ଅପରାଧରାଜ୍ୟ

ରାଜଧାନୀରେ ପୁଳାପୁଳା ଆଗ୍ନେୟାସ୍ତ୍ର

ରାଜଧାନୀରେ ପୁଳାପୁଳା ଆଗ୍ନେୟାସ୍ତ୍ର…

୧୦ ସେମିଅଟୋମେଟିକ୍‌ ପିସ୍ତଲ ଜବତ, କୁଖ୍ୟାତ ଚୋରା ବେପାରୀ ଗିରଫ

ଭୁବନେଶ୍ୱର ୨୮-୦୯-୨୦୨୫(ଏସ.ଏମ.) :  ମ୍ପ୍ରତି କିଛି ଦିନ ହେଲା ରାଜଧାନୀ ଭୁବନେଶ୍ବରକୁ ବନ୍ଧୁକ ‌‌ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଚାଲାଣକାରୀମାନେ ବିହାର ଓ ଗୁଜରାଟରୁ ଅତ୍ୟାଧୁନିକ ମେସିନ୍‌ ତିଆରି ବନ୍ଧୁକ ଚାଲାଣ କରୁଛନ୍ତି। ନିକଟରେ କମିସନରେଟ୍‌ ପୁଲିସ ଦୁଇ ଦୁଇଟି ମାମଲାରେ ଦେଢ଼ ଡଜନ ପିସ୍ତଲ ଜବତ କଲାଣି। ୧୭ ତାରିଖ ଦିନ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌(ଏସ୍‌ସିୟୁ) ୮ଟି ବନ୍ଧୁକ ଜବତ କରିଥିଲା। ଏକକାଳୀନ ଏତେ ପରିମାଣର ବନ୍ଧୁକ ଜବତ ହେବା ଘଟଣା ସେତେବେଳେ ରାଜଧାନୀରେ ଭୟର ବାତାବରଣ ସୃଷ୍ଟି କରିଥିଲା। କିନ୍ତୁ ଲୋକଙ୍କ ମନରୁ ସେହି ଭୟ ନ ଲିଭୁଣୁ ଆଜି ଏସ୍‌ସିୟୁ ପୁଣି ୧୦ଟି ସେମିଅଟୋମେଟିକ୍ ପିସ୍ତଲ ଜବତ କରିଛି ଏବଂ ଜଣେ କୁଖ୍ୟାତ ମାଫିଆକୁ ଗିରଫ କରିଛି। ଏବେ ପାର୍ବଣ ସମୟ ହୋଇଥିବାରୁ ପୁଳାପୁଳା ବନ୍ଧୁକ ଜବତ ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ବନ୍ଧୁକ କିଣିବାକୁ ବରାଦ କରିଥିବା ଅପରାଧୀମାନେ ପାର୍ବଣ ବେଳେ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ ବୋଲି ସନ୍ଦେହ କରାଯାଉଛି। ୧୮ଟି ବନ୍ଧୁକ ଜବତ ହୋଇଛି ସିନା ଆହୁରି କିଛି ବନ୍ଧୁକ ଅପରାଧୀଙ୍କ ହାତରେ ପହଞ୍ଚିସାରିଛି ବୋଲି ସନ୍ଦେହ କରାଯାଉଛି। ମାତ୍ର ଏପର୍ଯ୍ୟନ୍ତ ଜଣେ ବି ବନ୍ଧୁକ କିଣିବାବାଲା ଧରାପଡ଼ିନାହିଁ। ଗିରଫ ହୋଇଥିବା ଚାଲାଣକାରୀମାନଙ୍କଠାରୁ ପୁଲିସ ବନ୍ଧୁକ କ୍ରେତାଙ୍କ ନାଁ ଉଗାରିପାରିନାହିଁ। ପେସାଦାର ଚାଲାଣକାରୀମାନେ ପୁଲିସକୁ ଭୁଆଁ ବୁଲାଇ ବନ୍ଧୁକ କ୍ରେତାଙ୍କ ନାଁ ଜଣାଉନାହାନ୍ତି। ‌ତେଣୁ ଏବେ ରାଜଧାନୀ ଓ ଆଖପାଖ ଅଞ୍ଚଳର ଅପରାଧୀଙ୍କ ହାତରେ ବହୁ ପରିମାଣର ଆଗ୍ନେୟାସ୍ତ୍ର ରହିଛି ବୋଲି ଚର୍ଚ୍ଚା ହେଉଛି।

ସଫଳ ହେଲା ଅପରେସନ୍ ନଦୀମ୍‌‌
ଗତ ୧୭ ତାରିଖ ଦିନ ତିନିଜଣ ବନ୍ଧୁକ ମାଫିଆ ଧରାପଡ଼ିଥିଲେ। ଗ୍ୟାଙ୍ଗ୍‌ ମୁଖିଆ ଝାଡ଼ଖଣ୍ଡ ଲୋହାରଦାଗା ଅଞ୍ଚଳର ମହେଶ କୁମାର ଶାହା ଓରଫ ଟିପୁ ଓ ଖୋର୍ଦ୍ଧାର ୨ସହଯୋଗୀ ଧରାପଡ଼ିଥିଲେ। ସେମାନଙ୍କଠାରୁ ୮ଟି ବନ୍ଧୁକ, ୩୪ ଗୁଳି, ୧୦ଟି ମାଗାଜିନ୍‌ ଓ ୩ଟି କାର୍‌ ଜବତ କରାଯାଇଥିଲା। ସେତେବେଳେ ପୁଲିସ ଏହି ବଡ଼ଧରଣର ଚୋରା ବନ୍ଧୁକ ଚାଲାଣକୁ ନେଇ ଖୋଳତାଡ଼ କରିଥିଲା। ସେବେଠୁ ଜଗତସିଂହପୁର ନଦୀମ୍‌‌ ବାବଦରେ ପୁଲିସକୁ ସୂଚନା ମିଳିଥିଲା। ଝାଡ଼ଖଣ୍ଡୀ ଟିପୁ ସହ ନଦୀମ୍‌‌ର ଘନିଷ୍ଠ ସମ୍ପର୍କ ଥିବା ସୂଚନା ମିଳିଥିଲା। ତେଣୁ ପୁଲିସ ସେବେଠୁ ନଦୀମ୍‌ ପିଛା କରିବା ଆରମ୍ଭ କରିଥିଲା। ନିଆଳି, ବାଲିପାଟଣା ଦେଇ ନଦୀମ୍‌ ରାଜଧାନୀକୁ ଯା’ଆସ କରୁଥିବା ଜଣାପଡ଼ିବା ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ସେହିସବୁ ରାସ୍ତାରେ ଜାଲ ବିଛାଇବା ସହ ଖବରୀଙ୍କୁ ସଜାଗ କରାଇଥିଲା। ଆଜି ଭୋର୍‌ ପ୍ରାୟ ୫ଟା ସମୟରେ ଧଉଳି ରାସ୍ତାର ଏକ ନିଛାଟିଆ ସ୍ଥାନରେ ଏକ ନମ୍ବରବିହୀନ ପଲସର୍‌ ବାଇକ୍‌ ଧରି ସନ୍ଦେହଜନକ ଅବସ୍ଥାରେ ଅପେକ୍ଷା କରିଥିବା ଜଣେ ଯୁବକ ବିଷୟରେ ପୁଲିସକୁ ସୂଚନା ମିଳିଥିଲା। ତୁରନ୍ତ ପୁଲିସ ଟିମ୍‌ ତା’ ନିକଟରେ ପହଞ୍ଚି ପଚରାଉଚରା କରିବା ସହ ତାକୁ ସର୍ଚ୍ଚ କରାଯାଇଥିଲା। ତା’ ଅଣ୍ଟାରୁ ଏକ ବନ୍ଧୁକ ମିଳିଥିଲା। ପରେ ତା’ ବ୍ୟାଗ୍‌ରୁ ଆଉ ୯ଟି ବନ୍ଧୁକ ଜବତ କରାଯାଇଥିଲା। ସେତେବେଳେ ଯାଇ ଜଣାପଡ଼ିଲା ସେ ହେଉଛି ମୋଷ୍ଟୱାଣ୍ଟେଡ୍‌ ନଦୀମ୍‌‌। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ତାକୁ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରିଥିବା ଜଣାପଡ଼ିଛି।

ପୂର୍ବରୁ ପୁଲିସ ଗୁଳି ଖାଇଥିଲା ନଦୀମ୍‌
୨୦୧୯ ମସିହା ଏପ୍ରିଲ୍‌ ମାସରେ ନଦୀମ୍‌‌ ପୁଲିସ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଥିଲା। ପାଟକୁରାରେ କେନ୍ଦ୍ରାପଡ଼ା ପୁଲିସ ଓ ସ୍ପେସାଲ୍‌ ସ୍କ୍ବା‌ଡ୍ ମିଳିତ ଭାବେ ଘେରି ଯାଇ ତାକୁ ଏନ୍‌କାଉଣ୍ଟର୍‌ କରିଥିଲେ। ତା’ ନିକଟରୁ ପିସ୍ତଲ ଜବତ କରାଯାଇଥିଲା ଏବଂ ସେ ବନ୍ଧୁକ କାରବାର କରିବାକୁ ଯାଇଥିବା ବେଳେ ପୁଲିସ ଗୁଳି ଖାଇଥିଲା। ଜାମିନରେ ଆସିବା ପ‌ରେ ସେ ପୁଣି ତା’ର ପୁରୁଣା ବେପାର ଚଳାଇଥିଲା। ବିହାର, ଝାଡ଼ଖଣ୍ଡ ଓ ଗୁଜରାଟରେ ବଡ଼ ବନ୍ଧୁକ ବେପାରୀମାନଙ୍କ ସହ ନଦୀମ୍‌ ଭଲ ଜଣାଶୁଣା ଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ରାଜଧାନୀରେ କିଏ ମଗାଉଥିଲା ବନ୍ଧୁକ
ଏହି ଦୁଇ ମାମଲାରେ ପୁଲିସ ବନ୍ଧୁକ ଚାଲାଣକାରୀଙ୍କୁ ଜେଲ୍‌ ପଠାଇପାରିଛି। କିନ୍ତୁ ସେମାନେ କାହାକୁ ବିକିବାକୁ ଆସିଥିଲେ, ତାହା ଜଣାପଡ଼ିନାହିଁ। ଏହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହୋଇ ରହିଛି। ଗିରଫ ଚାଲାଣକାରୀମାନଙ୍କଠାରୁ ମିଳିଥିବା ସୂଚନା ମୁତାବକ ବନ୍ଧୁକ ସହ ମାଗାଜିନ ଓ ୬ ରାଉଣ୍ଡ ଗୁଳିକୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। କେବଳ ବନ୍ଧୁକ କିଣିଲେ ୪୦ ହଜାର ଟଙ୍କା ପଡ଼ୁଛି। ଏତେ ଦାମ୍‌ ଦେଇ କୌଣସି କୁଜି ବା ଛୋଟମୋଟ ଅପରାଧୀ ବନ୍ଧୁକ କିଣିବା ସମ୍ଭାବନା ନାହିଁ। ଏତେ ଦାମ୍‌ ଦେଇ କେବଳ ବଡ଼ବଡ଼ ଅପରାଧୀମାନେ ହିଁ ବନ୍ଧୁକ କିଣିବା ସମ୍ଭାବନା ରହିଛି। ବେଆଇନ ଭାବେ ଜମି ମାଡ଼ିବସୁଥିବା ବିଲ୍‌ଡର, ଖଣି ଓ ବାଲି ମାଫିଆମାନେ ହିଁ ଏହି ଚୋରା ବନ୍ଧୁକ କିଣୁଛନ୍ତି। ସେହିଭଳି କିଛି ଅପରାଧୀ ପତିଆରା ପ୍ରଦର୍ଶନ କରିବାକୁ ଏଭଳି ଆଗ୍ନେୟାସ୍ତ୍ର ପାଖରେ ରଖୁଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଜେଲ୍‌ରୁ ଚାଲାଣକାରୀଙ୍କୁ ରିମାଣ୍ଡରେ ଆଣି ପୁଲିସ ବନ୍ଧୁକ କ୍ରେତାଙ୍କୁ ଠାବ କରିବ ବୋଲି ଅଣ୍ଟା ଭିଡ଼ିଛି। ଏବେ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ବାଲି ଓ ଲଘୁ ଖଣିଜ ମାଫିଆ ମାତିଛନ୍ତି। ବିଶେଷକରି ଖୋର୍ଦ୍ଧା, କଟକ, ଯାଜପୁର ଓ ଜଗତସିଂହପୁରରେ ଏଭଳି ମାଫିଆ ମାଳମାଳ। ତେଣୁ ସେମାନଙ୍କ ହାତରେ ବହୁ ବନ୍ଧୁକ ପହଞ୍ଚିସାରିଛି ବୋଲି ଅନୁମାନ କରାଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *