ରାଜ୍ୟ

ସବୁଜିମା ପାଇଁ ୪୫% ଅଞ୍ଚଳ

ସବୁଜିମା ପାଇଁ ୪୫% ଅଞ୍ଚଳ… 

ରାଜ୍ୟ ସରକାରଙ୍କ ନୂଆ ସହର ପରିକଳ୍ପନା 

ରାଜଧାନୀ ଭୁବନେଶ୍ବରକୁ ଲାଗି ଆଉ ଏକ ନୂ୍ଆ ସହର ଗଢ଼ିବେ ରାଜ୍ୟ ସରକାର। ଗୁଜରାଟର ଢୋଲେରା ସହର ଭଳି ଏହାକୁ ଅତ୍ୟାଧୁନିକ ରୂପ ଦିଆଯିବ। ଯାହା ରାଜଧାନୀଠାରୁ ବି ଆହୁରି ଚାକଚକ୍ୟ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହେବ।

ଭୁବନେଶ୍ୱର ୨୯-୦୯-୨୦୨୫(ଏସ.ଏମ ) :   ରାଜଧାନୀ ଭୁବନେଶ୍ବରକୁ ଲାଗି ଆଉ ଏକ ନୂ୍ଆ ସହର ଗଢ଼ିବେ ରାଜ୍ୟ ସରକାର। ଗୁଜରାଟର ଢୋଲେରା ସହର ଭଳି ଏହାକୁ ଅତ୍ୟାଧୁନିକ ରୂପ ଦିଆଯିବ। ଯାହା ରାଜଧାନୀଠାରୁ ବି ଆହୁରି ଚାକଚକ୍ୟ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହେବ। କେବଳ ରହଣୀ ଉପଯୋଗ୍ୟ ନୁହେଁ, ବ୍ୟବସାୟର ବି ପ୍ରାଣକେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ବିଶେଷ କରି ଆଇଟି କ୍ଷେତ୍ରର ବିକାଶକୁ ଏଠାରେ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ ଦିଲ୍ଲୀ, ‌ବମ୍ବେ ଭଳି ବଡ଼ ବଡ଼ ସହରରେ ପରିବେଶଗତ ସମସ୍ୟାକୁ ନଜରରେ ରଖି ସବୁଜିମାକୁ ଏହି ପ୍ରକଳ୍ପରେ ବେଶ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପ ପାଇଁ ଚିହ୍ନିତ ଅଞ୍ଚଳରେ ଥିବା ଜଙ୍ଗଲ ଜମିକୁ ସଂପୂର୍ଣ୍ଣ ସୁରକ୍ଷିତ ରଖାଯିବ। ପାର୍କ, ଗଛ ତଳେ ଛାୟାପ୍ରଦ ସ୍ଥାନ ଭଳି ଅନେକ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ନୂ୍ଆ ସହର(ନ୍ୟୁ ସିଟି) ପ୍ରକଳ୍ପ ପାଇଁ ଚିହ୍ନିତ ସ୍ଥାନରେ ୪୫ ପ୍ରତିଶତ କେବଳ ସବୁଜିମା ସହ ଖାଲି ଜାଗା ରଖିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଉଛି। ଗୋଠପାଟଣା, ମଳିପଡ଼ା ଓ ଦାଶପୁରରେ ୭୮୯ ଏକର ଜାଗାରେ ପ୍ରସ୍ତାବିତ ନୂଆ ସହର ଗଢ଼ିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର।

ଏ ବାବଦରେ ମୋଟ ୮ହଜାର ୧୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରସ୍ତାବିତ ନୂଆ ସହରର ପରିକଳ୍ପନା ୧ଲକ୍ଷ ଜନସଂଖ୍ୟାକୁ ନେଇ କରାଯାଇଛି। ଯେଉଁଠି ହେକ୍ଟର ପିଛା ୨୦୦ ଲୋକ ରହିବାର ବ୍ୟବସ୍ଥା ହେବ। ୧୬ହଜାର ଘର ନିର୍ମାଣ ହେବ, ଯେଉଁଥିରୁ ୨୫ ପ୍ରତିଶତ ଗରିବ ଲୋକଙ୍କ ପାଇଁ ସଂରକ୍ଷିତ ରହିବ। ସୁଲଭ ଗୃହ ପ୍ରକଳ୍ପ ଯୋଜନାରେ ଏହି ଘର ଯୋଗାଇ ଦିଆଯିବ। ୧୦୪ଲକ୍ଷ ବର୍ଗଫୁଟରୁ ଅଧିକ ଜାଗାରେ ଘରୋଇ ଆବାସ, ୬୫ଲକ୍ଷରୁ ଅଧିକ ବର୍ଗଫୁଟ ଜାଗାରେ ବାଣିଜ୍ୟିକ ଆବାସ, ୨୪ଲକ୍ଷରୁ ଅଧିକ ବର୍ଗଫୁଟ ଜାଗାରେ ଆଇଟି ଓ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ରହିବ। ୧ଲକ୍ଷ ନିଯୁକ୍ତି ସୁଯୋଗର ବି ଲକ୍ଷ୍ୟ ରଖାଯାଇଛି। ବସଷ୍ଟାଣ୍ଡ୍‌, ବିମାନବନ୍ଦର, ପ୍ରମୁଖ ରାସ୍ତା ତଥା ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ବିକଶିତ କରାଯାଉଛି। ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟର ଏହା ଅଂଶବିଶେଷ। ଯେହେତୁ ଆଗାମୀ ୨୫ରୁ ୩୦ ବର୍ଷ ଆଗକୁ ଭାବି ଏହି ନୂଆ ସହରର ପରିକଳ୍ପନା କରାଯାଇଛି, ସେ ଦୃଷ୍ଟିରୁ ସବୁଜିମାକୁ ଏଥିରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଏହି ଯୋଜନାରେ ପ୍ରତି ଗଳିକୁ ଚଉଡ଼ା ରାସ୍ତା ସହ ପାଣି, ବିଜୁଳି ସୁବିଧା ରହିବ। ଏଥିସହ ପ୍ରତି ଗଳିମୁଣ୍ଡରେ ପାର୍କ ବ୍ୟବସ୍ଥା ହେବ। ରାସ୍ତାର ଦୁଇପାର୍ଶ୍ବରେ ଗଛ ଲଗାଯିବ। ପଥଚାରୀଙ୍କ ପାଇଁ ବିଶ୍ରାମ ଓ ଅନ୍ୟାନ୍ୟ ଅବସର ବିନୋଦନର ବ୍ୟବସ୍ଥା କରାଯିବ। ଯେହେତୁ ଆମେ ସବୁଜିମାକୁ ଗୁରୁତ୍ବ ଦେଇଛୁ, ସେ ଦୃଷ୍ଟିରୁ ଜଙ୍ଗଲ ଜମିକୁ ବି ପ୍ରକଳ୍ପରୁ ବାଦ୍‌ ଦିଆଯାଇଛି। ପ୍ରଥମ କଥା ହେଉଛି, ଜଙ୍ଗଲ ଜମି ଅଡ଼ୁଆ ବହୁ ଜଟିଳ ଓ ଅନ୍ୟଟି ପ୍ରକଳ୍ପ ଦ୍ବାରା ଜଙ୍ଗଲକୁ ନଷ୍ଟ ନ କରିବାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି।  ସୂଚନାଯୋଗ୍ୟ, ପିପିପି ମୋଡ଼ରେ ଏହି କାମ ହେବ। ବିଡିଏ ପ୍ରକଳ୍ପର ନୋଡାଲ ଏଜେନ୍ସି ରହିବ। ଏଥିପାଇଁ ସିଙ୍ଗାପୁର ଏକ କମ୍ପାନି  ସହ ରାଜ୍ୟ ସରକାରଙ୍କ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *