲାଲା(୨୬), ପିତାମ୍ବର କାନ୍‌କେଲ୍‌ ଓରଫ ବେତାଳିଆ(୨୨), ନବ ତିରିଆ(୨୫) ଓ ଗୁଲ୍‌ଟୁ ହେମ୍ବ୍ରମ ଓରଫ ବିକା(୨୫)। ପୁଲିସ ସେମାନଙ୍କ ନିକଟରୁ ବାଇକ୍‌, ମୋବାଇଲ୍‌ ଏବଂ ହତ୍ୟାରେ ବ୍ୟବହୃତ ପଥର ଜବତ କରିଛି। ତେବେ ଏମାନେ କିଭଳି ଯୁବକଙ୍କୁ ହତ୍ୟା କରିଥିଲେ? କେମିତି ଧରାପଡ଼ିଲେ? ଏନେଇ ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଯୋଗଦେଇ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛନ୍ତି।

ସୂଚନା ମୁତାବକ, କିଛିଦିନ ହେବ ଶତୁରା ଭୋଳା ଅଞ୍ଚଳର ଜଣେ ଟେଣ୍ଟ ମାଲିକଙ୍କ ନିକଟରେ କାମ କରୁଥିଲା। ତେବେ ଗତ ୨୩ ତାରିଖ ଅପରାହ୍ଣ ସମୟରେ ସେ କାମ ଥିବା କହି ମାଲିକଙ୍କ ସ୍କୁଟି ନେଇ ଚାଲିଆସିଥିଲା। ଏହାପରେ ଗୋଡ଼ିବାରି ଅଞ୍ଚଳକୁ ଯାଇ ସେଠାକାର ଜଣେ ମହିଳାଙ୍କୁ ସ୍କୁଟିରେ ବସାଇ ନିକଟରେ ଥିବା ସୀତା ହୁର ହାଣ୍ଡିଆ ଦୋକାନକୁ ଯାଇଥିଲେ। ଉଭୟ ହାଣ୍ଡିଆ ପିଇବା ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ନିକଟ ଜଙ୍ଗଲକୁ ଯାଇଥିଲେ। ହେଲେ ଏହି ସମୟରେ କିଛି ସ୍ଥାନୀୟଲୋକ ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖି ପାଟିକରିବାରୁ ଶତୁରା ଅର୍ଦ୍ଧ ନଗ୍ନ ଅବସ୍ଥାରେ  ସ୍କୁଟି, ଚପଲ, ମୋବାଇଲ୍‌ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲା। ମହିଳା ଜଣଙ୍କ ଲୋକଙ୍କୁ ଭ୍ରମିତ କରିବା ପାଇଁ ଅଭିନୟ କରିଥିଲେ। କହିଥିଲେ ଯେ ମୋତେ ସେ ବଳପୂର୍ବକ ଏଠାକୁ ନେଇଆସିଥିଲା। ଏହି ସମୟରେ ସେହି ରାସ୍ତା ଦେଇ ମହିଳାଙ୍କ ସ୍ବାମୀ ଟ୍ରାକ୍ଟରରେ ଆସୁଥିବା ବେଳେ ଗହିଳ ଦେଖି ଅଟକିଯାଇଥିଲେ। ଆଉ ତାଙ୍କ ପତ୍ନୀ କାନ୍ଦୁଥିବା ଦେଖି ସେଠାକୁ ଯାଇ ପଚରା ଉଚରା କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ରକ୍ତମୁଖା ହୋଇଥିଲେ। ମହିଳାଙ୍କ ସ୍ବାମୀ ନିଜର ସାଙ୍ଗମାନଙ୍କୁ ଧରି ଜଙ୍ଗଲ ଅଞ୍ଚଳରେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଶତୁରାକୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖିଥିଲେ ବି ସେ ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା।

ଗିରଫ ୫ ଅଭିଯୁକ୍ତ ଶତୁରାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ତେଣୁ ସେମାନେ ଫେରିଆସି ଶତୁରାର ସ୍କୁଟି ଓ ମୋବାଇଲ୍‌କୁ ନେଇଯାଇଥିଲେ। ମହିଳାଙ୍କ ସ୍ବାମୀ ସ୍କୁଟି ଓ ମୋବାଇଲ୍‌କୁ ନିଜ ପାଖରେ ରଖିଥିଲେ। ଶତୁରା ଆସିବା ପାଟକୁ ଜଗି ରହିଥିଲେ। ରାତି ପାଖାପାଖି ୧୨ଟା ସମୟରେ ଶତୁରା ସ୍କୁଟି ପାଇଁ ଆସିଥିବା ବେଳେ ୫ ଅଭିଯୁକ୍ତ ତାଙ୍କୁ ଅଟକାଇ ନିସ୍ତୁକ ମାଡ଼ମାରିଥିଲେ। ମହିଳାଙ୍କ ସ୍ବାମୀ ସେଠାରେ ଥିବା ଏକ ପଥର ଉଠାଇ ତାଙ୍କ ମୁହଁରେ ଛେଚି ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ। ଏହାପରେ ୫ ଅଭିଯୁକ୍ତ ମୃତଦେହକୁ ବାଇକ୍‌ରେ ଧରି ଗୋଡ଼ିବାରି ନିକଟ ଜଙ୍ଗଲରେ ଫୋପାଡ଼ି ପତ୍ର ଘୋଇଦେଇଥିଲେ। ତାଙ୍କ ସ୍କୁଟିକୁ ମୃତଦେହ ଠାରୁ ମାତ୍ର ୧୦୦ ମିଟର ଦୂରରେ ରଖି ଚାଲିଆସିଥିଲେ।

ପରଦିନ ଅର୍ଥାତ ଅପରାହ୍ଣ ପାଖାପାଖି ୧ଟା ସମୟ କେହି ଜଣେ ଯୁବକ ଜଙ୍ଗଲରେ ମୃତ ଅବସ୍ଥାରେ ପଡ଼ିରହିବା ଲୋକ ଦେଖି ପୁଲିସକୁ ଜଣାଇଥିଲେ। ଖବରପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ଛାନବିନ ଆରମ୍ଭ କରିଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଥିଲା। କାରଣ ପ୍ରଥମେ ଏହା ହତ୍ୟା ବୋଲି ଜଣାପଡ଼ିନଥିଲେ ବି ଯୁବକଙ୍କ ମୃତ୍ୟୁ ସନ୍ଦେହଜନକ ଥିଲା। ଯେହେତୁ ସେ ନିଶା ଖାଇଥିବା ଜଣାପଡ଼ିଥିଲା। ତେଣୁ ବିଶାକ୍ତ ମଦ ଯୋଗୁଁ ମୃତ୍ୟୁ‌ ହୋଇଥାଇପାରେ; ସେ ଦିଗରେ ପୁଲିସ ତଦନ୍ତ କରିଥିଲା। ସମାନ୍ତରାଳ ଭାବେ ପୁଲିସ ଗାଁ, ଦୋକାନୀ, ପ୍ରତ୍ୟେକ୍ଷଦର୍ଶୀଙ୍କୁ ମିଶାଇ ୫୦ରୁ ଅଧିକଙ୍କୁ ପଚରା ଉଚରା କରିଥିଲା। ୨ଦିନ ଧରି ମାରାଥନ ଜେରା ପରେ ପୁଲିସ ହତ୍ୟା ସମ୍ପର୍କରେ ସୁରାକ ପାଇଥିଲା। ଆଉ ଏହା ଭିତରେ ପୁଲିସ ହାତରେ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଲାଗିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା ନେଇ ସ୍ପଷ୍ଟ ହେବା ପରେ ପୁଲିସ ଅଧିକ ଖୋଳତାଡ଼ କରି ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କୁ ଜେରା ବେଳେ ହତ୍ୟା କରିଥିବା ନେଇ ସତ ଓଗାଳିଥିଲେ। ପରେ ପୁଲିସ ଅପମୃତ୍ୟୁ ମାମଲାରୁ ହତ୍ୟା ମାମଲା ରୁଜୁକରି ଆଜି ୫ ଅଭିଯୁଙ୍କୁ କୋର୍ଟ ଚାଲାଣ କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *