ଅପରାଧରାଜ୍ୟ

ଯୁବତୀଙ୍କ ଗଳିତ ଶବ ଜବତ

୩ମାସ ପରେ ପର୍ଦ୍ଦାଫାସ 

ଯୁବତୀଙ୍କ ଗଳିତ ଶବ ଜବତ ମାମଲା: ପ୍ରେମିକ ମାରି ଫୋପାଡ଼ିଥିଲା

ଚଳିତ ବର୍ଷ ଜାନୁଆରି ୨୮ ତାରିଖ ଦିନ ଧଉଳି ଥାନା ପୁଲିସ ଦୟାନଦୀ ଲିଙ୍ଗିପୁର ପଠାରୁ ଜବତ କରିଥିଲା ଜଣେ ଯୁବତୀଙ୍କ ଗଳିତ ମୃତଦେହ। ଆରମ୍ଭରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲେ ହେଁ ସେତେବେଳେ ଯୁବତୀଙ୍କ ପରିଚୟ ମିଳିବା ସମ୍ଭବ ନ ହେବାରୁ ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି ହୋଇଥିଲା।

ଧଉଳି/ଭୁବନେଶ୍ୱର ୧୧-୦୪-୨୦୨୫( ଏସ.ଏମ ) : ଳିତ ବର୍ଷ ଜାନୁଆରି ୨୮ ତାରିଖ ଦିନ ଧଉଳି ଥାନା ପୁଲିସ ଦୟାନଦୀ ଲିଙ୍ଗିପୁର ପଠାରୁ ଜବତ କରିଥିଲା ଜଣେ ଯୁବତୀଙ୍କ ଗଳିତ ମୃତଦେହ। ଆରମ୍ଭରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲେ ହେଁ ସେତେବେଳେ ଯୁବତୀଙ୍କ ପରିଚୟ ମିଳିବା ସମ୍ଭବ ନ ହେବାରୁ ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି ହୋଇଥିଲା। କିନ୍ତୁ ୩ମାସର କସରତ ପରେ ପୁଲିସ ଏହି ଜଘନ୍ୟ ତଥା ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ଯୁବତୀଙ୍କ ପରିଚୟ ଖୋଜି ବାହାର କରିବା ସହ ତାଙ୍କୁ ହତ୍ୟା କରିଥିବା ଜଣେ ଜେଲ୍‌ ଫେରନ୍ତା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ବାନ୍ଧିଛି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବରୁ ଦୁଇ ଦୁଇ ଥର ଜେଲ୍‌ ଯାଇଥିବା ଏହି ପେସାଦାର ଅପରାଧୀ ହେଲା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କଥକୋଟ ଗ୍ରାମର ଚନ୍ଦନ ପରିଡ଼ା ଓରଫ ମଙ୍ଗୁ(୨୭)। ମୃତ ଯୁବତୀ ହେଲେ କନ୍ଧମାଳର ସ୍ନେହା ବେହେରା ଓରଫ ଅପର୍ଣ୍ଣା(୩୦)। ଧଉଳି ଓ ଖଣ୍ଡଗିରି ଥାନା ପୁଲିସର ବୈଷୟିକ କୌଶଳଯୁକ୍ତ ତଦନ୍ତ ମଙ୍ଗୁର ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ଗୁମର ଖୋଲିଛି। ଆଜି ମଙ୍ଗୁ ଦୟାନଦୀ ପଠାରେ ହତ୍ୟାକାଣ୍ଡର ସିନ୍‌ ରିକ୍ରି‌ଏସନ୍‌ କରିବା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି।

ଗୁମର ଖୋଲିଲା ଖଣ୍ଡଗିରି ଥାନା ନିଖୋଜ ମାମଲା

ଆଜି ସିପି ଏସ୍‌ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ‌ରେ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ଉପରେ ସୂଚନା ଦେଇଥିଲେ। ଏଥିପାଇଁ ସେ ଖଣ୍ଡଗିରି ଥାନା ପୁଲିସକୁ ଶ୍ରେୟ ଦେଇଥିଲେ। ତାଙ୍କ ସୂଚନାନୁସାରେ ସେହି ମାସ ୧୭ ତାରିଖରେ କନ୍ଧମାଳର ବନିତା ଦିଗାଲ ଖଣ୍ଡଗିରିରେ ଥାନାରେ ସ୍ନେହାଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ। ବରମୁଣ୍ଡା ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ସ୍ନେହା ୧୦ ତାରିଖରୁ ମିଳୁନାହାନ୍ତି ବୋଲି ବନିତା ଅଭିଯୋଗ କରିଥିଲେ। ଖଣ୍ଡଗିରି ଥାନା ପୁଲିସ ନିଖୋଜ ମାମଲା ରୁଜୁ କରି ସ୍ନେହାଙ୍କୁ ଖୋଜୁଥିଲା। ମାତ୍ର ମୋବାଇଲ୍‌ ଟ୍ରାକିଂରୁ ପୁଲିସକୁ ସଫଳତା ମିଳିନଥିଲା। ସେପଟେ ୨୮ ତାରିଖରେ ଧଉଳି ଥାନା ପୁଲିସ ଦୟାନଦୀର ଲିଙ୍ଗିପୁର ପଠାରୁ ଜଣେ ମହିଳାଙ୍କ ଗଳିତ ଶବ ପାଇଥିଲା। କିନ୍ତୁ ମୃତ‌ଦେହ ଏମିତି ପଚିଯାଇଥିଲା ଯେ କୌଣସିମତେ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରିଣୀ ବନିତାଙ୍କୁ ନେଇ ଧଉଳି ଯାଇଥିଲେ ହେଁ ସେ ସ୍ନେହାଙ୍କ ଶବ ଚିହ୍ନି ପାରିନଥିଲେ। କିନ୍ତୁ ଖଣ୍ଡଗିରି ଥାନା ପୁଲିସ ଏହି ମାମଲାର ପିଛା ଛାଡ଼ିନଥିଲା। ସ୍ନେହାଙ୍କ ମୋବାଇଲ୍‌ ନମ୍ବରକୁ ବାରମ୍ବାର ଟ୍ରାକ୍‌ କଲାପରେ ଜଣାପଡ଼ିଲା ଯେ ୧୦ ତାରିଖ ଦିନ ସ୍ନେହାଙ୍କ ମୋବାଇଲ ନମ୍ବର ଓ ଅଭିଯୁକ୍ତ ମଙ୍ଗୁର ନମ୍ବର ଧଉଳି ଶାନ୍ତିସ୍ତୂପରୁ ଦୟାନଦୀ ଲିଙ୍ଗିପୁର ପଠା ପର୍ଯ୍ୟନ୍ତ ସକ୍ରିୟ ରହିଛି। କିନ୍ତୁ ସେତେବେଳକୁ ମଙ୍ଗୁ ଥିଲା ପୁଲିସ ପାଇଁ ପୂରାପୁରି ଅଜଣା। କିନ୍ତୁ ଏହାପରେ ଧଉଳି ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଭାବେ ମୋବାଇଲ୍‌ ଟ୍ରାକ୍‌ କରି ମଙ୍ଗୁ ନିକଟରେ ପହଞ୍ଚି ଯାଇଥିଲେ ଏବଂ ଘଟଣାର ଗୁମର ଖୋଲିଯାଇଥିଲା।

ଫେସବୁକ୍‌ ପ୍ରେମର ପରିଣତି
ସ୍ନେହା ଓ ମଙ୍ଗୁ ମଧ୍ୟରେ ଫେସ୍‌ବୁକ୍‌ ଜରିଆରେ ବନ୍ଧୁତା ହୋଇଥିଲା। ମଙ୍ଗୁ ବରମୁଣ୍ଡା ଅଞ୍ଚଳରେ ଏକ ହୋଟେଲ୍‌ରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲା ଏବଂ ସ୍ନେହା ଏକ ଧୂପକାଠି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ପ୍ରାୟ ବର୍ଷେ କାଳ ସେମାନଙ୍କ ମଧ୍ୟରେ ନିବିଡ଼ି ସମ୍ପର୍କ ରହିଥିଲା। କିନ୍ତୁ କୌଣସି ସୂତ୍ରରୁ ସ୍ନେହା ଜାଣିବାକୁ ପାଇଲେ ଯେ ପ୍ରେମିକ ମଙ୍ଗୁ ପୂର୍ବରୁ ଦୁଷ୍କର୍ମ ଓ ହତ୍ୟା ଭଳି ଦୁଇ ଦୁଇଟି ମାମଲାରେ ଜେଲ୍‌ ଯାଇଛି ଏବଂ ଜାମିନରେ ମୁକୁଳିଛି। ତେଣୁ ସେ ଧୀରେଧୀରେ ମଙ୍ଗୁଠାରୁ ଦୂରେଇବାକୁ ଲାଗିଲେ। ଏହା ଭିତରେ ମଙ୍ଗୁ ମଧ୍ୟ ଲକ୍ଷ୍ୟ କଲା ଯେ ସ୍ନେହା ଅନ୍ୟ ଜଣେ ଯୁବକଙ୍କ ସହ ବେଶି ସମୟ ମୋବାଇଲ୍‌ରେ କଥା ହେଉଛନ୍ତି। ତେଣୁ କାଳବିଳମ୍ବ ନକରି ସ୍ନେହାଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଲା। ମାତ୍ର ସ୍ନେହା ରୋକ୍‌ଠୋକ ମନା କରିଦେଲେ। ଏଥର ମଙ୍ଗୁ ଭିତରର ପିଶାଚ ପୁଣି ଚେଇଁ ଉଠିଲା। ତା’ର ହେଲାନି ତ ସ୍ନେହା ଅନ୍ୟ କାହାର ହୋଇପାରିବନି ବୋଲି ସେ ନିଷ୍ପତ୍ତି ନେଲା। କଥା ଛଳରେ ସେ ୧୦ ତାରିଖ ଦିନ ସ୍ନେହାଙ୍କୁ ଧଉଳି ବୁଲିବାକୁ ଡାକିନେଇଥିଲା ଏବଂ ସେଠାରୁ ବାସୁଆଘାଇ ଦିଗରେ ଦୟାନଦୀ ଲିଙ୍ଗିପୁର ପଠାକୁ ନେଇ ମାରିଦେଇଥିଲା। ଚୁନ୍‌ରିରେ ସ୍ନେହାଙ୍କ ବେକକୁ ଭିଡ଼ି ହତ୍ୟା କରିବା ପରେ ଏକ ଘଞ୍ଚ ବଣଭିତରକୁ ଫୋପାଡ଼ି ଦେଇଥିଲା।

୩ମାସ ପରେ ପର୍ଦ୍ଦାଫାସ

କୁଜଙ୍ଗ ଥାନାରେ ୨ ଦୁଷ୍କର୍ମ ଓ ହତ୍ୟା ମାମଲା
ମଙ୍ଗୁ ଜଣେ ଯୌନପିପାସୁ ବୋଲି ଜଣାପଡ଼ିଛି। କୁଜଙ୍ଗ ଥାନାରେ ତା’ ନାଁରେ ୨ଟି ଦୁଷ୍କର୍ମ ଓ ହତ୍ୟା ମାମଲା ରହିଛି। ଏହି ମାମଲ‌ାରେ ସେ ୨ ବର୍ଷ ଜେଲ୍‌ରେ ରହିଛି। ଏହାପରେ ଜାମିନରେ ଆସି ଭୁବନେଶ୍ବରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। କୁଜଙ୍ଗ ଥାନା କେସ୍‌ ନଂ ୧୪୩/୨୦୧୩ ରେ ଦଫା ୩୪୧/୩୨୩/୩୭୬/୩୦୨ରେ ଗୋଟିଏ ମାମଲା ରହିଛି। ସେହିଭଳି ଏହାର ୩ ବର୍ଷ ପରେ କେସ୍ ନଂ ୨୧୩/୨୦୧୬ରେ ଦଫା ୩୬୩/୩୭୬/ ୩୦୨ ଦଫାରେ ଅନ୍ୟ ମାମଲା ରହିଛି। କିଶୋର ବୟସରୁ ମଙ୍ଗୁ ଜଣେ ଅପରାଧୀ ବୋଲି ପୁଲିସ କହିଛି।

ପୁଲିସକୁ ଭୁଆଁ ବୁଲାଇ ବନ୍ଧାହୋଇଛି ଅନ୍ୟ ଜଣେ
ଏହି ମାମଲାରେ ଧଉଳି ପୁଲିସକୁ ଭୁଆଁ ବୁଲାଇ ପୂର୍ବରୁ ଅନ୍ୟ ଜଣେ ଗିରଫ ହୋଇଛି। ସେ ହେଲା ଚନ୍ଦନପୁର ଥାନା ପୁଟା ଗାଁର ମିଟୁ ପରିଡ଼ା(୨୫)। ରୋଚକ କଥା ହେଉଛି ମିଟୁ ତା’ର ପ୍ରେମିକାଙ୍କ ସ୍ବାମୀକୁ ଏହି ହତ୍ୟା ମାମଲାରେ ଫସାଇବାକୁ ଯୋଜନା କରିଥିଲା। ତେଣୁ ଅପରିଚିତ ଗଳିତ ଶବ ନିକଟରେ ତା ପ୍ରେମିକାର ସ୍ବାମୀ ରମେଶ ସାହୁଙ୍କ ପର୍ସ ଓ ଆଧାରକାର୍ଡ କପି ଫୋପାଡ଼ି ଦେଇଥିଲା। ପୁଲିସ ଏସବୁ ପାଇବା ପରେ ଆଧାରକାର୍ଡରୁ ଠିକଣା ନେଇ ଯାଜପୁର କାଳିଆପାଣିରୁ ରମେଶଙ୍କୁ ଉଠାଇଥିଲା। ମାତ୍ର ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ ମିଟୁ ହିଁ ରମେଶଙ୍କୁ ଫସାଇବାକୁ ଏହି ଷଡ୍‌ଯନ୍ତ୍ର କରିଛି। ତେଣୁ ପୁଲିସ ମିଟୁକୁ ବାନ୍ଧି ଜେଲ୍‌ ପଠାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *