ରାଜ୍ୟସମସ୍ୟା ଭିତ୍ତିକ ଖବର

ସୈନିକ ସ୍କୁଲ ନିକଟ ଅଳିଆଗଦା ହଟାଇବାକୁ ଦାବି

ସୈନିକ ସ୍କୁଲ ନିକଟ ଅଳିଆଗଦା ହଟାଇବାକୁ ଦାବି

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଘେରିଲେ ଅଞ୍ଚଳବାସୀ

ଭୁବନେଶ୍ୱର ୩୦-୧୦-୨୦୨୫(ଏସ.ଏମ.) :  ସୈନିକ ସ୍କୁଲ ନିକଟ ଅଳିଆଗଦା ହଟାଇବା ଦାବିରେ ଆଜି ସୈନିକ ସ୍କୁଲ ବଞ୍ଚାଅ, ଅଳିଆ ଗଦା ହଟାଅ ଅଭିଯାନ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମୁଖରେ ଆମରଣ ଅନଶନ ହୋଇଛି। ଅଭିଯାନ ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜାଣିବା ପରେ ଗତକାଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରବରିଆ ଭାବେ ଚିଠି ଲେଖି ଆମରଣ ଅନଶନ ବନ୍ଦ ରଖିବାକୁ ଅନୁରୋଧ କରିଥିଲା। ସମସ୍ତ ପ୍ରକ୍ରିୟା ଚାଲିଥିବା ଦର୍ଶାଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଯୋଗାଯୋଗ କରିବାକୁ କହିଥିଲା। ମାତ୍ର ଅଭିଯାନର ସଦସ୍ୟମାନେ ତାହାକୁ ଖାତିର କରି ନ ଥିଲେ। ତୁହାକୁ ତୁହା ବର୍ଷା ସତ୍ତ୍ବେ ଅଭିଯାନ ଡାକରାରେ ଶହ ଶହ ସଂଖ୍ୟାରେ ଜନସାଧାରଣ ଆମରଣ ଅନଶନରେ ସାମିଲ ହୋଇଥିଲେ। ପାଖାପାଖି ଦୁଇଘଣ୍ଟା ଧରି ଆନ୍ଦୋଳନକାରୀମାନେ ଧାରଣାରେ ବସିବା ପରେ ପ୍ରଦୂଷଣ ବୋର୍ଡର ଅଧିକାରୀମାନେ ଆଲୋଚନା କରିବାକୁ ପହଞ୍ଚିଥିଲେ। ଆଲୋଚନା ସମୟରେ ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ବୋର୍ଡର ବରିଷ୍ଠ ବୈଜ୍ଞାନିକ ଉଷାରାଣୀ ପଟ୍ଟନାୟକ କହିଥିଲେ ଯେ ଗାଡକଣ ଅଳିଆ ପ୍ରୋସେସିଂ ସମ୍ପୂର୍ଣ୍ଣ ସେଟ୍‌ଅପ୍ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଏସମ୍ପର୍କରେ ବିଏମ୍‌ସି ଲିଖିତ ଭାବେ ଜଣାଇଛି। କେତେଦିନ ଅଳିଆଗଦା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଏମ୍‌ସିକୁ ଏକ ସମୟ ଦିଆଯିବ। ଆଇନଗତ ପ୍ରକ୍ରିୟା ମଧ୍ୟରେ ବିଏମ୍‌ସିକୁ ଜରିମାନା କରାଯିବ। ପୂର୍ବରୁ ଗଦା ହୋଇଥିବା ଅଳିଆ ପ୍ରକ୍ରିୟାକରଣ ହେତୁ ସୀମିତ ସମୟ ପାଇଁ ସିଟିଓ ଦିଆଯାଇଛି। ତାହାକୁ ଧାର୍ଯ୍ୟ ସମୟ ଭିତରେ ରଦ୍ଦ କରାଯାଇପାରେ ବୋଲି ସେ କହିଥିଲେ।

ଆଲୋଚନା ପରେ ଅଭିଯାନ ପକ୍ଷରୁ ଆଜିର ଆମରଣ ଅନଶନକୁ ପ୍ରତ୍ୟାହାର କରାଯାଇଛି। ଆଗକୁ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି। ଆଜିର ଆମରଣ ଅନଶନରେ ଅଭିଯାନର ଆବାହକ ଦିଲ୍ଲୀପ ଦାସଶର୍ମା, ସମ୍ପାଦକ ସନ୍ଦୀପ ଦାସ, ଯୁଗ୍ମ ଆବାହକ ସଞ୍ଜୟ ମଲ୍ଲିକ, ଶଙ୍କର୍ଷଣ ବାରିକ, ଲଲାଟକେଶରୀ ଜେନା, ଯୁଗ୍ମ ସମ୍ପାଦକ ଚିନ୍ତାମଣି ବାରିକ, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ଅଜୟ ସାମନ୍ତରାୟ, କୃପାସିନ୍ଧୁ ସାହୁ, ଜୟନ୍ତ କୁମାର ପରିଡ଼ା, ମହେଶ୍ୱର ବିଶ୍ବାଳ, ନିମାଇଁ ଚରଣ ଦାସ, ଶିତଳ ଚନ୍ଦ୍ର ମହାନ୍ତି, ଭ୍ରମରବର ପ୍ରଧାନ, ରାମଚନ୍ଦ୍ର ସାମଲ, ତ୍ରିଲୋଚନ ରଥ, ବିଜୟ କୁମାର ଦେ, ବିଭୁତି ଭୂଷଣ ତ୍ରିପାଠୀ, ବିବେକାନନ୍ଦ ମହାନ୍ତି, ମଳୟ ରଥଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *