LatestNewsPoliticsTOP STORIESରାଜନୀତିରାଜ୍ୟ

ଲ୍ୟାବ୍‌ରୁ ବାହାରି ଗାଁକୁ ଯିବେ କୃଷି ବୈଜ୍ଞାନିକ: ଶିବରାଜ ସିଂହ

ଲ୍ୟାବ୍‌ରୁ ବାହାରି ଗାଁକୁ ଯିବେ କୃଷି ବୈଜ୍ଞାନିକ: ଶିବରାଜ ସିଂହ

ଚାଷୀ ଜମିରେ ବୀଜ ନୁହେଁ, ଜୀବନ ବୁଣିଥାଏ। ଯେଭଳି ମନ୍ଦିରରେ ଦୀପ ଜଳାଇବା ଭଗବାନଙ୍କ ପୂଜା, ସେଭଳି ମାଟିରେ ବୀଜ ବୁଣିବା ମଧ୍ୟ ଭଗବାନଙ୍କ ପୂଜା। ଅନ୍ନ ହିଁ ବ୍ରହ୍ମ। ତେଣୁ ଚାଷୀ ଯେପରି ଅଧିକ ଶସ୍ୟ ଉତ୍ପାଦନ କରିବ….

ପୁରୀ,୩୦-୦୫-୨୦୨୫( ଏସ.ଏମ ) :  ଚାଷୀ ଜମିରେ ବୀଜ ନୁହେଁ, ଜୀବନ ବୁଣିଥାଏ। ଯେଭଳି ମନ୍ଦିରରେ ଦୀପ ଜଳାଇବା ଭଗବାନଙ୍କ ପୂଜା, ସେଭଳି ମାଟିରେ ବୀଜ ବୁଣିବା ମଧ୍ୟ ଭଗବାନଙ୍କ ପୂଜା। ଅନ୍ନ ହିଁ ବ୍ରହ୍ମ। ତେଣୁ ଚାଷୀ ଯେପରି ଅଧିକ ଶସ୍ୟ ଉତ୍ପାଦନ କରିବ ସେଥିପାଇଁ କୃଷି ବୈଜ୍ଞାନିକମାନେ ଚାଷୀଙ୍କ ପ୍ରତି ସହଯୋଗର ହାତ ବଢ଼ାନ୍ତୁ। ବୈଜ୍ଞାନିକମାନଙ୍କ ପାଇଁ ଚାଷୀଙ୍କ ଦ୍ବନ୍ଦ୍ବ ଓ ସମସ୍ୟା ଦୂର କରିପାରିବା ଠାରୁ କିଛି ବଡ଼ ପୁଣ୍ୟ କାମ ନାହିଁ। ସେମାନେ ସମର୍ପଣ ଭାବ ନେଇ ଚାଷୀଙ୍କ ପାଖକୁ ଯାଆନ୍ତୁ। ବୈଜ୍ଞାନିକମାନେ ଲ୍ୟାବ୍‌ରେ ସୀମିତ ନରହି ଗାଁ ବୁଲନ୍ତୁ, କୃଷକଙ୍କ ସହ ମିଶନ୍ତୁ ଏବଂ ସେମାନଙ୍କୁ ସଶକ୍ତ କରନ୍ତୁ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଆହ୍ବାନ ଦେଇଛନ୍ତି।

ସାରା ଦେଶର କୃଷକ ଓ କୃଷି ବୈଜ୍ଞାନିକଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହ୍ବାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଦେଶର ପ୍ରାୟ ୨୧୧୭ଟି କୃଷି ବୈଜ୍ଞାନିକ ଟିମ୍ ୭୦୦ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିବେ। ଜୁନ୍ ୧୨ ପର୍ଯ୍ୟନ୍ତ (୧୫ଦିନରେ) ଦେଢ଼ କୋଟି କୃଷକଙ୍କ ସହ ମିଶିବେ, ସେମାନଙ୍କର କ’ଣ ସମସ୍ୟା ଅଛି ଓ ଏହାର କିପରି ସମାଧାନ ହେବ ତା’ର ଉପାୟ ବତାଇବେ। ମାଟିରେ କ’ଣ ତତ୍ତ୍ବ ରହିଛି, କେଉଁ ତତ୍ତ୍ବ କମ୍‌ ଅଛି, କେତେ ସାର ପକାଇବାର ଆବଶ୍ୟକତା ରହିଛି, ତାହା ବୁଝାଇବେ।

ଶ୍ରୀ ଚୌହ୍ବାନ ଆହୁରି କହିଥିଲେ, ଚଳିତ ଆର୍ଥିକ ବ‌ର୍ଷ ୩୫୩୯.୬୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଛି। ଏହା ପୂର୍ବବର୍ଷ ଅପେକ୍ଷା ୨୧୬.୬୧ଲକ୍ଷ ମେଟ୍ରିକ ଟନ୍‌ ଅଧିକ। ଭାରତ କେବଳ ଭାରତୀୟଙ୍କୁ ଖାଦ୍ୟ ଯୋଗାଇବ ନାହିଁ, ବରଂ ଭାରତ ସାରା ବିଶ୍ବର ଫୁଡ ବାସ୍କେଟରେ ପରିଣତ ହେବାକୁ ଯାଉଛି। ସାରା ଦୁନିଆ ଜଗନ୍ନାଥଙ୍କ ଭାତ ଖାଇବ। ଏହି ଅବସରରେ ସେ କହିଥିଲେ ଓଡ଼ିଶା ଆଜି ସାରା ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣୁଛନ୍ତି। ଯାହାକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୮୦୦ ଟଙ୍କା ଅଧିକ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଚାଷୀର ଆୟ ବଢ଼ିଲେ ଦେଶର ଆୟ ବଢ଼େ। ଏହାସହ ସୁଭଦ୍ରା ଯୋଜନ ଏବଂ କୋରାପୁଟର ଜୈବିକ ଧାନ ଚାଷକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗଦେଇ କହିଥିଲେ, କୃଷକମାନଙ୍କ ମଧ୍ୟରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ବିହନ କିସମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲ୍ଲା ସ୍ତରରେ ତିନିଟି ଦଳ ଗଠନ କରାଯାଇ କୃଷି, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ବିଷୟ ବସ୍ତୁଗୁଡ଼ିକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନେ ମିଳିତ ଭାବେ ଗ୍ରାମାଞ୍ଚଳର କୃଷକମାନଙ୍କୁ ବୁଝାଇବେ। ପ୍ରତ୍ୟେକ ଦଳ ଦୈନିକ ଦୁଇଟି ଗାଁ ଗସ୍ତ କରି ପ୍ରତ୍ୟେକ ଗାଁରେ ୨୫୦ ଜଣ ଚାଷୀଙ୍କୁ ଭେଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ କଲ୍ୟାଣ ଯୋଜନା, ବିଭିନ୍ନ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ ନୂତନ ଜ୍ଞାନ କୌଶଳର ପ୍ରୟୋଗାତ୍ମକ ଦିଗଗୁଡ଼ିକ ଉପରେ ଚାଷୀଙ୍କ ସହ ଆଲୋଚନା କରିବେ। ବିଶେଷକରି ମୂୂର୍ତ୍ତିକାର ସ୍ବାସ୍ଥ୍ୟ ପରୀକ୍ଷା, ମୂର୍ତ୍ତିକା ସ୍ବାସ୍ଥ୍ୟକାର୍ଡର ବ୍ୟବହାରିତା, ସାର ପରିଚାଳନା, ଜଳବାୟୁ ପ୍ରତିରୋଧ କୃଷି ଇତ୍ୟାଦି ବିଷୟରେ ଚାଷୀଙ୍କୁ ଅବଗତ କରାଯିବ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, ଏହି ଅଭିଯାନ ଦ୍ବାରା ଚାଷୀର ଅମଳ ସହ ଆୟ ବୃଦ୍ଧି ହେବ। ଏଥିରେ କେନ୍ଦ୍ର ସରକାରଙ୍କ ସହ କାନ୍ଧ ମିଳାଇ ଏହି ମହତ୍‌ ଯୋଜନାକୁ ସଫଳ କରାଯିବ।

ଏହି ଅବସରରେ ଅତିଥିମାନେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ‘ଏକ୍ ପେଡ୍‌ ମା’ କେ ନାମ୍‌’ ଅଭିଯାନରେ ଗୋଟିଏ ଲେଖାଏ ଗଛ ଲଗାଇଥିଲେ। କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ବିଜ୍ଞାନ ଉପ ମହାନିର୍ଦ୍ଦେଶକ ଡ.ଜୟକୃଷ୍ଣ ଜେନା, କୃଷି ସଂପ୍ରସାରଣ ଉପମହାନିର୍ଦ୍ଦେଶକ ଡ.ରାଜବୀର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ମଙ୍ଗିଲାଲ୍ ଜାଟ୍ ସ୍ୱାଗତ ଭାଷଣ ଦେଇଥିଲ। କୃଷି ଓ କୃଷକ ସଶକ୍ତୀକରଣ ନିର୍ଦ୍ଦେଶକ ଶୁଭମ ସାକ୍ସେନା ଧନ୍ୟବାଦ ଅର୍ପଣ କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *