GeneralNewsTOP STORIESଘଟଣା ଦୁର୍ଘଟଣାଦେଶ- ବିଦେଶରାଜ୍ୟସମସ୍ୟା ଭିତ୍ତିକ ଖବର

ରାଜପଥରେ ୩ ଘଣ୍ଟାର ଯନ୍ତ୍ରଣା

ଚନ୍ଦନପୁରରୁ ପତିତପାବନ…ରାଜପଥରେ ୩ ଘଣ୍ଟାର ଯନ୍ତ୍ରଣା

ଭୁବନେଶ୍ବରରୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ରାଜପଥରେ ଆସୁଥିବା ଭକ୍ତଟିଏ ଚନ୍ଦନପୁର ହୋଇଗଲେ ବା ଶ୍ରୀମନ୍ଦିର ପତିତପାବନ ବାନା ଦିଶିଗଲେ, ଉତ୍କଣ୍ଠା ବଢ଼ିଯାଏ। ଆଉ ଅଳପ ବାଟ ପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ମିଳିବ।

ପୁରୀ ୦୭-୦୭-୨୦୨୫( ଏସ.ଏମ .) :  ଭୁବନେଶ୍ବରରୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ରାଜପଥରେ ଆସୁଥିବା ଭକ୍ତଟିଏ ଚନ୍ଦନପୁର ହୋଇଗଲେ ବା ଶ୍ରୀମନ୍ଦିର ପତିତପାବନ ବାନା ଦିଶିଗଲେ, ଉତ୍କଣ୍ଠା ବଢ଼ିଯାଏ। ଆଉ ଅଳପ ବାଟ ପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ମିଳିବ। ହେଲେ ଚନ୍ଦନପୁରରୁ ଆଜି ଭକ୍ତ ଯନ୍ତ୍ରଣା ପାଇଥିଲେ। ଚନ୍ଦନପୁରରୁ ପୁରୀ ପହଞ୍ଚିବାକୁ ଲାଗି ଯାଇଥିଲା ୩ ଘଣ୍ଟା। ସେଥିରେ ବି ଦୁଃଖ ସରି ନଥିଲା। ସବୁ ପାର୍କିଂ ସ୍ଥଳ ଭର୍ତ୍ତି ହୋଇ ଯାଇଥିବାରୁ ପାର୍କିଂ ଜାଗା ଖୋଜିଖୋଜି ଘଣ୍ଟାଏ ବିତି ଯାଇଥିଲା। ବେଆଇନ ଭାବରେ ରାସ୍ତା କଡ଼ରେ ଗାଡ଼ି ରଖି ଚାଲି ଚାଲି ରଥ ପାଖରେ ପହଞ୍ଚିବା ବେଳକୁ ଆଉ ଘଣ୍ଟାଏ। ଯିଏ ବ୍ୟାଟେରି ଅଟୋରେ ଆସିଲା, ସିଏ ବି ଫସିଥିଲା। ପୁଲିସ ବ୍ୟାରିକେଡ୍‌କୁ ଉପେକ୍ଷା କରି ଗଳିକନ୍ଦିରେ ପଶିଯିବାରୁ ଅଧିକାଂଶ ଗଳିକନ୍ଦି ମଧ୍ୟ ଜାମ୍‌ ହୋଇଯାଇଥିଲା। ଏଭଳି ଏକ ଶୋଚନୀୟ ସ୍ଥିତିରେ ତ୍ରାହି ତ୍ରାହି ଡାକିଥିଲେ ଭକ୍ତ। ଭିଡ଼ ନିୟନ୍ତ୍ରଣ କରିବା ପରିବର୍ତ୍ତେ ପୁଲିସ ହାତ ଟେକି ଦେଇଥିଲା। କୌଣସି ପାସ୍‌ କାମ କରିବ ନାହିଁ ବୋଲି ଆଜି ପୂର୍ବାହ୍‌ଣରେ ହଠାତ୍‌ ପୁଲିସ ଘୋଷଣା କରିଥିଲା। ସବୁ ପାର୍କିଂସ୍ଥଳ ଭର୍ତ୍ତି ହୋଇ ଯାଇଥିବାରୁ ମାଳତିପାଟପୁରରୁ ଆଉ କୌଣସି ଗାଡ଼ିକୁ ସିଧା ରାଜପଥରେ ଛଡ଼ାଯିବ ନାହିଁ ବୋଲି ଘୋଷଣା କରିଥିଲା। ମାଳତିପାଟପୁରରେ ପାସ୍‌ଧାରୀ ସହର ଭିତରକୁ ଆସିବାକୁ ଜିଦ୍‌ କରିଥିଲେ। ଫଳରେ ମାଳତୀପାଟପୁରଠାରେ ହିଁ ସବୁଠାରୁ ଅଧିକ ବିଶୃଙ୍ଖଳା ହୋଇଥିଲା। ପୁଲିସ ନିଜଆଡ଼ୁ ସୂଚନା ଦେଇଥିଲା ଯେ ଭକ୍ତ ପୁରୀ ଆସୁଥିଲେ ରାଜପଥରେ ଏକଘଣ୍ଟା ଅପେକ୍ଷା କରିବାକୁ ହେବ। ବାସ୍ତବରେ ଭକ୍ତ ୩ ଘଣ୍ଟାରୁ ୪ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥିଲେ। ରାସ୍ତାରେ ୩ ଘଣ୍ଟା ଧରି ଫସିଥିବା ଭୁବନେଶ୍ବରର ଉମାକାନ୍ତ ସ୍ବାଇଁ କହିଛନ୍ତି, ମାଳତିପାଟପୁରରେ ଯେଉଁଠି ପୁଲିସ ବ୍ୟାରିକେଡ୍‌ କରି ଗତିପଥ ବଦଳାଉଥିଲା ସେଠାରେ ପାସ୍‌ଧାରୀ ପହଞ୍ଚି ସିଧାଯିବାକୁ ଯୁକ୍ତି କରୁଥିଲେ। ଫଳରେ ବିଳମ୍ବ ହେଉଥିଲା। ଥରେ ଭିଡ଼ ଭିତରେ ଗାଡ଼ି ପଶିଗଲେ ଆଉ ପଛକୁ ଫେରି ବାମପଟ ପୁରୀ କୋଣାର୍କ ରାସ୍ତାକୁ ଯିବା ବିଳମ୍ବ ହେଉଥିଲା। ଏହି ବ୍ୟାରିକେଡ୍‌ର କିଛି ଦୂରରେ ପୁଲିସ ଛିଡ଼ା ହୋଇ ଏହି ସୂଚନା ଦେଇଥିଲେ ହୁଏତ ଏତେ ଭିଡ଼ ହୋଇ ନଥାନ୍ତା। ଯାଜପୁରର ତପନ ମହାପାତ୍ର କହିଛନ୍ତି, ବହୁକଷ୍ଟରେ ମାଳତିପାଟପୁର ଦେଇ ତାଳବଣିଆରେ ପହଞ୍ଚିଥିଲୁ। ହେଲେ ସେଠାରେ ମଧ୍ୟ ବିଶୃଙ୍ଖଳା। ବର୍ଷାରେ ପାର୍କିଂ ଜାଗାରେ ପାଣି ଭର୍ତ୍ତି। ଗାଡ଼ି ଦବିଗଲେ ଆଉ ଉଠି ପାରୁନି। ସେଠାରୁ ଅଟୋ ଯୋଗେ ଯିବା ବେଳେ ଗଳି ଜାମ୍‌। ରାଜପଥରେ ଯାହା ଅବସ୍ଥା ଗଳିରେ ମଧ୍ୟ ସ୍ଥିତି ସମାନ। କେବଳ ପୁଲିସ ବାରିକେଡ୍‌ ଛାଡ଼ିଦେଲେ ଆଉ କେଉଁଠି ପୁଲିସ ନାହାନ୍ତି। ଯେଉଁ କେତେକ ସମ୍ଭାବ୍ୟ ରାସ୍ତା ଅଛି ତାହା କିଭଳି ଶୃଙ୍ଖଳିତ ହେବ ସେ ନେଇ କୌଣସି ବ୍ୟବସ୍ଥା କରିନାହାନ୍ତି। ସାଧାରଣ ଲୋକଙ୍କୁ ଯେଉଁଠି ସମାଧାନ ରାସ୍ତା ଦେଖାଯାଉଛି, ସେଠାରେ ବରିଷ୍ଠ ଅଧିକାରୀମାନେ କିଭଳି ହାତଟେକି ଦେଉଛନ୍ତି? ଦାୟିତ୍ବରେ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏତେ ଲୋକ ଆସିବେ ବୋଲି ଆକଳନ ନଥିଲା। ପାର୍କିଂ ଜାଗା ପୂର୍ବବର୍ଷ ତୁଳନାରେ ଅଧିକ କରାଯାଇଥିଲା। ଟ୍ରାଫିକ୍‌ ବାବଦରେ ଆମେ ଯଥେଷ୍ଟ ପୂର୍ବରୁ ସୂଚନା ଦେଇଥିଲୁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *