ରାଜନୀତିରାଜ୍ୟ

ସୁବର୍ଣ୍ଣପୁର ହେବ ସୁନାର ଜିଲ୍ଲା: ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର ହେବ ସୁନାର ଜିଲ୍ଲା: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶନିବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ରାମେଶ୍ୱର ଷ୍ଟାଡିୟମରେ ଆୟୋଜିତ ସଭାରେ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୩୨୩ କୋଟିରୁ ଅଧିକ ଟଙ୍କାର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି

ସୋନପୁର/ଭୁବନେଶ୍ୱର୦୮-୦୬-୨୦୨୫ (ଏସ .ଏମ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ରାମେଶ୍ୱର ଷ୍ଟାଡିୟମରେ ଆୟୋଜିତ ସଭାରେ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୩୨୩ କୋଟିରୁ ଅଧିକ ଟଙ୍କାର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍‍ଘାଟିତ ହୋଇଛି ଏବଂ ପ୍ରାୟ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଡ଼କ ନିର୍ମାଣ, ଜଳସେଚନ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟସେବା, ମେଗା ଲିଫ୍‍ଟ, ହଷ୍ଟେଲ ଇତ୍ୟାଦି ରହିଛି। ମହାନଦୀ ଉପରେ ଗୋଧନେଶ୍ୱର, ଖଇରମାଳ ସହିତ ଉଲୁଣ୍ଡାର ହରିହରଯୋର ଓ ବୀରମହାରାଜପୁରର ସୁରୁବାଲିଯୋରଠାରେ ୪ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ଅଞ୍ଚଳ ପୁରାତନ କାଳରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।

୩୨୩ କୋଟିର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ
ଗୋଧନେଶ୍ୱର, ଖଇରମାଳ, ଉଲୁଣ୍ଡା ଓ ସୁରୁବାଲିରେ ହେବ ନଦୀଗର୍ଭ ଜଳାଶୟ ପ୍ରକଳ୍ପ

ଏହି ଜିଲ୍ଲା ହେଉଛି ପ୍ରାଚୀନ ଐତିହ୍ୟ, ଧାର୍ମିକ ଭାବନା, ଆଧ୍ୟାତ୍ମିକ ଚିନ୍ତାଧାରା ଓ ଲୋକସଂସ୍କୃତିର ଗୌରବମୟ ପ୍ରତୀକ। ସନ୍ଥକବି ଭୀମଭୋଇଙ୍କ ସାଧନାର କ୍ଷେତ୍ର। ସାହିତ୍ୟ, ଇତିହାସ ଓ କଳା କ୍ଷେତ୍ରରେ ରାଜ୍ୟରେ ଏ ମାଟିର ପ୍ରସିଦ୍ଧି ରହିଛି। ଜିଲ୍ଲାର ଆକର୍ଷଣୀୟ ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଓଡ଼ିଶାକୁ ଗୌରବାନ୍ୱିତ କରିଛି। ଆମ ସରକାର ଯାହା କଥା ଦିଅନ୍ତି ତାହା କରିକି ଦେଖାନ୍ତି। ଆମେ ପ୍ରତିଶ୍ରୁତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ। ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ। ଚାଷୀମାନଙ୍କୁ ଅସମୟରେ ସାହାଯ୍ୟ କରିବା ପାଇଁ ଅଦିନିଆ ବର୍ଷା କ୍ଷୟକ୍ଷତିକୁ ରିଲିଫ୍‍ କୋଡ୍‌ରେ ଅନ୍ତର୍ଭୁକ୍ତ କରିଛୁ। ଆଜି ବିକାଶପଥରେ ଓଡ଼ିଶା ଅଗ୍ରସର ହେଉଛି। ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାକୁ ସୁନାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆପଣମାନେ ପ୍ରସ୍ତାବ ଦିଅନ୍ତୁ, ମୁଁ ସମସ୍ତ ସହଯୋଗ ଦେବି। ଜିଲ୍ଲାର ବିକାଶ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସୁବର୍ଣ୍ଣପୁରକୁ ଓଡ଼ିଶାର ଏକ ନମ୍ୱର ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଥିଲେ।

ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ବିକାଶର ନୂଆ ପର୍ବ ଆରମ୍ଭ ହୋଇଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ପଛୁଆ ଅଞ୍ଚଳଗୁଡ଼ିକୁ ଆଗକୁ ଆଣିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ପ୍ରଗତି ଓ ବିକାଶ ପାଇଁ ସମସ୍ତେ ଏକଜୁଟ୍‍ ହୋଇ କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ବଣ୍ଟନ କରିଥିଲେ। ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ସ୍ୱାଗତ ଭାଷଣ ଓ ଜିଲ୍ଲାପାଳ ଅନ୍ୟା ଦାସ ଧନ୍ୟବାଦ ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *