BusinessLatestNewsPoliticsଅପରାଧବାଣିଜ୍ୟରାଜନୀତିରାଜ୍ୟ

ସୁନ୍ଦରଗଡ଼ ଖଣି ଚୋରି ମାମଲା: ସ୍ଥିତି ପରଖିଲେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ

ସୁନ୍ଦରଗଡ଼ ଖଣି ଚୋରି ମାମଲା: ସ୍ଥିତି ପରଖିଲେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ  ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ

ସୁନ୍ଦରଗଡ଼ ଏମସିଏଲ କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ପହଞ୍ଚି ଜଙ୍ଗଲ ଭିତର ଚୋରା ଖଣିର ସ୍ଥିତି ପରଖିଛନ୍ତି।

ସୁନ୍ଦରଗଡ଼/ଭୁବନେଶ୍ୱର ୧୮-୦୪-୨୦୨୫(ଏସ.ଏମ ) : ସୁନ୍ଦରଗଡ଼ ଏମସିଏଲ କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ପହଞ୍ଚି ଜଙ୍ଗଲ ଭିତର ଚୋରା ଖଣିର ସ୍ଥିତି ପରଖିଛନ୍ତି। ସଙ୍ଗରେ ବିଭାଗୀୟ ସଚିବମାନେ ମଧ୍ଯ ଆସି ଚୋରା ଖଣିର ଅନୁଧ୍ୟାନ କରିଛନ୍ତି। ନିର୍ଦ୍ଧାରିତ ସମୟଠାରୁ ଘଣ୍ଟା ବିଳମ୍ବରେ ଦୁଇ ମନ୍ତ୍ରୀ ଆସି ଏମସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ଖଣି, ବନ ବିଭାଗ, ପ୍ରଶାସନ ଓ ପୁଲିସର ଆଖି ଆଗରେ ବେଆଇନ ଭାବେ ଚାଲିଥିବା ଖଣି ଖନନ ଓ ହଜାର ହଜାର ଟନ୍‌ କୋଇଲା ଲୁଟ୍ ର ବାସ୍ତବସ୍ଥିତି ବୁଲି ବୁଲି ଦେଖିଛନ୍ତି।ସୁନ୍ଦରଗଡ଼ରେ କିଭଳି ରାଜ୍ୟର ସବୁଠାରୁ ବଡ଼ କୋଇଲା ଲୁଟ୍‌ ହୋଇଛି ତାହାର ସତ ପରଖିଛନ୍ତି।

 ଏମସିଏଲ ବସୁନ୍ଧରା ପଶ୍ଚିମ ଖଣି ପ୍ରକଳ୍ପକୁ ଆବଣ୍ଟିତ ଏହି ଅଞ୍ଚଳରେ ୧୫ ବର୍ଷ ହେଲା କୋଇଲା ମାଫିଆ ଡେରା ପକାଇ ଶହଶହ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ରାଜ୍ଯ ବାହାରକୁ ଚାଲାଣ କରୁଥିଲେ। ପ୍ରଥମ କରି ସମ୍ବାଦରେ ଏ ଖବର ପ୍ରକାଶ ପରେ ସାରା ରାଜ୍ୟରେ ହଇଚଇ ଖେଳି ଯାଇଥିଲା। ଖଣି, ବନ ଓ ରାଜସ୍ବ ବିଭାଗଙ୍କ ଆଖି ଆଗରେ କିପରି ଏତେ ବଡ଼ ଲୁଟ୍ ଚାଲିଥିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ମଧ୍ଯରେ ଏକ ଚାଞ୍ଚଲ୍ୟକର ସୂଚନା ସମ୍ବାଦ ହାତରେ ଲାଗିଥିଲା। ଗୋପାଳପୁର ଅଞ୍ଚଳରେ ଖଣିଜ ଲୁଟ୍ ହେଉଥିବା ନେଇ ଗୋପାଳପୁର ବନାଞ୍ଚଳ ଅଧିକାରୀ ତତ୍କାଳୀନ ହେମଗିର ତହସିଲଦାର ଲାବଣ୍ଯେନ୍ଦୁ ମହାନ୍ତିଙ୍କୁ ଚିଠି ଲେଖି ଜଣାଇଥିଲେ ବି ସେ ଚିଠିକୁ ଲୁଚାଇ ଦେଇଥିଲେ। ଯାହାକୁ ନେଇ ଜିଲ୍ଲାପାଳ ତାଙ୍କୁ କାରଣଦର୍ଶ‌ାଅ ନୋଟିସ ଜାରି କରିଥିଲେ। ଏସବୁ ଘଟଣାକ୍ରମରେ କୋଇଲାର ବଡ଼ ଲୁଟ୍ ସମ୍ପର୍କରେ ପ୍ରଶାସନ ଅବଗତ ଥିଲେ ବି ବିସ୍ମୟକର ଭାବେ ତାକୁ ରୋକିବା କି ଧରପଗଡ଼ କରି ନଥିଲେ। ଖଣି, ବନ, ରାଜସ୍ବ ବିଭାଗ, ପୁଲିସ ସମସ୍ତେ ପ୍ରଶ୍ନ ଘେରକୁ ଆସିଗଲେ। ଏସ୍ଥିତିରେ ସମ୍ବାଦ ସମେତ ଅନ୍ଯ ଗଣମାଧ୍ୟମରେ ଲଗାତର ଖବର ପ୍ରକାଶ ପରେ ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ ଓ ପୂର୍ବତନ ବିଧାୟିକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା, ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ସିବିଆଇ ତଦନ୍ତ ଓ ପୂର୍ବତନ ବାଚସ୍ପତି କିଶୋରଚନ୍ଦ୍ର ପଟେଲ ଅବସ୍ଥାପିତ ବିଚାରପତିଙ୍କ ମାଧ୍ୟମରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ଏହା ପରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶରେ ଶୁକ୍ରବାର ଦୁଇ ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ ସୁନ୍ଦରଗଡ଼ ଆସି ଚୋରା ଖଣି ଅଞ୍ଚଳ ବୁଲି ଦେଖିଛନ୍ତି।ବେଆଇନ ଭାବେ କେତେ ଖଣି ଖୋଳା ଯାଇଛି,‌ କେତେ ପରିମାଣର କୋଇଲା ଚୋରି ହୋଇଛି ତାର ଅନୁଧ୍ୟାନ କରିଛନ୍ତି। ଏହା ପରେ ଓସିପିଏଲ ଅତିଥି ଭବନରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭୁବନେଶ୍ବରରୁ ଖଣି ଓ ଭୂତତ୍ତ୍ବ ବିଭାଗର ୯ ଜଣିଆ ଟିମ୍ ଆସି ଦୁଇ ଦିନ ଧରି ଚୋରା ଖଣି ଓ ଲୁଟ୍ କୋଇଲାର ଆକଳନ କରି ଫେରି ଯାଇଛନ୍ତି। ଅନ୍ଯପଟେ ଖଣି ବିଭାଗର ଏତଲାକ୍ରମେ, ଖଣିଜ ଲୁଟ୍ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ହେଲେ ଏଯାଏ ଖଣି ଲୁଟ୍ ର ମୁଖ୍ୟ କାର୍ପଟଦାର ବା ବଡ଼ ଡକାୟତ ଧରା ପଡ଼ିନାହାନ୍ତି। ଏ ସ୍ଥିତିରେ ଦୁଇ ବିଭାଗୀୟ ମନ୍ତ୍ରୀଙ୍କ ଚୋରା ଖଣି ଅଞ୍ଚଳ ଗସ୍ତ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଖଣି ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ମନରେ ଛନକା ଖେଳାଇ ଦେଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *