ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ରାଗ ପାଇଁ ଲାଗିଲା ଦାଗ

ରାଗ ପାଇଁ ଲାଗିଲା ଦାଗ

ରାଧିକା ଯାଦବ ହତ୍ୟା ଘଟଣା ବାପାଙ୍କ ଚରିତ୍ରରେ କଳଙ୍କର ଛିଟା ଲଗାଇଛି। ସେଠି ଜଣେ ସାହସ ଦେଉଥିବା ବାପା ସୈତାନ ପାଲଟିଯାଇଛି

ନୂଆଦିଲ୍ଲୀ/୧୨-୦୭-୨୦୨୫(ଏସ .ଏମ ) : ବାପା ! ପିଲାଙ୍କ ପାଇଁ ପାଚେରୀ । ସିଏ ଥିଲେ ଦୁନିଆର କିଛି ବି ବିପଦ ଛୁଇଁ ପାରିବନି । ବାପା ପିଲାଙ୍କ ପାଇଁ ବଡ଼ ଯୋଦ୍ଧା, ସନ୍ତାନଙ୍କ ପାଇଁ ସାହସ । ବାପା- ଶକ୍ତିମାନ ପୁଣି ସୁପରମ୍ୟାନ.. ବାପା – ପରିବାରର ମେରୀଖୁଣ୍ଟ, ବାପା- ଭାତ, ଛାତ, ସନ୍ଥ.. ବାପା ! ମାଟି ସହ ମାଟି ହେଉଥିବା ମଣିଷ, ବାତ୍ୟା ଆଗରେ ବିରାଟ ପାହାଡ଼ର ସାହସ, ଆବଶ୍ୟକତା ପୂରା କରୁଥିବା ଅସରନ୍ତି ଉତ୍ସ, ବିଜୟୀ ହେବାର ଉର୍ଜା.. ବାପା ଆମ ଜୀବନର ବିଶ୍ବକର୍ମା..ବାପା ଆଶାର ଆକାଶ, ସାହସର ସମୁଦ୍ର । ପାହାଡ଼ରୁ ବି ଉଚ୍ଚା ବାପାଙ୍କ ମହାନତା । କେତେ ଦୁଃଖ କଷ୍ଟ ସହି ସେ ଆମ ଭବିଷ୍ୟତ ଗଢ଼ନ୍ତି । ଆମ ସୁରକ୍ଷା କବଚ ସାଜି ସାରା ଜୀବନ ସୁରକ୍ଷା ଦିଅନ୍ତି ।

ହେଲେ ଗୁରୁଗ୍ରାମର ରାଧିକା ଯାଦବ ହତ୍ୟା ଘଟଣା ବାପାଙ୍କ ଚରିତ୍ରରେ କଳଙ୍କର ଛିଟା ଲଗାଇଛି । ସେଠି ଜଣେ ସାହସ ଦେଉଥିବା ବାପା ସୈତାନ ପାଲଟିଯାଇଛି । ଯେଉଁ ବାପାର ହାତ ଧରି ଝିଅ ବଡ଼ ମଣିଷ ହୋଇଛି ସେହି ବାପା ତା ଜୀବନ ନେଇଛି । ସେଠି ଜନ୍ମଦାତା ଯମ ପାଲଟିଯାଇଛି । ଝିଅକୁ ହତ୍ୟା କରି ଜଣେ ବାପା ହତ୍ୟାକାରୀ ପାଲଟିଯାଇଛି । କାରଣ କଣ ଜାଣନ୍ତି- ସାମାନ୍ୟ ରାଗ ପାଇଁ, ସାମାନ୍ୟ ଟାହି ଟାପରା ପାଇଁ.. ଗାଁ ଲୋକେ ଗିରା ହୁଆ ବାପ୍’ କହିଲେ ବୋଲି ରାଗରେ ସଫଳତା ଶିଢି ଚଢୁଥିବା ଗୋଟେ ଝିଅକୁ ଗୁଳି କରି ହତ୍ୟା କରିବା ସହ ୨୫ ବର୍ଷୀୟା ଟେନିସ ଖେଳାଳି ଝିଅର ସବୁ ସ୍ବପ୍ନକୁ ହତ୍ୟା କରିଛି ଏ ସୈତାନ ବାପା ।

ଗୁରୁଗ୍ରାମ ହତ୍ୟା ପରେ ହତ୍ୟାକାରୀ ଦୀପକ ଯାଦବକୁ ବାପା କହିବାକୁ ବି ଲାଜ ଲାଗୁଛି, ବାପା ଡାକିବାକୁ ବି ଡର ଲାଗୁଛି । ଉକ୍ତ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଦୁନିଆର ସବୁ ପିଲା ନିଜ ବାପାଙ୍କୁ ସନ୍ଦେହ ଆଖିରେ ନଦେଖନ୍ତୁ । କାରଣ ଦୁନିଆର ସବୁ ବାପାମାନେ ଏ ଦୀପକ ପରି ସୈତାନ ନୁହେଁ । ଯିଏ ନିଜର ରାଗ ପାଇଁ ଝିଅ ସହ ରକ୍ତର ହୋଲି ଖେଳିବ ।

ରାଧିକାକୁ କାହିଁକି ହତ୍ୟା କଲା ସୈତାନ ବାପା ?

ହରିୟାଣାର ୨୫ ବର୍ଷୀୟା ରାଧିକା ପିଲାଦିନରୁ ସର୍ବଗୁଣ ସମ୍ପନ୍ନା ଝିଅଟି ନିଜ ପରିବାର ସହ ନିଜ ରାଜ୍ୟର ମଧ୍ୟ ନାଁକୁ ଉଜ୍ଜ୍ୱଳ କରିବାରେ ଲାଗିଥିଲା । ରାଧିକା ଯାଦବ ହରିୟାଣାର ଜଣେ ଉଦୀୟମାନ ଟେନିସ୍ ଖେଳାଳି ଥିଲେ । ସେ ରାଜ୍ୟସ୍ତରରେ ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ୨୩ ମାର୍ଚ୍ଚ ୨୦୦୦ରେ ଜନ୍ମଗ୍ରହଣ କରିଥିବା ରାଧିକା ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ (ଆଇଟିଏଫ)ରେ ଡବଲ୍ସ ଟେନିସ୍ ଖେଳାଳି ଭାବରେ ୧୧୩ତମ ସ୍ଥାନରେ ଥିଲେ । ରାଧିକାଙ୍କ ବାପା ତାଙ୍କୁ ତାଙ୍କ ପୂରା କ୍ୟାରିୟରରେ ସହଯୋଗ କରିଥିଲେ। ରାଧିକାଙ୍କ ଟେନିସ୍ ଏକାଡେମି ପାଇଁ ସେ ୨ କୋଟି ଟଙ୍କା ବିନିଯୋଗ କରିଛନ୍ତି।

କିନ୍ତୁ ସେ ଜଣେ କ୍ଷଣକୋପୀ ବ୍ୟକ୍ତି। ନିଜ ଝିଅ ଏବଂ ପତ୍ନୀଙ୍କୁ ସେ ସାମାନ୍ୟ କାରଣରୁ ବି ସନ୍ଦେହ କରି ଗାଳିଗୁଲଜ କରୁଥିବା ଜଣାପଡ଼ିଛି। ସୂଚନାନୁଯାୟୀ ଦୀପକ ଅଳ୍ପଦିନ ତଳେ ତାଙ୍କ ଗାଁକୁ ଯାଇଥିଲେ । ସେଠାରେ କିଛି ଗ୍ରାମବାସୀ ତାଙ୍କୁ ‘ଗିରା ହୁଆ ବାପ୍’ କହିଥିଲେ। ଏଥିରେ ଦୀପକ ଖୁବ୍ଜୋର୍ ରାଗି ଯାଇଥିଲେ। ଘରକୁ ଫେରିବାପରେ ରାଧିକାଙ୍କ ସହ ତାଙ୍କର ବଚସା ହୋଇଥିଲା। ଦୀପକ ଏହାପରେ ଝିଅ ରାଧିକାଙ୍କୁ ଏକାଡେମି ବନ୍ଦ କରିବାକୁ କହିଥିଲେ।

କୁହାଯାଉଛି ଯେ ଦୀପକ ୩ ଦିନ କାଳ ଚିନ୍ତା କରିଥିଲେ ଯେ ଆତ୍ମହତ୍ୟା କରିବେ ନା’ ଝିଅକୁ ମାରିବେ। ଗୁରୁବାର ଦିନ ସେ ନିଜ ଝିଅକୁ ମାରିବାପାଇଁ ନିଷ୍ପତ୍ତି ନେଲେ। ଗୁରୁବାର ରାଧିକା ନିଜ ମା’ଙ୍କ ଜନ୍ମଦିନ ପାଇଁ କିଛି ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ କିଚେନ୍ ଯିବା ସମୟରେ ଦୀପକ ତାଙ୍କ ଉପରକୁ ୫ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଏଥିରୁ ୪ଟି ଗୁଳି ତାଙ୍କ ଛାତିରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *