ଅପରାଧରାଜ୍ୟସମସ୍ୟା ଭିତ୍ତିକ ଖବର

ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ଅର୍ଚ୍ଚନା ନାଗ

ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ଅର୍ଚ୍ଚନା ନାଗ

ବ୍ଲାକ୍‌ମେଲିଂ ମାମଲାରେ ଗିରଫ ହେବା ପରଠୁ ତାଙ୍କ ବିରୋଧରେ ଷଡ୍‌ଯନ୍ତ୍ର କରିଥିବା ବଡ଼ବଡ଼ିଆଙ୍କ ମୁଖା ଖୋଲିବାକୁ କହି ଆସୁଥିବା ଅର୍ଚ୍ଚନା ନାଗ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଚାଞ୍ଚଲ୍ୟକର ପ୍ରସଙ୍ଗ ଉଗାରିଛନ୍ତି

ଭୁବନେଶ୍ୱର୧୩-୦୭-୨୦୨୫(ଏସ .ଏମ ) : ବ୍ଲାକ୍‌ମେଲିଂ ମାମଲାରେ ଗିରଫ ହେବା ପରଠୁ ତାଙ୍କ ବିରୋଧରେ ଷଡ୍‌ଯନ୍ତ୍ର କରିଥିବା ବଡ଼ବଡ଼ିଆଙ୍କ ମୁଖା ଖୋଲିବାକୁ କହି ଆସୁଥିବା ଅର୍ଚ୍ଚନା ନାଗ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଚାଞ୍ଚଲ୍ୟକର ପ୍ରସଙ୍ଗ ଉଗାରିଛନ୍ତି। ବିଜେଡିର ୩ ବରିଷ୍ଠ ନେତା ଓ ୪ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କ ବିରୋଧରେ ବଡ଼ଷଡ୍‌ଯନ୍ତ୍ର କରିଥିଲେ ବୋଲି ସେ ସିଧାସଳଖ କହିଛନ୍ତି। ଆହୁରି ଅଭିଯୋଗ କରିଛନ୍ତି ଯେ ତତ୍କାଳୀନ ଥାର୍ଡ ଫ୍ଲୋର୍‌ ଇଙ୍ଗିତରେ ବବି ଦାସଙ୍କ ସମେତ ବିଜେଡି ନେତା ଅମରେଶ ଜେନା, ମାନସ ମଙ୍ଗରାଜ ଏବଂ ତତ୍କାଳୀନ ପୁଲିସ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିମାଂଶୁ ସ୍ୱାଇଁ ଓ ଅନୁପ କାନୁନ୍‌ଗୋଙ୍କ ସମ୍ପୃକ୍ତି ରହିଛି। ମିଛ ମାମଲାରେ ତାଙ୍କୁ ବାନ୍ଧିବା ସହ ଜେଲ୍‌ରେ ମାରିଦେବାକୁ ଓ ପାଗଳୀ ସଜାଇବାକୁ ଉଦ୍ୟମ ହୋଇଥିଲା ବୋଲି ସେ କହିଛନ୍ତି। ତାଙ୍କ ନାଁରେ ଅଭିଯୋଗ ଆଣିଥିବା ଶ୍ରଦ୍ଧାଞ୍ଜଳି ବେହେରା ପରେ ତାଙ୍କୁ ସବୁ ସତ କହିଛି ଏବଂ ସେ ତା’ର ଅଡିଓ କ୍ଲିପ୍‌ ରଖିଥିବା କହିଛନ୍ତି। ଶ୍ରଦ୍ଧାଞ୍ଜଳିକୁ ବିଜେଡି ନେତା ଓ ପୁଲିସ ଅଧିକାରୀମାନେ ବ୍ୟବହାର କରି ତାଙ୍କୁ ଫସାଇଛନ୍ତି ବୋଲି ଅର୍ଚ୍ଚନା କହିବା ସହ ଶ୍ରଦ୍ଧାଞ୍ଜଳିଙ୍କ ଅଡିଓ କ୍ଲିପ୍‌ ସାମ୍ବାଦିକଙ୍କୁ ବାଣ୍ଟିଛନ୍ତି। ଆଜି ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ଜେଲ୍‌ରେ ହତ୍ୟା ଉଦ୍ୟମ ଓ ପାଗଳୀ ସଜାଇବାକୁ ଷଡ୍‌ଯନ୍ତ୍ର ହୋଇଥିଲା

ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବଙ୍କୁ ଭେଟି ଅଭିଯୋଗପତ୍ର ଦେଇଥିଲେ। ଆଜି ଲୋହିଆ ଏକାଡେମୀରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ଓ ପୁଲିସ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ସେ କହିଛନ୍ତି ଯେ ୨୦୨୨ ଅକ୍ଟୋବରରେ ତାଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ମାମଲା ରୁଜୁ ହେବାର ୪୮ଘଣ୍ଟା ପୂର୍ବରୁ ରାତାରାତି ତାଙ୍କୁ ବେଆଇନ ଭାବେ ବାଲିଅନ୍ତା ଥାନାକୁ ଉଠାଇ ନିଆଯାଇଥିଲା। ତାଙ୍କ ବିରୋଧରେ ଅଭିଯୋଗ କଣ ଓ କିଏ ଅଭିଯୋଗ କରିଛି, ତାହା ତାଙ୍କୁ ଜଣାଯାଇ ନଥିଲା। ସେ ଜେଲ୍‌ ଯିବା ପରେ ଜାଣିବାକୁ ପାଇଲେ ଯେ ଶ୍ରଦ୍ଧାଞ୍ଜଳିଙ୍କୁ ମୋହରା କରି, ଅର୍ଥ ଲାଳସା ଦେଖାଇ ମାମଲାର ଅଭିଯୋଗକାରିଣୀ ସଜାଇ ଦିଆଯାଇଛି। ପରେ ଶ୍ରଦ୍ଧାଞ୍ଜଳି ତାଙ୍କୁ ସବୁ ସତ କହିଥିଲେ ଏବଂ ସେ ଅଡିଓ କ୍ଲିପ୍‌ କରି ସାଇତି ରଖିଥିଲେ। ପୁଲିସ ଅଧିକାରୀମାନେ ବିଭିନ୍ନ ବାହାନାରେ ଜେଲ୍‌କୁ ଆସି ତାଙ୍କୁ ଧମକ ଦେଉଥିଲେ, ଏମିତିକି ଓଡ଼ିଶା ଛାଡ଼ି ପଳାଇବାକୁ କହିଥିଲେ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ତାଙ୍କୁ ଜେଲ୍‌ ଭିତରେ ନାନା ନିର୍ଯାତନା ଦିଆଯାଉଥିଲା ବୋଲି ସେ କହିଛନ୍ତି। ତାଙ୍କୁ ହତ୍ୟା କରିବା ଓ ପାଗଳୀ ସଜାଇବାକୁ ଉଦ୍ୟମ ହୋଇଥିଲା। ମାତ୍ର କିଛି ବିଚାରାଧୀନ କଏଦୀଙ୍କ ପାଇଁ ସେ ବଞ୍ଚିଗଲେ ବୋଲି କହିଛନ୍ତି। ଏହି ସବୁ ଘଟଣାର ପୁନଃତଦନ୍ତ ପାଇଁ ସେ ଦାବି କରିଛନ୍ତି ଏବଂ ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିଯିବ ବୋଲି କହିଛନ୍ତି। ଏହାକୁ ନେଇ ବିଜେଡି କର୍ପୋରେଟର ଅମରେଶ ଜେନା ଓ ପୂର୍ବତନ ବିଧାୟିକା ଲତିକା ଗଣମାଧ୍ୟମରେ ମତାମତ ରଖିଛନ୍ତି। ଶ୍ରୀ ଜେନା ତଦନ୍ତକୁ ଆହ୍ବାନ କରିଥିବା ବେଳେ ଶ୍ରୀମତୀ ପ୍ରଧାନ ବିଜେଡିର ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି। କେହି ବି କିଛି ଅଭିଯୋଗ କରିଦେଲେ ହେବନି, ସତ ମିଛର ପ୍ରମାଣ କରିବାକୁ କୋର୍ଟ ଅଛି ବୋଲି ସେ କହିଛନ୍ତି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *