TOP STORIESଅପରାଧରାଜ୍ୟ

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀରେ ଆପରାଧିକ କାର୍ଯ୍ୟକଳାପ ଦମନ ଓ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯିବ

କଟକ/ଭୁବନେଶ୍ୱର ୦୩-୦୬-୨୦୨୫(ଏସ .ଏମ ) : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀରେ ଆପରାଧିକ କାର୍ଯ୍ୟକଳାପ ଦମନ ଓ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯିବ। ଏହା ସହିତ ରେଳବାଇ ପୁଲିସ ପକ୍ଷରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ଇତ୍ୟାଦି ରେଳଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଆର୍‌ପିଏଫ୍‌ ସହିତ ଉପଯୁକ୍ତ ସମନ୍ୱୟ ରଖି ଜିଆର୍‌ପି କାର୍ଯ୍ୟ କରିବାକୁ ଡିଜିପି ସୋମବାର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁନ୍‌ ୨୭ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ପାଇଁ ସୋମବାର କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ପୁଲିସ ଡିଜି ଵାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ଏକାଠି ହେବାକୁ ଯାଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ପୁଲିସ ମୁଖ୍ୟାଳୟରେ ଡିଜିପି ଆଲୋଚନା କରିଥିଲେ। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସିସିଟିଭି, ଟ୍ରାଫିକ୍‌ ସୁପରିଚାଳନା ପାଇଁ ରୋଡ୍‌ ଡିଭାଇଡର୍‌, ଡିଲିନେଟର୍‌ ଓ ଟ୍ରାଫିକ୍‌ ଜୋନ୍ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ୍‌ ବ୍ୟବସ୍ଥାର ପରିଚାଳନା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିଭଳି ସମୁଦ୍ର କୂଳରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ଅସ୍ଥାୟୀ ପୁଲିସ ଆଉଟ୍‌ପୋଷ୍ଟ ଖୋଲାଯିବା ସମ୍ପର୍କରେ ମଧ୍ୟ ଯୋଜନା କରାଯାଉଛି।

ପୁରୀରେ ଅପରାଧ ଦମନ କରିବାକୁ ନିର୍ଦ୍ଦେଶ
ପୁରୀରୁ ଜଟଣୀ ଯାଏଁ ରେଳଷ୍ଟେସନ୍‌ ସୁରକ୍ଷା ବୃଦ୍ଧି
ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଡିଜିଙ୍କ ନିର୍ଦ୍ଦେଶ

ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍‌, ହୋଟେଲ୍‌ ଓ ଲଜ୍‌ଗୁଡ଼ିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, କେ-୯ ସ୍କ୍ବାର୍ଡ ମୁତୟନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ୍‌, ପୁଲିସ ଫୋର୍ସଙ୍କ ରହଣି ପାଇଁ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ୍‌ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବେ ବିଭିନ୍ନ ସମସ୍ୟାର ତ୍ବରିତ ସମାଧାନ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ସୁବିଧା ଇତ୍ୟାଦି ସମ୍ପର୍କରେ ଡିଜିପି ଆଲୋଚନା କରିଥିଲେ। ବୈଠକରେ ଆଭାସୀ ମାଧ୍ୟମରେ ନିର୍ଦ୍ଦେଶକ (ଗୁଇନ୍ଦା) ଆର୍‌.ପି. କୋଚେ, ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଏଡିଜି (ରେଳ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଏଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିସନର୍‌ ଅମିତାଭ ଠାକୁର, ଏଡିଜି(କମ୍ୟୁନିକେସନ୍) ଦୟାଲ ଗଙ୍ଗୱାର, ଏଡିଜି (ଏସ୍‌ଏପି) ରାଜେଶ କୁମାର, ଆଇଜି (କେନ୍ଦ୍ରାଞ୍ଚଳ), ଏସ୍‌. ପ୍ରବୀଣ କୁମାର, ଆଇଜି (ଅପରେସନ୍‌) ଡକ୍ଟର ଦୀପକ କୁମାର, ଆଇଜି (ବିପିଏସ୍‌ପିଏ) ଅନୁପ ସାହୁ, ଆଇଜି (କ୍ରାଇମବ୍ରାଞ୍ଚ) ଡାକ୍ତର ସାର୍ଥକ ଷଡ଼ଙ୍ଗୀ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (ଏସ୍‌ଆଇଡବ୍ଲୁ) ଡାକ୍ତର କନ୍‌ୱର ବିଶାଳ ସିଂ, ଡିଆଇଜି (ଏସ୍‌ଟିଏଫ) ପିନାକ ମିଶ୍ର, ଏସ୍‌ପି (ରେଲୱେ) ବିବେକାନନ୍ଦ ଶର୍ମା, ଏସ୍‌ପି (ପୁରୀ) ଭିନୀତ ଅଗ୍ରୱାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *