ରାଜ୍ୟସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ ଅବସରରେ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ଦ୍ବିତୀୟ ମା’ ବୋଲି କହିଲେ ମୁଖ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ ଅବସରରେ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ଦ୍ବିତୀୟ ମା’ ବୋଲି କହିଲେ ମୁଖ୍ୟମନ୍ତ୍ରୀ
ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟକୁ କୁପୋଷଣ ମୁକ୍ତ କରିବା ସରକାରଙ୍କ ପ୍ରାଥମିକତା ରହିଛି। ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ଏହାର ସଫଳତା ପାଇଁ ସାମୂହିକ ସଚେତନତା ଜରୁରି।
ଭୁବନେଶ୍ୱର ୨୦.୦୪.୨୦୨୫ (ଏସ .ଏମ ) : ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟକୁ କୁପୋଷଣ ମୁକ୍ତ କରିବା ସରକାରଙ୍କ ପ୍ରାଥମିକତା ରହିଛି। ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ଏହାର ସଫଳତା ପାଇଁ ସାମୂହିକ ସଚେତନତା ଜରୁରି। ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକ ସୁସ୍ଥ ଶିଶୁ ହିଁ ଉତ୍ତମ ଛାତ୍ର ଓ ଏକ ଆଦର୍ଶ ନାଗରିକ ହୋଇପାରିବ। ଶୈଶବରେ ଉପଯୁକ୍ତ ପୋଷଣ ପାଇଲେ ଶିଶୁର ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ତା’ର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ। ମାତ୍ର ଉତ୍ତମ ଖାଦ୍ୟ ବଦଳରେ ଚଟ୍ପଟି ଖାଦ୍ୟ ଖାଇବା କାରଣରୁ ପିଲାମାନେ ମୋଟା ହୋଇଯାଉଛନ୍ତି। ନୂଆ ସରକାର ପୋଷଣ ଉପରେ ଅଧିକ ଫୋକସ୍ ଦେବା ସହ ୧୦୦ କୋଟି ଟଙ୍କା ଅନୁଦାନରେ ‘ଓଡ଼ିଶା ପୁଷ୍ଟି ମିସନ’ ପ୍ରତିଷ୍ଠା କରାଯିବ। ପୋଷଣ ଅଭିଯାନରେ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଚଳିତ ବର୍ଷ ବଜେଟ୍ରେ ୨୮୪ କୋଟି ଟଙ୍କା ବରାଦ କରାଯାଇଛି। ପିଲାଙ୍କ ପୋଷଣ ଦାୟିତ୍ୱ ସହିତ ସେମାନଙ୍କୁ ପ୍ରାରମ୍ଭିକ ମୌଳିକ ଶିକ୍ଷା ଦେଉଥିବା ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ହେଉଛନ୍ତି ପିଲାଙ୍କ ପାଇଁ ଦ୍ୱିତୀୟ ମା’।
ମହିଳା ଓ ଶିଶୁ ପ୍ରତିଷ୍ଠା ସଂସ୍ଥାର ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦ୍ଘାଟିତ
୮ କୋଠାକୁ ୮ଜଣ ମହିୟସୀ ମହିଳାଙ୍କ ନାମରେ ନାମିତ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଲକ୍ଷ୍ମୀସାଗର-ଝାରପଡ଼ାସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ଉଦ୍ଘାଟନ କରିଥିଲେ। ଏହାସହ ଏକ ଲାଇବ୍ରେରି ହଲ୍ ଓ ଅଙ୍ଗନବାଡ଼ି ତାଲିମ୍ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ଏହି ପ୍ରତିଷ୍ଠାନର ୮ଟି କୋଠାକୁ ରାଜ୍ୟର ୮ଜଣ ମହିୟସୀ ମହିଳାଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି। ପ୍ରତିଷ୍ଠାନର ସମ୍ମିଳନୀ କକ୍ଷକୁ ମଧ୍ୟ ରମାଦେବୀ ସମ୍ମିଳନୀ କକ୍ଷ ନାମରେ ନାମିତ ପାଇଁ ଘୋଷଣା କରିଥିଲେ। ସେହିପରି ମହିଳା ଓ ଶିଶୁ ବିକାଶ ପ୍ରତିଷ୍ଠାନର ଅଡିଟୋରିଅମ୍ ହଲ୍କୁ ସରଳା ଦେବୀ ପ୍ରେକ୍ଷାଳୟ, ଲାଇବ୍ରେରି ହଲ୍କୁ କମଳା ପୂଜାରୀ ଗ୍ରନ୍ଥାଗାର, ଅଙ୍ଗନବାଡ଼ି ତାଲିମ୍ କେନ୍ଦ୍ରକୁ ଶୈଳବାଳା ଦାସ ପ୍ରଶିକ୍ଷଣ କକ୍ଷ, ନୂଆ ହଷ୍ଟେଲକୁ ମାଳତୀ ଚୌଧୁରୀ ନିବାସ, ଅଙ୍ଗନବାଡ଼ି କର୍ମୀ ହଷ୍ଟେଲକୁ ବାଙ୍ଗରା ଦେବୀ ନିବାସ ଓ ଗେଷ୍ଟ ହାଉସ୍କୁ ଗୁରୁବାରୀ ଜାନୀ ଅତିଥି ଭବନ ନାମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପୋଷଣ ପକ୍ଷ ପାଳନ ଅବସରରେ ଏ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁରୀ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ତୃଣମୂଳ ସ୍ତରରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ସୁଦୃଢ଼ ଓ ସକ୍ଷମ କରାଯିବ। ଜିଲ୍ଲା ସ୍ତରରେ କାମ କରୁଥିବା କର୍ମୀମାନେ ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟିକୁ ଆଣିଲେ ତାହାର ସମାଧାନ କରାଯିବ। ଉନ୍ନୟନ କମିସନର ଅନୁ ଗର୍ଗ କହିଲେ, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସୂଚକାଙ୍କରେ ଉନ୍ନତି ନ ଆସିଲେ ଦାରିଦ୍ର୍ୟ ହ୍ରାସ ହେବ ନାହିଁ। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଓ ଆଇସିଡିଏସ୍ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସ୍ତରରେ ଅଙ୍ଗନବାଡ଼ି କର୍ମୀ ଓ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଉଲ୍ଲେଖ ଯେ ପ୍ରତି ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ୧୫ଦିନ ଧରି ପୋଷଣ ପକ୍ଷ ପାଳନ କରାଯାଉଛି। ଚଳିତବର୍ଷ ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଏପ୍ରିଲ ୮ରୁ ୨୨ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ କରାଯାଉଛି।