TOP STORIESରାଜ୍ୟ

ରକ୍ତର ହୋଲି ଖେଳୁଥିବା ମାଓ କମାଣ୍ଡର ଏବେ ରକ୍ତ ସଂଗ୍ରହ କରି ଜିବନ ବଞ୍ଚାଉଛନ୍ତି

ରକ୍ତର ହୋଲି ଖେଳୁଥିବା ମାଓ କମାଣ୍ଡର ଏବେ ରକ୍ତ ସଂଗ୍ରହ କରି ଜିବନ ବଞ୍ଚାଉଛନ୍ତି

ଏକଦା ଜଙ୍ଗଲରେ ସୁରକ୍ଷା ବାହିନୀ ସହ ଲଢ଼ୁଥିଲେ। ଗୁଳିମାଡ଼ରେ ଅନେକ ଯବାନଙ୍କ ଜୀବନ ନେଇଛନ୍ତି। ପୁଲିସ୍‌ ଇନଫର୍ମର ସନ୍ଦେହରେ ବହୁ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।

ମାଲକାନଗିରି/ଭୁବନେଶ୍ୱର ୨୨-୦୪-୨୦୨୫( ଏସ .ଏମ ) : କଦା ଜଙ୍ଗଲରେ ସୁରକ୍ଷା ବାହିନୀ ସହ ଲଢ଼ୁଥିଲେ। ଗୁଳିମାଡ଼ରେ ଅନେକ ଯବାନଙ୍କ ଜୀବନ ନେଇଛନ୍ତି। ପୁଲିସ୍‌ ଇନଫର୍ମର ସନ୍ଦେହରେ ବହୁ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ରକ୍ତର ହୋଲି ଖେଳୁଥିବା ମାଓ କମାଣ୍ଡର ପୁଲିସ୍‌ ନିକଟରେ ଆତ୍ମସର୍ମପଣ କରିବା ପରେ ସଂପୂର୍ଣ୍ଣ ବଦଳି ଯାଇଛନ୍ତି। ଲୋକଙ୍କ ସେବାକୁ ପ୍ରାଥମିକତା ଦେଉଛନ୍ତି। ତାହା ପୁଣି ରକ୍ତ ସଂଗ୍ରହ କରି। ବନ୍ଧୁକ, ମାରଣାସ୍ତ୍ର ଧରୁଥିବା ହାତ ସହାୟତା ଦିଗରେ ବଢ଼ିବା ପରେ ପ୍ରଶଂସାର ପାତ୍ର ହୋଇଛନ୍ତି ପୂର୍ବତନ ମାଓ କମାଣ୍ଡର ସୁଧୀର। ସୁଧୀରଙ୍କ ପ୍ରକୃତ ନାମ ଧନଞ୍ଜୟ ଗୋପ। ଘର କାଲିମେଳା ବ୍ଲକର ଏମ୍‌ପିଭି-୩୧ ଗାଁରେ। ପିଲାଟି ଦିନରୁ ସେ ଦୁଃଖ ଦୁର୍ଦ୍ଦଶାରେ ରହୁଥିଲେ। ମାତ୍ର ୧୫ ବର୍ଷ ବୟସରେ ୨୦୦୬ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। କାର୍ଯ୍ୟ ଦକ୍ଷତା ଯୋଗୁଁ ସେ ମିଲିସିଆରୁ ପାର୍ଟି ମେମ୍ବର ପରେ କମାଣ୍ଡର ହୋଇଥିଲେ। ୧୩ବର୍ଷ ମାଓ ସଂଗଠନରେ ରହି ଆତଙ୍କ ଖେଳାଇଥିଲେ। ତାଙ୍କ ନାଁ ଶୁଣିଲେ ଚିତ୍ରକୋଣ୍ଡା ଓ କୁଡୁମୁଲୁଗୁମ୍ମା ଅଞ୍ଚଳରେ ତାଟିକବାଟ ପଡ଼ିଯାଉଥିଲା। ୨୦୧୯ ଫେବ୍ରୁଆରି ୨୪ରେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ସୁଧୀର। ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ସୁଧୀରଙ୍କୁ ସହାୟତା ଯୋଗାଇ ଦିଆଯିବା ସହ କର୍ମ ନିଯୁକ୍ତି ଦିଆଯାଇଛି। ସୁଧୀର ମାଲକାନଗିରି ଜିଲ୍ଲା ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ସୁରକ୍ଷା କର୍ମୀ ଭାବେ କାମ କରୁଛନ୍ତି। ରକ୍ତ ସଂଗ୍ରହରେ ନିଜକୁ ନିୟୋଜିତ କରିବା ସହିତ ରକ୍ତଦାନ କରିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ରକ୍ତର ବିକଳ୍ପ ନଥିବାରୁ ସଙ୍କଟ ଦୂର କରିବା ପାଇଁ ସଭିଏଁ ସ୍ବେଚ୍ଛାକୃତ ଭାବେ ଦାନ କରିବାକୁ ସୁଧୀର କହୁଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ରକ୍ତ ସଂଗ୍ରହରେ ସହଯୋଗ କରୁଛନ୍ତି। ଲୋକଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ବୋଲି ସୁଧୀର କହିଛନ୍ତି। ନକ୍ସଲ ହୋଇ ବନ୍ଧୁକ ମୁନରେ କେବେ ମଧ୍ୟ ଲୋକଙ୍କ ସେବା ହୋଇପାରିବ ନାହିଁ। ବେକାର ଯୁବକ, ଯୁବତୀମାନେ ନକ୍ସଲଙ୍କ ମିଥ୍ୟା କଥାରେ ପଡ଼ି ନିଜ ଜୀବନକୁ ମାଟି କରନ୍ତୁ ନାହିଁ ବୋଲି ସୁଧୀର ଆଗାମୀ ପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *