ହୁଗୁଳିଗଲା ଜେଲ୍ ସୁରକ୍ଷା: ସୋର ଜେଲ୍ରୁ କଏଦୀ ଚମ୍ପଟ, ଚୌଦ୍ବାର ଜେଲ୍ରେ କଏଦୀ ପିଟାପିଟି
ହୁଗୁଳିଗଲା ଜେଲ୍ ସୁରକ୍ଷା
ସୋର ଜେଲ୍ରୁ କଏଦୀ ଚମ୍ପଟ, ଚୌଦ୍ବାର ଜେଲ୍ରେ କଏଦୀ ପିଟାପିଟି
ଚୌଦ୍ବାର ଜେଲ୍ରୁ ଫେରାର ହୋଇଯାଇଥିବା ଦୁଇ ବିଚାରାଧୀନ କଏଦୀଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳିନଥିବା ବେଳେ ବାଲେଶ୍ବର ଜିଲ୍ଲାର ସୋର ସବ୍ଜେଲ୍ରୁ ଜଣେ ବନ୍ଦୀ ଫେରାର୍ ହୋଇଯାଇଛି।
ବାଲେଶ୍ବର/ସୋର ୨୨-୧୦-୨୦୨୫ (ଏସ.ଏମ ) : ଚୌଦ୍ବାର ଜେଲ୍ରୁ ଫେରାର ହୋଇଯାଇଥିବା ଦୁଇ ବିଚାରାଧୀନ କଏଦୀଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳିନଥିବା ବେଳେ ବାଲେଶ୍ବର ଜିଲ୍ଲାର ସୋର ସବ୍ଜେଲ୍ରୁ ଜଣେ ବନ୍ଦୀ ଫେରାର୍ ହୋଇଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ରାତି ୯.୩୦ରେ ଖବର ଲେଖାହେଲା ବେଳକୁ ଜେଲ୍ କର୍ତ୍ତୃପକ୍ଷ ନିକଟସ୍ଥ ସୋର ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି। ତେବେ ଘଟଣାର ତଦନ୍ତ ପାଇଁ ଜେଲ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଫେରାର ବିଚାରାଧୀନ କଏଦୀ ଝାଡ଼ଖଣ୍ଡ ବୋକାରୋର ଗଣେଶ ରାଏଙ୍କ ପୁଅ ଦୀପକ କୁମାର ରାଏ ବୋଲି ଜଣାପଡ଼ିଛି। ଦୀପକ ଗତ ୧୯ ତାରିଖ ଦିନ ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ସୋର୍ ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହି ଆସୁଥିଲା। ହସ୍ତଗତ ସୂଚନା ଅନୁସାରେ, ସିମୁଳିଆ ଥାନା ଅନ୍ତର୍ଗତ କାର୍ ଚୋରି ସନ୍ଦେହରେ ପୁଲିସ ତାକୁ ଗିରଫ କରିଥିଲା। ସେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ସମ୍ପୃକ୍ତ କାର୍ ମାଲିକ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାର ପ୍ରଦୀପ କୁମାର ବେହେରା ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ, ଏହି ସମୟରେ ଅଭିଯୁକ୍ତ ଦୀପକ ତାଙ୍କୁ ଗାଳିଗୁଲଜ ସହିତ ହତ୍ୟା ଧମକ ଦେଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଥିଲା।
ଏହାପରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେ ସୋର ସବ୍ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିଲା। ତେବେ, ଆଜି ସନ୍ଧ୍ୟା ୫ଟାରେ ଜେଲ୍ରେ ଖାଇବାକୁ ଦିଆଯାଇଥିଲା। ଏହାପରେ ସେ ଅଣ୍ଟାରେ କମ୍ବଳ ଗୁଡ଼ାଇ ଜେଲ୍ ପଛପଟେ ମହିଳା ୱାର୍ଡ ପାଚେରି ଡେଇଁ ଫେରାର ହୋଇଯାଇଥିଲା। ଆଜି ସନ୍ଧ୍ୟାରେ ଜେଲ୍ରେ କଏଦୀଙ୍କ ଗଣନା ହେଉଥିବା ବେଳେ ଫେରାର ସମ୍ପର୍କରେ ଜଣାପଡ଼ିଥିଲା। ଜେଲ୍ରୁ ୨ଜଣ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ, ଜଣେ ଫେରାର ହୋଇଥିବା ବାଲେଶ୍ବର ଏସ୍ପି ପ୍ରତ୍ୟୁଷ ଦିବାକର କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୋର ସବ୍ଜେଲ୍ରେ ୨୫୦ଜଣ ବନ୍ଦୀ ରହୁଥିବା ବେଳେ ସେମାନଙ୍କୁ ଜଗିବା ପାଇଁ ମାତ୍ର ୩ଜଣ ସୁରକ୍ଷା କର୍ମୀ ରହିଛନ୍ତି। ଯେଉଁଥିପାଇଁ ଏହିଭଳି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଜେଲ୍ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚୌଦ୍ବାର ଜେଲ୍ରେ କଏଦୀ ପିଟାପିଟି…
ଚୌଦ୍ବାର: ଚୌଦ୍ବାର ଜେଲ୍ରୁ କିଛି ଦିନ ତଳେ ଦୁଇ ବିହାରୀ କଏଦୀ ପାଚେରି ଡେଇଁ ଚମ୍ପଟ ମାରିଥିବା ବେଳେ ସେମାନଙ୍କ ସମ୍ପର୍କରେ ପୁଲିସ୍ ଏଯାଏଁ କୌଣସି ସୂଚନା ପାଇ ପାରିନାହିଁ। ଅନ୍ୟପଟେ ଗତକାଲି ଚୌଦ୍ବାର ଜେଲ୍ରେ ଦୁଇ ବିଚାରାଧୀନ କଏଦୀଙ୍କ ମଧ୍ୟରେ ମାରପିଟ୍ ଯୋଗୁ ଜଣେ କଏଦୀଙ୍କ ମୁଣ୍ତ ଫାଟି ଲହୁଲୁହାଣ ହୋଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛି।
ଜେଲ୍ର ୬୨ ନମ୍ବର ସେଲ୍ରେ କବି ସେଠ୍ ନାମକ ଜଣେ କଏଦୀ ଓ ସେହି ୱାର୍ଡରେ ରହୁଥିବା ଅନ୍ୟ ଜଣେ କଏଦୀ ସନ୍ତୋଷ ସିହ୍ନା ମଧ୍ୟରେ ବଚସା ହୋଇଥିଲା। ହଠାତ୍ ସନ୍ତୋଷ ସିହ୍ନା ଖାଇବା ଥାଳିରେ କବିକୁ ଆକ୍ରମଣ କରିଥିଲା। ଆକ୍ରମଣରେ କବିର ମୁଣ୍ତ ଫାଟି ଯାଇଥିଲା। ଜେଲ୍ କର୍ତ୍ତୃପକ୍ଷ ତାକୁ କଟକ ବଡ଼ଡାକ୍ତରଖାନାକୁ ପଠାଇଥିଲେ। ଚୌଦ୍ବାର ଥାନା ଅଧିକାରୀ ଦୀପକ କୁମାର ଖଣ୍ତାୟତରାୟ ଏ ସମ୍ପର୍କରେ ଖବର ପାଇ ଜେଲର ଦାୟିତ୍ବରେ ଥିବା ସବଜେଲର୍ ପୁରୁଷୋତ୍ତମ ବେହେରାଙ୍କୁ ଯୋଗଯୋଗ କରିଥିଲେ। ଶ୍ରୀ ବେହେରାଙ୍କ ସୂଚନା ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଚୌଦ୍ବାର ଜେଲ୍ରେ ଏଭଳି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବରଗଡ଼ରେ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା…
ବରଗଡ଼: ବରଗଡ଼ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ଅତାବିରା ଥାନା ଅନ୍ତର୍ଗତ ଜହ୍ନାପଡ଼ା ଗାଁର ଗିରିଧାରୀ ରୋହିଦାସ (୩୮)। ସେ ଗତ ଅଗଷ୍ଟ ମାସରୁ ପୋକ୍ସୋ ମାମଲାରେ ବିଚାରାଧୀନ ବନ୍ଦୀ ଭାବେ ଜେଲ୍ରେ ଥିଲେ। ତେବେ ସୋମବାର ରାତି ପ୍ରାୟ ଗୋଟାଏରେ ଜେଲ୍ର ୮ ନମ୍ବର ସେଲ୍ରେ ଥିବା ଇନ୍ଭର୍ଟର ତାରକୁ ଛିଣ୍ଡାଇ, ସେହି ଜୀବନ୍ତ ବିଦ୍ୟୁତ୍ ତାରକୁ ଛୁଇଁ ସେ ମୃତ୍ୟୁବରଣ କରିଥିବା ଜେଲ୍ ଅଧୀକ୍ଷକ ସଲମାନ କୁଜୁର ସୂଚନା ଦେଇଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାକୁ ନେଇ ପୁଲିସ ତଦନ୍ତ କରୁଛି। ପୂର୍ବରୁ ଜିଲ୍ଲା କାରାଗାରର ଏହି ୮ ନମ୍ବର ସେଲ୍ରେ ଅନ୍ୟ ଜଣେ କଏଦୀ ଆତ୍ମହତ୍ୟା କରିଥିବାବେଳେ ପୁଣି ଜଣେ କଏଦୀଙ୍କ ଏହି ସେଲ୍ରେ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।