LatestNewsPoliticsTOP STORIESଅପରାଧଘଟଣା ଦୁର୍ଘଟଣାଦୁର୍ନୀତିବିଶେଷ ସ୍ତମ୍ବରାଜନୀତିରାଜ୍ୟ

ରାତାରାତି ସୌମ୍ୟାଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଦେଲ.. ନିଜ ନିଷ୍ଠୁର ବ୍ୟବସ୍ଥାର ବ୍ୟବଚ୍ଛେଦ କେବେ କରିବ ସରକାର.. ?

ରାତାରାତି ସୌମ୍ୟାଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଦେଲ.. ନିଜ ନିଷ୍ଠୁର ବ୍ୟବସ୍ଥାର ବ୍ୟବଚ୍ଛେଦ କେବେ କରିବ ସରକାର.. ?

କିଏ ହାରିଗଲା- ସୌମ୍ୟାଶ୍ରୀ ନା ଏ ବ୍ୟବସ୍ଥା ? କାହାର ପ୍ରାଣବାୟୁ ଉଡ଼ିଗଲା- ପେଟ୍ରୋଲ ଢାଳି ନିଜକୁ ଜାଳି ନ୍ୟାୟ ପାଇଁ ନିଆଁରେ ପୋଡି ଦେଇଥିବା ସେ ଛାତ୍ରୀ ନା ଜଳିଗଲା ହୁଗୁଳା ବ୍ୟବସ୍ଥାର ହାଡ଼ କଙ୍ଗାଳ ? ରାତାରାତି ସିନା ଶବକୁ ନେଇ ବ୍ୟବଚ୍ଛେଦ କରିଦେଲ, ହେଲେ ଏ ବ୍ୟବସ୍ଥାର ବ୍ୟବଚ୍ଛେଦ କେବେ ?

ବାଲେଶ୍ବର, ୧୫-୦୭-୨୦୨୫(ଏସ.ଏମ ) : ଗାଁ କାନ୍ଦୁଛି, ମାଆ କାନ୍ଦୁଛି.. ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ସାହସୀ ଝିଅ ଶବ ପାଲଟିଯିବା ପରେ ସମସ୍ତେ ସ୍ତବ୍ଧ, ସମସ୍ତେ ନୀରବ, ଏକଦମ ଚୁପ । ଦିନ କେଇଟାରେ କଣ ସବୁ ଘଟିଗଲା ନା ପରିବାର ଲୋକେ ଜାଣି ପାରିଛନ୍ତି ନା ଗାଁ ଲୋକେ ବୁଝି ପାରୁଛନ୍ତି ।ଗାଁର ସାହସୀ ଝିଅ, ଗାଁର ସୁନା ଝିଅ, ଖଣ୍ଡମଣ୍ଡଳର ପରିଚିତ ଚେହେରା ଯେତେବେଳେ ପେଟ୍ରୋଲ ନିଆଁରେ ଜଳି ଜୀବନ ପାଇଁ ମୃତ୍ୟୁ ସହ ସଂଘର୍ଷ କରୁଥିଲା ସେତେବେଳେ ସାରା ଅଞ୍ଚଳର ଲୋକେ ତା ପାଇଁ ପ୍ରାର୍ଥନା କରିଥିଲେ, ଦୀପ ଜାଳିଥିଲେ ଆଉ ଆଜି ଯେତେବେଳେ ସେହି ଝିଅ ପାଇଁ ଚିତା ସଜଡା ଯାଉଛି, ଜୁଇ ନିଆଁରେ ସେ ଜଳିଯାଉଛି ସେ କଥାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଗ୍ରାମବାସୀ ।କାରଣ ସୌମ୍ଯାଶ୍ରୀ ଥିଲେ ସବୁ ଗୁଣରେ ଏକ ନମ୍ବର । କଥାରେ କାମାରେ ଥିଲେ ଆଗରେ । କବିତା, ଖେଳ, ନାରୀ ସୁରକ୍ଷା, ନାରୀ ସଶକ୍ତିକରଣ ଏବଂ ଆତ୍ମସୁରକ୍ଷାର କଳା ଶିଖାଉଥିଲେ ସୌମ୍ୟାଶ୍ରୀ । ପିଲାଙ୍କୁ ଏତେ ଶିକ୍ଷା ଦେଉଥିବା ଝିଅ ଆଜି କାହିଁକି ହାରିଗଲା ସେ କଥା କାନ୍ଦି କାନ୍ଦି ଭାବି ହେଉଛନ୍ତି ଗ୍ରାମବାସୀ । ଗାଁରେ ଛାତ୍ରୀଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଘର ଆଗରେ ମାଳ ମାଳ ଲୋକ ରୁଣ୍ଡ ହୋଇଥିଲେ । ଗାଁ ଶ୍ମଶାନରେ ଆଖପାଖ ଗାଁ ଲୋକଙ୍କ ଭିଡ ଲାଗିଛି । ଝିଅକୁ ସମସ୍ତେ ଭଲପାଆନ୍ତି ବୋଲି ଧାଇଁ ଆସିଛନ୍ତି । ଗୋଟେ ବିଫଳ ବ୍ୟବସ୍ଥା କେମିତି ଜଣଙ୍କ ଜୀବନ ନେଇଯାଇପାରେ ତାହାକୁ ନିଜ ଭାଷାରେ ଉଲ୍ଲେଖ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି- ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା। ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା। ସେ ଅତି ସାହସିକତାର ସହ ତା’ ସହିତ ଘଟିଥିବା ଯୌନ ନିର୍ଯାତନା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା। କଲେଜ ପଦାଧିକାରୀଙ୍କ ଦ୍ଵାରା ଅଣଦେଖା ହେବା ପରେ ସେ ଅଟକି ଯାଇ ନଥିଲା। ନ୍ୟାୟ ପାଇବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ, ଙ୍କ କାର୍ଯ୍ୟାଳୟ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲା। ଏପରି କି ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ନିଜ ଦୁଃଖ ବିଷୟରେ କହିଥିଲା। ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା..

ବୋଲି ନବୀନ ଲେଖିଥିବା ବେଳେ ଏ ପ୍ରଶ୍ନ ଆଜି ସାରା ରାଜ୍ୟରେ ଗୁଞ୍ଜରିତ ହେଉଛି କି- ବଞ୍ଚିଥିବା ବେଳେ ଚାରିଆଡୁ ନିରାଶ ହେବା ପରେ ଏକା ଏକା ନିଜ ପାଇଁ ନ୍ୟାୟର ଲଢେଇ ଲଢୁଥିବା ସୌମ୍ଯାଶ୍ରୀଙ୍କୁ କେହି ବି ସାହା ହୋଇନଥିଲେ । ସିଏ ନିଜ ପାଇଁ ନିଜେ ଲଢୁଥିଲେ ଆଉ ଯେତେବେଳେ ଲଢି ଲଢି ହାରିଗଲେ ଶେଷରେ ଜୀବନ ହାରିଦେବାର ନିଷ୍ପତ୍ତି ନେଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ .. ବାସ୍ ତାପରେ ହିଁ ଯାହା ସବୁ ଘଟିଗଲା ତାହା ତ ସବୁ ସମସ୍ତେ ଜାଣନ୍ତି । ଶିକ୍ଷାନୁଷ୍ଠାନରୁ ଶ୍ମଶାନ ଯାଏଁ ଯାହା ହେଲା- କିଏ ଜଳିଲା, କିଏ ଗର୍ଜିଲା, କିଏ ରାଜନୀତି କଲା, କିଏ କୁମ୍ଭୀର କାନ୍ଦଣା କାନ୍ଦିଲା, କାହା ପାଇଁ ବଡ଼ ହସ୍ପିଟାଲରେ ହଲଚଲ ହେଲା ଆଉ ପୁଣି କିଏ ନିଜ ଝିଅକୁ ହରେଇଲା .. ଆରମ୍ଭରୁ ଅନ୍ତ ଯାହା ଯାହା ସୌମ୍ୟାଶ୍ରୀଙ୍କୁ ନେଇ ଏ ସମାଜରେ ଘଟିଯାଇଛି ଏବଂ ଘଟିଛି ତାହା ଯଦି ଆଗରୁ ଟିକେ ହଇଥାନ୍ତା ହୁଏତ ଆଜି ଝିଅଟି ବଞ୍ଚିଥାନ୍ତା.. କିନ୍ତୁ ହାଏ ଏ ବ୍ୟବସ୍ଥା ହିଁ ଏମିତି । ଏଠି ବଞ୍ଚିଥିବା ବେଳେ ନହେଁ ମଲା ପରେ ହିଁ ଶବ ଉପରେ ବସି ବ୍ୟବସ୍ଥା ବୁଝେ ଦୁଃଖ । ସରକାର ଶୁଣନ୍ତି ଶବ ଭିତରରୁ ଶୁଭୁଥିବା ଅଭିଯୋଗ ।

ଯେତେବେଳେ ବ୍ୟବସ୍ଥାର ଅବହେଳା କଥା ଉଠୁଛି ତାହାଲେ ସେ ବ୍ୟବସ୍ଥାକୁ ବି କାଠଗଡାକୁ ଟାଣନ୍ତୁ ସରକାର । କାରଣ କୌଣସି ବି ଜୀବନ, କାହାର ବି ଜୀବନ ଶସ୍ତା ନୁହେଁ- ଯାହା ବ୍ୟବସ୍ଥାର ବନ୍ଦୀ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିବ । ଆମ ଦେଶ ସ୍ବାଧୀନ ଦେଶ, ଏଠି ଗଣତନ୍ତ୍ରକୁ ପୂଜା କରାଯାଏ, ଜନତା ହିଁ ଏ ଦେଶର- ଏ ସରକାର, ଏ ବ୍ୟବସ୍ଥାର ପ୍ରାଣପିଣ୍ଡ । ଯେଉଁଠି ଜନତା ଅସୁରକ୍ଷିତ ସେଠି ବ୍ୟବସ୍ଥାର ବାଃ ବାଃ କରିବା ବୃଥା.. ତେଣୁ ବ୍ୟବସ୍ଥାର ବ୍ୟବଚ୍ଛେଦ ହେଉ । ସରକାର ତାଙ୍କ ପୋଷ୍ଟମର୍ଟମ ଟେବୁଲରେ ନିଜେ ଗୋଟି ଗୋଟି ଖିଅର ତଦନ୍ତ କରନ୍ତୁ । କାରଣ ଆପଣ ଲୋକଙ୍କ ସରକାର..

ଏଠି ପ୍ରଶ୍ନ ଉଠେ-
-କାହିଁକି ଅଭିଯୋଗକୁ ଗୁରୁତ୍ବ ଦେଲା କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ?
-କଲେଜ ଅଧ୍ୟକ୍ଷ ନ୍ୟାୟ ଦେବା ବଦଳରେ ସୌମ୍ୟାଶ୍ରୀଙ୍କୁ ଧମକ ଦେଉଥିଲେ କି ?
-ସବୁ ଜାଣି କାହିଁକି ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇ ପାରିଲେନି ବାଲେଶ୍ବର ସାଂସଦ ?
-ଅଭିଯୋଗ ପତ୍ରରେ ଜିଲ୍ଲାପାଳ, ଏସପି, ମନ୍ତ୍ରୀଙ୍କ ଠାରୁ ସରକାରଙ୍କୁ ଜଣାଇବା ପରେ ବି କାହିଁକି କେହି ଦେଖି ନଥିଲେ ? ଭୁଲ କାହାର ?
-ନିର୍ଯାତନା ଅଭିଯୋଗ ପରେ ବି କାହିଁକି ସ୍ଥାନୀୟ ପୋଲିସ ଚୁପ ରହିଥିଲା ? କଲେଜରେ କେହି ତାଙ୍କର ଥିଲେ କି ନିଜର ଲୋକ ?
-ସୌମ୍ୟାଶ୍ରୀଙ୍କ ପାଇଁ କଣ କରିଥିଲା ଏବିଭିପି ?
-ଏତେ ସାହସୀ ଝିଅ ହୋଇ କାହିଁକି ସେ ପେଟ୍ରୋଲ ଢାଳି ହେଲେ ? କିଏ ତାଙ୍କୁ ଆଣି ପେଟ୍ରୋଲ ଦେଲା ?
-ପେଟ୍ରୋଲ ଢାଳି ହେବାକୁ ତାଙ୍କୁ କେହି କଲେଜରେ ଉସୁକାଇଥିଲେ କି ?
ଏସବୁ ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ମୃତ୍ୟୁ ପରେ ଝିଅକୁ ନ୍ୟାୟ ପାଇଁ ଉଠୁଛି ଦାବି..

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *