ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ଶାଶୂଘରୁ ନାବାଳିକା ନବବଧୂ ଉଦ୍ଧାର: ବର, ଶାଶୂ, ଶଶୁର ଅନ୍ତର୍ଦ୍ଧାନ

ଶାଶୂଘରୁ ନାବାଳିକା ନବବଧୂ ଉଦ୍ଧାର: ବର, ଶାଶୂ, ଶଶୁର ଅନ୍ତର୍ଦ୍ଧାନ

ବାଲିପାଟଣା ଥାନା ପୁଲିସ ଭାପୁର ପଞ୍ଚାୟତ ନାଥପୁର ଗାଁରୁ ଜଣେ ନାବାଳିକା ନବବଧୂକୁ ଉଦ୍ଧାର କରି ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛି। ବୁଧବାର ଦିନବେଳା ବେଦିରେ ହାତଗଣ୍ଠି ପଡ଼ିଥିଲା ଏବଂ ରାତିରେ ଭୋଜିଭାତ ଜମିଥିଲା।

ବାଲିପାଟଣା ୧୦-୦୫-୨୦୨୫ ( ଏସ.ଏମ ) :   ବାଲିପାଟଣା ଥାନା ପୁଲିସ ଭାପୁର ପଞ୍ଚାୟତ ନାଥପୁର ଗାଁରୁ ଜଣେ ନାବାଳିକା ନବବଧୂକୁ ଉଦ୍ଧାର କରି ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛି। ବୁଧବାର ଦିନବେଳା ବେଦିରେ ହାତଗଣ୍ଠି ପଡ଼ିଥିଲା ଏବଂ ରାତିରେ ଭୋଜିଭାତ ଜମିଥିଲା। ସବୁ କିଛି ଖୁସିରେ ଖୁସିରେ ସମାହିତ ହୋଇଥିଲେ ହେଁ ରାତି ପାହିବା ବେଳକୁ ସବୁ ଖୁସି ପାଣିରେ ମିଳେଇ ଯାଇଥିଲା। ବେଆଇନ ଭାବେ ନାବାଳିକା ବିବାହ ହୋଇଥିବା ଅଭିଯୋଗରେ ପୁଲିସ ଚଢ଼ଉ ହେବା ପରେ ସବୁ ଓଲଟପାଲଟ ହୋଇଯାଇଥିଲା। ହାତର ମେହେନ୍ଦି ଓ ପାଦର ଅଳତା ମଳିନ ପଡ଼ିନଥିବା ନବବଧୂ ଏବେ ଚାଇଲ୍‌ଡ ଲାଇନ୍‌ରେ ଏବଂ ବର, ଶାଶୂ ଓ ଶଶୁର ଗିରଫଦାରି ଭୟରେ ଲୁଚିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବ ବୋଲି ଚଢ଼ଉ ଚଳାଇଛି। ଘଟଣାଟି ବାଲିପାଟଣା-ବନମାଳୀପୁର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂଚନାନୁସାରେ ନାବାଳିକାଙ୍କ ଘର ନୟାଗଡ଼ ଜିଲ୍ଲାରେ। ତାଙ୍କର ବୟସ ଏବେ ମାତ୍ର ୧୫ ବର୍ଷ। 

ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। ତେଣୁ ଯେନତେନ ପ୍ରକାରେ ତୁରନ୍ତ କାନ୍ଧରୁ ଝିଅ ବୋଝ ଓହ୍ଲାଇବା ଲାଗି ବାପାମା’ ନାବାଳିକା ଝିଅକୁ ବାହା କରାଇବାକୁ ରାଜି ହୋଇଯାଇଥିଲେ। ବଡ଼ କଥା ହେଉଛି ନାବାଳିକା ବାହାଘର ବେଆଇନ ବୋଲି ଜାଣି ମଧ୍ୟ ମଧ୍ୟସ୍ଥି ଏହି ବାହାଘର ପାଇଁ ଉଭୟ ପକ୍ଷଙ୍କୁ ରାଜି କରାଇଥିଲେ। ତେଣୁ ନାଥପୁର ଗାଁର ସ୍ବର୍ଗତ ନରେନ୍ଦ୍ର ନାଥଙ୍କ ପୁଅ ବିଭୂତିଙ୍କ ସହିତ ବାହାଘର ସ୍ଥିର ହୋଇଥିଲା। ଏହା ଥିଲା ତୋଳା କନିଆ ବାହାଘର। ବୁଧବାର ସକାଳେ ନୟାଗଡ଼ରୁ କନ୍ୟା ଆସିବା ପରେ ଅପରାହ୍ଣରେ ବିଭୂତିଙ୍କ ଘରେ ହାତଗଣ୍ଠି ପଡ଼ିଥିଲା। ରାତିରେ ଭୋଜିଭାତ ଆସର ବି ବେଶ୍‌ ଜମିଥିଲା। କିନ୍ତୁ ଗୁରୁବାର ସକାଳୁ ସ୍ଥିତି ଓଲଟପାଲଟ ହୋଇଗଲା। ବାଲିପାଟଣା ସିଡିପିଓ ରୁନୁବାଳା ସାହୁଙ୍କ ଅଭିଯୋଗ ଆଧାରରେ ନାଥପୁର ଗାଁରେ ପୁଲିସ ଚଢ଼ଉ କଲା। ଏହି ଖବର ପାଇ ବିଭୂତି ଓ ତାଙ୍କ ବାପାମା’ ଘର ଛାଡ଼ି ପଳାଇଲେ। ପୁଲିସ ନାବାଳିକା ନବବଧୂକୁ ଶାଶୂଘରୁ ନେଇ ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି)ରେ ହାଜର କରାଇବା ସହ ଚାଇଲ୍‌ଡ ଲାଇନ୍‌ରେ ଛାଡ଼ିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *