ଖେଳଦେଶ- ବିଦେଶ

ଲର୍ଡସ୍‌ରେ ଇଂଲଣ୍ଡର ନାଟକୀୟ ବିଜୟ

ଲର୍ଡସ୍‌ରେ ଇଂଲଣ୍ଡର ନାଟକୀୟ ବିଜୟ

ଲର୍ଡସ୍‌ ଲଢ଼େଇ ନାଟକୀୟ ଭାବେ ଶେଷ ହୋଇଛି। ଭାରତ ଜିତୁଜିତୁ ଏହି ଅସୀମ ରୋମାଞ୍ଚ ବିଶିଷ୍ଟ ମୁକାବିଲାକୁ ଅଳ୍ପକେ ହାରିଯାଇଛି। ଜାଡ଼େଜାଙ୍କ ଲଢ଼ୁଆ ଅର୍ଦ୍ଧଶତକ ବେକାର, ଭାରତ ୨୨ ରନ୍‌ରେ ପରାସ୍ତ

ଲଣ୍ଡନ/ନୂଆଦିଲ୍ଲୀ୧୫-୦୭-୨୦୨୫(ଏସ .ଏମ ) : ର୍ଡସ୍‌ ଲଢ଼େଇ ନାଟକୀୟ ଭାବେ ଶେଷ ହୋଇଛି। ଭାରତ ଜିତୁଜିତୁ ଏହି ଅସୀମ ରୋମାଞ୍ଚ ବିଶିଷ୍ଟ ମୁକାବିଲାକୁ ଅଳ୍ପକେ ହାରିଯାଇଛି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଏପ୍ରକାର ଭଲ ସ୍ଥିତିରେ ଥିଲେ ମଧ୍ୟ ପଞ୍ଚମ ଦିନର ପ୍ରଥମ ଘଣ୍ଟାର ଖେଳରେ ଇଂଲଣ୍ଡ ମ୍ୟାଚ୍‌ର ମୋଡ଼ ବଦଳାଇ ଏହି ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଟେଷ୍ଟ୍‌କୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୨୨ ରନ୍‌ରେ ଜିତି ନେଇଛି। ସୋମବାର ପଞ୍ଚମ ତଥା ଶେଷ ଦିନର ପ୍ରଥମ ଅଧିବେଶନରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଦ୍ବିତୀୟ ଅଧିବେଶନରେ ରବୀନ୍ଦ୍ର ଜଡ଼େଜାଙ୍କ ନେତୃତ୍ବରେ ଭାରତୀୟ ନିମ୍ନକ୍ରମ ବ୍ୟାଟର୍ ଜୋରଦାର ଲଢ଼େଇ କରି ହୃଦୟ ଜିତିଥିଲେ। ଦୁର୍ଭାଗ୍ୟଜନକ ଭାବେ କିନ୍ତୁ ମ୍ୟାଚ୍ ଜିତାଇ ପାରିନଥିଲେ। ବିଜୟ ଲକ୍ଷ୍ୟ ୧୯୩ ଥିଲା ବେଳେ ଭାରତ ୧୭୦ ରନ୍‌ରେ ଅଟକି ଯାଇଥିଲା। ତଥାପି ପ୍ରତିକୂଳ ପରିସ୍ଥିତି‌ରେ ୧୮୧ ବଲ୍ ସମ୍ମୁଖୀନ ହୋଇ ୬୧ ରନ୍‌ରେ ଅପରାଜିତ ରହି ଜାଡ଼େଜା ନିଜ ସାହସିକ ବ୍ୟାଟିଂ ଓ ଦୃଢ଼ ଏକାଗ୍ରତା ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଇଂଲଣ୍ଡ ବିଜୟକୁ ବିଳମ୍ବିତ କରିବାରେ ଯଶପ୍ରୀତ୍ ବୁମ୍‌ରା ଓ ମହମ୍ମଦ ସିରାଜ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ। ତିନି ଜଣ ଯାକ ମିଶି ୨୬୫ ବଲ୍ ବା ୪୪.୧ ଓଭର ପର୍ଯ୍ୟନ୍ତ ଜୋରଦାର ଲଢ଼େଇ କରିଥିଲେ। ଏକଦା ବିଜୟ ସମ୍ଭାବନା ବି ସୃଷ୍ଟି କରିଥିଲେ। ଶେଷରେ କିନ୍ତୁ ସିରାଜଙ୍କ ୱିକେଟ୍ ନେଇ ଇଂଲଣ୍ଡ ସ୍ମରଣୀୟ ବିଜୟ ସହ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇ ଯାଇଥିଲା। ଜାଡ଼େଜା-ବୁମ୍‌ରା ଓ ସିରାଜଙ୍କ ଲଢ଼େଇରେ ଉଲ୍ଲସିତ ଭାରତୀୟ ପ୍ରଶଂସକ ଏକ ଅସା‌ଧାରଣ ବିଜୟ ଆଶାରେ ଥିଲେ। ହେଲେ ଏହି ଆଶା ଶେଷରେ ଆଶାରେ ରହିଯାଇଥିଲ। ଦୁଇ ଦଳ ମଧ୍ୟରେ ଚତୁର୍ଥ ଟେଷ୍ଟ୍ ମାଞ୍ଚେଷ୍ଟର୍‌ଠାରେ ଚଳିତ ଜୁଲାଇ ୨୩ରୁ ଆରମ୍ଭ ହେବ। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଉଭୟ ଦଳ ପାଇଁ ସୁଯୋଗ ଥିଲା। ଭାରତକୁ ରୋକିବା ଲାଗି ଇଂଲଣ୍ଡ ପାଖରେ ଆଉ ୧୩୪ ରନ୍ ଥିଲା। ଗିଲ୍ ବାହିନୀ ହାତରେ ଥିଲା ୬ ୱିକେଟ୍। କେଏଲ୍ ରାହୁଲ ଅପରାଜିତ ଥିବାରୁ ଭାରତ ଏକ ସଫଳ ପଶ୍ଚାତଧାବନ କରିବ ବୋଲି ଆଶା କରାଯାଉଥିଲା। ପଞ୍ଚମ ଦିନ ପ୍ରଥମ ଅଧିବେଶନରେ କିନ୍ତୁ ଭାରତ ହାତରୁ ଇଂଲଣ୍ଡ ଏକପ୍ରକାର ମ୍ୟାଚ୍ ଛଡ଼ାଇ ନେଇଥିଲା।

ସକାଳୁଆ ପିଚ୍ ଏବଂ ନୂଆ ବଲ୍‌ର କଠିନତାକୁ ଅସ୍ତ୍ର କରି ମାତ୍ର ୨୩ ବଲ୍ ଭିତରେ କେଏଲ୍ ରାହୁଲ, ଋଷଭ ପନ୍ତ ଓ ୱାସିଂଟନ୍ ସୁନ୍ଦରଙ୍କୁ ଶିକାର କରି ଇଂଲଣ୍ଡ ସବୁକିଛି ଓଲଟ ପାଲଟ କରି ଦେଇଥିଲା। ଏହା ପରେ ଦୁଇ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ ନୀତୀଶ କୁମାର ରେଡ୍ଡୀ (୧୩ ରନ୍, ୫୩ ବଲ୍) ଲଢ଼େଇ କରିଥିଲେ। ତେବେ ମଧ୍ୟାହ୍ନଭୋଜନର ଠିକ୍ ପୂର୍ବରୁ ନୀତୀଶ ଆଉଟ୍ ହେବା ଇଂଲଣ୍ଡକୁ ଉଲ୍ଲସିତ କରିଥିଲା। ପରବର୍ତ୍ତୀ ଅଧିବେଶନରେ କିନ୍ତୁ ୩୦.୩ ଓଭର ଖେଳି ୫୧ ରନ୍ ଯୋଡ଼ିବା ସହ କେବଳ ବୁମ୍‌ରାଙ୍କ ୱିକେଟ୍ ହରାଇଥିଲା। ଶେଷ ଅଧିବେଶନରେ ଜାଡ଼େଜା ଶେଷ ୱିକେଟ୍ ମହମ୍ମଦ ସିରାଜଙ୍କୁ ନେଇ ଲକ୍ଷ୍ୟ ଆଡ଼କୁ ଧୀରେଧୀରେ ଅଗ୍ରସର ହେଉଥିଲେ। ଦ୍ରୁତ ବୋଲରଙ୍କୁ ସମ୍ମୁଖୀନ ହେବାରେ ସିରାଜ-ଜାଡ଼େଜା ସେତେଟା ଅସୁବିଧାର ସମ୍ମୁଖୀନ ହେଉ ନଥିଲେ। ଫଳରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଆହତ ସ୍ପିନର୍‌ ସୋଏବ ବଶିରଙ୍କୁ ଲଗାଇଥିଲେ। ଭଙ୍ଗା ଆଙ୍ଗୁଳିରେ ବୋଲିଂ କରି ବଶିର ହିଁ ଇଂଲଣ୍ଡକୁ ପ୍ରତୀକ୍ଷିତ ୱିକେଟ୍ ଓ ବିଜୟ ଉପହାର ଦେଇଥିଲେ। ୭୫ତମ ଓଭରର ପଞ୍ଚମ ବଲ୍‌ ସିରାଜଙ୍କ ବ୍ୟାଟ୍‌ରେ ବାଜି ପ୍ରଥମେ କ୍ରିଜ୍ ଏବଂ ପରେ ଷ୍ଟମ୍ପ୍ସ‌ରେ ବାଜିଥିଲା। ବେଲ୍ ଖସିବା ସହ ଭାରତ ପାଳି ଓ ଆଶା ସେହିଠାରେ ମଉଳି ଯାଇଥିଲା। ୧୫୦ ବଲ୍‌ରୁ ଲଢ଼ୁଆ ଅର୍ଦ୍ଧଶତକ ଅର୍ଜନ କରିଥିବା ହତାଶ ଜାଡ଼େଜା ଅନ୍ୟପଟେ କେବଳ ଦେଖଣାହାରୀ ସାଜି ନିରାଶାର ସହ ପ୍ୟାଭିଲିୟନ୍‌ ଫେରିଥିଲେ। ଇଂଲଣ୍ଡ ଅଧିନାୟକ ବେନ୍ ‌ଷ୍ଟୋକ୍ସ (୪୪, ୨/୬୩ ଏବଂ ୩୩, ୩/୪୮) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୪ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍‌କୁ ଫେରିଥିବା ଜୋଫ୍ରା ଆର୍ଚର ଉଭୟ ପାଳିକୁ ମିଶାଇ ୫ ୱିକେଟ୍ ନେବା ସହ ନିଜ ପ୍ରତ୍ୟାବର୍ତ୍ତନକୁ ସ୍ମରଣୀୟ କରିଥିଲେ। ପୂର୍ବତନ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ (୨୧୧) ‘ଦି ୱାଲ୍‌’ ରାହୁଲ ଦ୍ରାବିଡ଼ (୨୧୦)ଙ୍କୁ ଟପି ଟେଷ୍ଟ୍ କ୍ରିକେଟ୍‌ରେ ବ୍ୟକ୍ତିଗତ ଭାବେ ସର୍ବାଧିକ କ୍ୟାଚ୍ ନେବାର ରେକର୍ଡ କରିଥିଲେ। ଇଂଲଣ୍ଡ ପ୍ରଥମ ଥର ଏକଦିବସୀୟ ବିଶ୍ବକପ୍‌ ବିଜୟର ଷଷ୍ଠ ବାର୍ଷିକୀ ପୂର୍ତ୍ତି ଅବସରରେ ଲର୍ଡସରେ ନାଟକୀୟ ବିଜୟ ହାସଲ କରି ଏହି ଖୁସିକୁ ଦ୍ବିଗୁଣିତ କରିଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୮୭ । ଭାରତ ପ୍ରଥମ ପାଳି: ୩୮୭ । ଇଂଲଣ୍ଡ ଦ୍ବିତୀୟ ପାଳି: ୧୯୨। ଭାରତ ଦ୍ବିତୀୟ ପାଳି (ଲକ୍ଷ୍ୟ ୧୯୩): ୭୪.୫ ଓଭରରେ ୧୭୦ (ରବୀନ୍ଦ୍ର ଜାଡ଼େଜା-୬୧*, କେଏଲ୍ ରାହୁଲ-୩୯, କରୁଣ ନାୟର-୧୪, ନୀତୀଶ କୁମାର ରେଡ୍ଡୀ-୧୩, ବେନ୍ ‌ଷ୍ଟୋକ୍ସ-୩/୪୮, ଜୋଫ୍ରା ଆର୍ଚର-୩/୫୫, ବ୍ରାଏଡନ୍ କାର୍ସ-୨/୩୦, ସୋଏବ ବଶିର ୧/୬)।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *