ମନୋରଞ୍ଜନରାଜ୍ୟସମସ୍ୟା ଭିତ୍ତିକ ଖବରସାହିତ୍ୟ

ସହରକୁ ଅଣ୍ଟୁନି ପ୍ରେକ୍ଷାଳୟ

ସହରକୁ ଅଣ୍ଟୁନି ପ୍ରେକ୍ଷାଳୟ…

ମାର୍ଚ୍ଚ ଯାଇ ମେ ହେଲା, ସରିଲାନି କଳାମଣ୍ଡଳ କାମ

ଦିନକୁ ଦିନ ବଢ଼ିଚାଲିଛି ରାଜଧାନୀ ଭୁବନେଶ୍ବରର ଲୋକସଂଖ୍ୟା। ଏଥିସହ ଓଡ଼ିଆ ସିନେମାରୁ ବିମୁଖ ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ରାଜଧାନୀରେ ବଢ଼ିଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ ସଂଖ୍ୟା। ନାଟକ, ନୃତ୍ୟ ଓ ସଂଗୀତ ମହୋତ୍ସବ ସହ ବିଭିନ୍ନ ସ୍କୁଲ, କଲେଜ

ଭୁବନେଶ୍ୱର ୧୨ – ୦୫ – ୨୦୨୫ (ଏସ .ଏମ ) :  ଦିନକୁ ଦିନ ବଢ଼ିଚାଲିଛି ରାଜଧାନୀ ଭୁବନେଶ୍ବରର ଲୋକସଂଖ୍ୟା। ଏଥିସହ ଓଡ଼ିଆ ସିନେମାରୁ ବିମୁଖ ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ରାଜଧାନୀରେ ବଢ଼ିଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ ସଂଖ୍ୟା। ନାଟକ, ନୃତ୍ୟ ଓ ସଂଗୀତ ମହୋତ୍ସବ ସହ ବିଭିନ୍ନ ସ୍କୁଲ, କଲେଜ ଓ ସାମାଜିକ ଅନୁଷ୍ଠାନର କାର୍ଯ୍ୟକ୍ରମ ସହ ପୁସ୍ତକ ଉନ୍ମୋଚନ ସମାରୋହ ବି ବଢ଼ିଛି। କିନ୍ତୁ ଏହି ଅନୁଯାୟୀ ବଢ଼ିପାରୁନି ପ୍ରେକ୍ଷାଳୟ ସଂଖ୍ୟା। ଓଲଟା ରବୀନ୍ଦ୍ରମଣ୍ଡପ, ଭଞ୍ଜକଳାମଣ୍ଡପ, ଜୟଦେବଭବନ ଓ ଗୀତଗୋବିନ୍ଦସଦନ ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି। ସେପଟେ କୌଣସି ପ୍ରଭାବଶାଳୀ ରାଜନେତା ବା ସରକାରୀ ସମାରୋହ ଥିଲେ ଶେଷ ମୁହୂର୍ତ୍ତରେ ଆୟୋଜକଙ୍କ ବୁକିଂ ବାତିଲ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏକାମ୍ର ହାଟସ୍ଥିତ ମୁକ୍ତ ମଞ୍ଚ ଏବେ କାମରେ ଆସୁନଥିବା ବେଳେ ଉତ୍କଳମଣ୍ଡପର ମୁକ୍ତାକାଶ ମଞ୍ଚକୁ ବର୍ଷା ଭୟରେ ଆୟୋଜକମାନେ ଚାହୁନାହାନ୍ତି। ଅନ୍ୟପଟେ ୮ ବର୍ଷ ହେଲା ସରିପାରୁନି ରାଜ୍ୟର ବହୁ ପ୍ରତୀକ୍ଷିତ କଳାମଣ୍ଡଳ ନିର୍ମାଣ। ଗତ ନଭେମ୍ବରରେ ବିଧାନସଭା ଅଧିବେଶନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୫ ମାର୍ଚ୍ଚ ସୁଦ୍ଧା କଳାମଣ୍ଡଳ କାମ ସରିବ ବୋଲି ଡେଡ୍‌ଲାଇନ୍‌ ଶୁଣାଇଥିଲେ। ହେଲେ ମାର୍ଚ୍ଚ ଯାଇ ମେ ମାସ ଅଧା ହେବାକୁ ବସିଲାଣି କିନ୍ତୁ କଳାମଣ୍ଡଳ ନିର୍ମାଣ କାର୍ଯ୍ୟ ସରିପାରିଲାନି।

ରାଜଧାନୀରେ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପ୍ରେକ୍ଷାଳୟର ଅଭାବ ରହିଥିବା ବେଳେ ପ୍ରେକ୍ଷାଳୟର ଅଭାବ ପୂରଣ ନିମନ୍ତେ ୨୦୦୩ରୁ ‘କଳାମଣ୍ଡଳ’ର ପରିକଳ୍ପନା କରାଯାଇଥିଲା। କେନ୍ଦ୍ର ସରକାର ଏଥିପାଇଁ ୨ କୋଟି ୩୦ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୨୦୦୬ ମସିହାରେ ସୈନିକ ସ୍କୁଲ୍‌ ନିକଟ ଗଜପତି ନଗରରେ ୧୦ ଏକର ଜମି ଯୋଗାଇ ଦିଆଯାଇଥିଲା। ଇଡ୍‌କୋ ଏହାର ନିର୍ମାଣ ଦାୟିତ୍ବ ନେଇଥିଲା। ମାତ୍ର ପରେ ଜମିର ମାଲିକାନାକୁ ନେଇ ବିବାଦ ଉପୁଜିଥିଲା। ଫଳରେ ୭ ଏକରରେ ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ମାମଲା କୋର୍ଟକୁ ଯାଇଥିବା ବେଳେ ସଂସ୍କୃତି ବିଭାଗ ମାମଲା ଜିତିବା ପରେ ୯.୬୩୮ ଏକର ଜମିରେ ଏବେ କାମ ଚାଲୁରହିଛି।। ସାଂସ୍କୃତିକ କାର୍ଯ୍ୟକ୍ରମର ୱାନ୍‌ ଷ୍ଟପ୍‌ ଡେଷ୍ଟିନେସନ୍‌ ହେବାକୁ ଯାଉଥିବା ଏହି କଳାମଣ୍ଡଳ ପରିସର ମଧ୍ୟରେ ଏକ କଳାଗ୍ରାମ, ସଂଗ୍ରହାଳୟ, ମୁକ୍ତାକାଶ ମଞ୍ଚ ଓ ଅତିଥି ଭବନର ବ୍ୟବସ୍ଥା କରାଯାଇଛି। ପରିସର ମଧ୍ୟରେ ୨ ହଜାର ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସମେତ ୫୦୦ ଆସନ ବିଶିଷ୍ଟ ଆମ୍ପି ଥିଏଟର୍‌ କରାଯିବାର ଯୋଜନା ହୋଇଛି। ଇତିମଧ୍ୟରେ ଲଳିତ କଳାମଣ୍ଡଳ, ସଂଗୀତ କଳାମଣ୍ଡଳ, କଳାଗ୍ରାମ, ଐତିହ୍ୟ ପାର୍କ, କାଫେଟେରିଆ ଓ ଅତିଥି ଭବନର ନିର୍ମାଣ କାମ ଶେଷ ହୋଇଛି। ୬୨ ହଜାର ବର୍ଗଫୁଟ୍‌ ପରିମିତ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ପାର୍କିଂ ସୁବିଧା କରାଯିବା ନେଇ ବ୍ୟବସ୍ଥା ହୋଇଛି। ଏଥିସହ କଳାମଣ୍ଡଳ ନିର୍ମାଣର ବଜେଟ୍‌ ୧୦୦ କୋଟି ଅତିକ୍ରମ କରିସାରିଛି। ତଥାପି ଉଦ୍‌ଘାଟନ ହୋଇପାରିଲାନି କଳାମଣ୍ଡଳ। ଏହି ଅଡିଟୋରିୟମ ନିର୍ମିତ ହେଲେ ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ପାଇଁ ବାଟ ଫିଟିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବାରେ ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *