ସେନ୍ସେକ୍ସରେ ୧୦୨୩ ପଏଣ୍ଟ ବୃଦ୍ଧି: ନିବେଶକଙ୍କୁ ୬ ଲକ୍ଷ କୋଟି ଫାଇଦା
ସେନ୍ସେକ୍ସରେ ୧୦୨୩ ପଏଣ୍ଟ ବୃଦ୍ଧି: ନିବେଶକଙ୍କୁ ୬ ଲକ୍ଷ କୋଟି ଫାଇଦା
ବହୁଦିନ ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଗୋଟିଏ ଦିନରେ ୧୦୦୦ ପଏଣ୍ଟରୁ ଅଧିକ ବଢ଼ିଛି। ବୁଧବାର ସେନ୍ସେକ୍ସ ୧୦୨୩ ପଏଣ୍ଟ ବୃଦ୍ଧି ପାଇ ୮୫,୬୧୦ ପଏଣ୍ଟରେ ବନ୍ଦ ହୋଇଛି।
ମୁମ୍ବାଇ/ଭୁବନେଶ୍ୱର ୨୭-୧୧-୨୦୨୫(ଏସ.ଏମ ) : ବହୁଦିନ ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଗୋଟିଏ ଦିନରେ ୧୦୦୦ ପଏଣ୍ଟରୁ ଅଧିକ ବଢ଼ିଛି। ବୁଧବାର ସେନ୍ସେକ୍ସ ୧୦୨୩ ପଏଣ୍ଟ ବୃଦ୍ଧି ପାଇ ୮୫,୬୧୦ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କୁ ୬ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ପରିମାଣ ୪୭୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୧୫୩ ଦିନ ପରେ ସେନ୍ସେକ୍ସ ଗୋଟିଏ ଦିନରେ ୧୦୦୦ ପଏଣ୍ଟରୁ ଅଧିକ ବଢ଼ିଛି। ଏହା ପୂର୍ବରୁ ଚଳିତ ବର୍ଷ ଜୁନ୍ ୨୬ରେ ସେନ୍ସେକ୍ସ ୧୦୦୦ ପଏଣ୍ଟ ବଢ଼ିଥିଲା।ବୁଧବାର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୨୧ ପଏଣ୍ଟ ବୃଦ୍ଧି ପାଇ ୨୬,୨୦୫ ପଏଣ୍ଟରେ ବନ୍ଦ ହୋଇଛି। ନିଫ୍ଟିର ଅଂଶ ଥିବା ୫୦ଟି କମ୍ପାନି ମଧ୍ୟରୁ ୪୪ଟି କମ୍ପାନିର ସେୟାର ମୂଲ୍ୟ ବଢ଼ିଛି। ସୂଚନା ପ୍ରଯୁକ୍ତି, ଧାତବ, ଗଣମାଧ୍ୟମ, ବ୍ୟାଙ୍କିଙ୍ଗ ଓ ଅଟୋମୋବାଇଲ୍ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ସେହିପରି, ସେନ୍ସେକ୍ସର ଅଂଶ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୮ଟି ସଂସ୍ଥାର ସେୟାର ମୂଲ୍ୟ ଆଜି ବଢ଼ିଥିଲା। ବଜାଜ ଫାଇନାନ୍ସ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାର ମୂଲ୍ୟରେ ଅଧିକ ବୃଦ୍ଧି ହୋଇଥିଲା। ବିଶେଷଜ୍ଞମାନଙ୍କ ମତରେ ସାରା ବିଶ୍ବରେ ଥିବା ବିଭିନ୍ନ ଷ୍ଟକ୍ ବଜାରରେ କାରବାର ଭଲ ରହିବାର ପ୍ରଭାବ ଭାରତରେ ପ୍ରତିଫଳିତ ହୋଇଥିଲା। ଆମେରିକାଠାରୁ ଆରମ୍ଭ କରି ଏସିଆର ବିଭିନ୍ନ ଷ୍ଟକ୍ ବଜାରରେ ଉତ୍ସାହଜନକ କାରବାର ହୋଇଥିଲା।
