ରାଜନୀତିରାଜ୍ୟ

ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ; ୮୦% ପ୍ରସ୍ତୁତି ସରିଛି: ଆଇନ ମନ୍ତ୍ରୀ

ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ; ୮୦% ପ୍ରସ୍ତୁତି ସରିଛି: ଆଇନ ମନ୍ତ୍ରୀ

ରଥଯାତ୍ରା ପାଇଁ ଚାଲିଥିବା ପ୍ରସ୍ତୁତିର ୮୦ ପ୍ରତିଶତ କାମ ସରିଛି। ଯାହା ବାକି ଅଛି, ସେଥିପାଇଁ ଯଥେଷ୍ଟ ସମୟ ଅଛି। ଗୁଣ୍ଡିଚା ପୂର୍ବରୁ ସମସ୍ତ କାମ ସରିବ। ମହାପ୍ରଭୁ ସ୍ବୟଂ ନିଜେ ନିଜର ପହଣ୍ଡି କରାନ୍ତି, ରଥ ଗଡ଼େଇଥାଆନ୍ତି। ଆମେ କେବଳ ସହଯୋଗୀର ଭୂମିକା ନିର୍ବାହ କରୁ।

ପୁରୀ/ଭୁବନେଶ୍ୱର ୧୦-୦୬-୨୦୨୫(ଏସ.ଏମ ) : ଥଯାତ୍ରା ପାଇଁ ଚାଲିଥିବା ପ୍ରସ୍ତୁତିର ୮୦ ପ୍ରତିଶତ କାମ ସରିଛି। ଯାହା ବାକି ଅଛି, ସେଥିପାଇଁ ଯଥେଷ୍ଟ ସମୟ ଅଛି। ଗୁଣ୍ଡିଚା ପୂର୍ବରୁ ସମସ୍ତ କାମ ସରିବ। ମହାପ୍ରଭୁ ସ୍ବୟଂ ନିଜେ ନିଜର ପହଣ୍ଡି କରାନ୍ତି, ରଥ ଗଡ଼େଇଥାଆନ୍ତି। ଆମେ କେବଳ ସହଯୋଗୀର ଭୂମିକା ନିର୍ବାହ କରୁ। ଯାହା ସମସ୍ୟା ଅଛି, ବିଭାଗୀୟ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆସି ସମୀକ୍ଷା କରିବେ। ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଏଥର ରଥଯାତ୍ରା ସୁରୁଖୁରୁରେ ହେବ। ଟାଉନ ହଲ୍‌ରେ ଅନୁଷ୍ଠିତ ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇ ନଥିବାରୁ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ସେବାୟତ। ପରିଚାଳନା କମିଟିର ବିନା ପରାମର୍ଶରେ କୌଣସି କାର୍ଯ୍ୟ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ରଥଯାତ୍ରାରେ ମତ ରଖିବାକୁ ପରିଚାଳନା କମିଟି ରହିଲାନାହିଁ। ବୈଠକରେ ଦାମୋଦର ମହାସୁଆର ଏ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ଶ୍ରୀ ମହାସୁଆର ଆହୁରି କହିଥିଲେ ଯେ ମହାପ୍ରଭୁଙ୍କ କୃପାରୁ ରଥଯାତ୍ରାରେ କୌଣସି ଅଘଟଣ ନଘଟୁ। କିନ୍ତୁ କିଛି ଘଟିଲେ, ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନମନ୍ତ୍ରୀ ଦାୟୀ ରହିବେ। ପରିଚାଳନା କମିଟି ସମ୍ପର୍କରେ ମତ ରଖି ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ, ମାମଲା ବିଚାରାଧୀନ ରହିଥିବାରୁ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କୋର୍ଟଙ୍କ ଅନୁମତି ନେଇ ଆମେ ଆଗେଇବୁ ।

ଶ୍ରୀମନ୍ଦିର ପରିଚାଳନା କମିଟି ନଥିବାରୁ ଅସନ୍ତୋଷ
ରଥଯାତ୍ରାରେ ମୃତ୍ୟୁକାଳୀନ ବୀମାରାଶି ୫ଲକ୍ଷ

ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ରଥଯାତ୍ରା ପାଇଁ ଚାଲିଥିବା କା ର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ରଥଯାତ୍ରାରେ ହସ୍ପିଟାଲରେ ୩ଶହ ଡାକ୍ତର ନିୟୋଜିତ ହେବେ। ଅତିରିକ୍ତ ଶଯ୍ୟାର ବ୍ୟବସ୍ଥା କରାଯିବ। ୧୫ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯିବ। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ବ୍ୟବସ୍ଥା ସହ ସ୍ବତନ୍ତ୍ର ଏଆଇ କ୍ୟାମେରା ଲଗାଯିବ। ଏଆଇ କ୍ୟାମେରା ଜାତୀୟ ସ୍ତରର ଅପରାଧୀମାନଙ୍କୁ ଚିହ୍ନଟ କରି ସତର୍କ କରାଇବ। ରଥଯାତ୍ରାରେ ଭକ୍ତଙ୍କ ଯାତାୟାତ ପାଇଁ ୩୬୫ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ। ୩୫ଟି ଅତିରିକ୍ତ ଟିକେଟ୍‌ କାଉଣ୍ଟର ଖୋଲାଯିବ। ନିୟମିତ ୧୩୦ଟି ବସ୍‌ ଯାତାୟାତ କରୁଥିବା ବେଳେ ୨୩୦ରୁ ୨୫୦ ବସ୍‌କୁ ସ୍ବତନ୍ତ୍ର ପରମିଟ୍‌ ପ୍ରଦାନ କରାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ଭକ୍ତମାନେ ଆଶ୍ରୟ ନେବା ପାଇଁ ୬ଟି ଆଶ୍ରୟସ୍ଥଳ ନିର୍ମିତ ହେବ। ଭକ୍ତଙ୍କ ପାଇଁ ମାଗଣା ଅଟୋ ବ୍ୟବସ୍ଥା କରାଯିବ।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଲେ ରଥ ନିର୍ମାଣ କାର୍ଯ୍ୟ ଆଗୁଆ ଚାଲିଛି। ରଥ ଦଉଡ଼ି ଦ୍ବନ୍ଦ୍ବର ସମାଧାନ ହୋଇଛି। ରଥ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ ସ୍ଥିର ହୋଇସାରିଛି। ଗୁଣ୍ଡିଚା ମନ୍ଦିରର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। । ଜୁନ ୨୬ରୁ ଜୁଲାଇ ୯ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ କୌଣସି ପ୍ରକାର ଅପ୍ରାକୃତିକ ଓ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ବ୍ୟକ୍ତି ପିଛା ୫ଲକ୍ଷ ଟଙ୍କା ବୀମା ରାଶି ଦେବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ସମ୍ବିତ ପାତ୍ର, ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ସୁନୀଲ ମହାନ୍ତି, ଓମ୍‌ପ୍ରକାଶ ମିଶ୍ର, ଆଶ୍ରିତ ପଟ୍ଟନାୟକ, ଉପାସନା ମହାପାତ୍ର, ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ସଭାପତି ସ୍ବପ୍ନାରାଣୀ ସ୍ବାଇଁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ପୂର୍ତ୍ତ ଓ ଆଇନ ପ୍ରମୁଖ ସଚିବ ସଂଜୟ ସିଂହ, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହ, ସ୍ବାସ୍ଥ୍ୟ ସଚିବ ଏସ୍‌. ଅଶ୍ବସ୍ତି, ପରିବହନ କମିସନର୍‌ ଅମିତାଭ ଠାକୁର, ଏଡିଜି ଆଇନଶୃଙ୍ଖଳା ସଂଜୟ କୁମାର, ଆଇଜି ସେଣ୍ଟ୍ରାଲ୍‌ ରେଞ୍ଜ ପ୍ରବୀଣ କୁମାର, ଆର୍‌ଡିସି ବି. ପରମେଶ୍ବରନ୍‌, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ବିନୀତ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଅବସରରେ ରାସ୍ତା ପାର୍ଶ୍ବରେ ଡ୍ରେନ୍‌ର ମୁକୁଳା ସ୍ଥିତି, ପରିମଳ ସମସ୍ୟା, ସ୍ବାସ୍ଥ୍ୟ ସମ୍ପର୍କିତ ଆହ୍ବାନ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ପୁରୀବାସୀ ଦର୍ଶନ ପାଇଁ ସ୍ବତନ୍ତ୍ର ଭାବେ କିଛି ସମୟ ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *