ଘଟଣା ଦୁର୍ଘଟଣାଦେଶ- ବିଦେଶରାଜନୀତିସମସ୍ୟା ଭିତ୍ତିକ ଖବର

ୟୁକ୍ରେନରେ ରୁଷ୍‌ର ଧ୍ବଂସଲୀଳା ଜାରି

ୟୁକ୍ରେନରେ ରୁଷ୍‌ର ଧ୍ବଂସଲୀଳା ଜାରି

ବ୍ୟାପକ ଅଞ୍ଚଳ ଛାରଖାର, ଟ୍ରମ୍ପଙ୍କ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ୱାସିଂଟନ/ନୂଆଦିଲ୍ଲୀ ୦୯-୦୬-୨୦୨୫(ଏସ .ଏମ ) : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ଗମ୍ଭୀର ମୋଡ଼ ନେଇଛି। ଜୁନ୍ ପହିଲାରେ ୟୁକ୍ରେନ ଦ୍ୱାରା ରୁଷ୍‌ର ଏୟାରବେସ୍ ଏବଂ ଲଢୁଆ ବିମାନ ଉପରେ ହୋଇଥିବା ଆକ୍ରମଣର ଜବାବରେ ରୁଷ୍‌ ଭୀଷଣ ଆକ୍ରମଣ ଜାରି ରଖିଛି। ଗତ ୩ ଦିନ ଧରି ରୁଷ୍‌ର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଥିବା ବେଳେ ରାଜଧାନୀ କିବ୍‌ର ବ୍ୟାପକ ଅଂଚଳ ଛାରଖାର ହୋଇଯାଇଛି। ଶତାଧିକ ସରକାର ପ୍ରତିଷ୍ଠାନ ଓ କାରଖାନା ମାଟିରେ ମିଶିଯାଇଥିବା ବେଳେ ଅନେକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ରୁଷ୍‌ ଗତ ୪୮ ଘଣ୍ଟା ମଧ୍ୟରେ ଶତାଧିକ କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ୮୦୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଥିବା ୟୁକ୍ରେନ କହିଛି।

ଅନ୍ୟପକ୍ଷରେ ଅସ୍ତ୍ରବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସକୁ ବଡ଼ ଝଟ୍‌କା ଲାଗିଛି। ଆମେରିକାର କୌଣସି ପ୍ରସ୍ତାବକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗ୍ରହଣ କରୁନଥିବା ବେଳେ ନିଜ ସର୍ତ୍ତରେ ହିଁ ଅସ୍ତ୍ରବିରତି ହେବ ବୋଲି ଅଟଳ ରହିଛନ୍ତି। ଏଭଳି ସ୍ଥିତିରେ ଟ୍ରମ୍ପ ଏବେ ରୁଷ୍‌କୁ ଧମକ ଦେଉଛନ୍ତି ଏବଂ ୟୁକ୍ରେନକୁ ମଧ୍ୟ ଯୁଦ୍ଧର ତୀବ୍ରତା ପାଇଁ ଦାୟୀ କରିଛନ୍ତି। ତେବେ ଉଭୟ ପକ୍ଷ ଟ୍ରମ୍ପଙ୍କ କୌଣସି କଥାକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ରୁଷ୍‌ ଏବେ ଆହୁରି ଭୟାନକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଏବଂ ଏହି ଯୁଦ୍ଧ ଅତି କମ୍‌ରେ ଆହୁରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିପାରେ ବୋଲି ଅନେକ ବିଶେଷଜ୍ଞ ମତ ରଖିଛନ୍ତି।

ୟୁକ୍ରେନର ଅଧିକାରୀ ଏବଂ ପାଶ୍ଚାତ୍ୟ ଗୁଇନ୍ଦା ଏଜେନ୍ସିମାନେ ବିଶ୍ୱାସ କରନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କ ପ୍ରକୃତ ଲକ୍ଷ୍ୟ ଏପର୍ଯ୍ୟନ୍ତ ସାମନାକୁ ଆସିନାହିଁ। ସେମାନେ ସନ୍ଦେହ କରୁଛନ୍ତି ଯେ ପୁଟିନ୍ କେବଳ ୪ଟି ୟୁକ୍ରେନୀୟ ଅଞ୍ଚଳରେ ଡୋନେସ୍କ୍, ଲୁହାନ୍‌ସ୍କ, ଖେରସନ୍, ଜାପୋରିଜିଆରେ ସୀମିତ ରହିବେ ନାହିଁ। ପୁଟିନ ୟୁକ୍ରେନର ଅଧା ଅଂଚଳକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଛନ୍ତି ଏବଂ କୃଷ୍ଣ ସାଗରରେ ୟୁକ୍ରେନର ପ୍ରବେଶ ବନ୍ଦ କରି ଏହାକୁ ସଙ୍କୁଚିତ କରିଦେବାକୁ ଚାହୁଛନ୍ତି। ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ଆଭିମୁଖ୍ୟରେ ଦେଖିବାକୁ ମିଳୁଥିବା ଅନିଶ୍ଚିତତା ୟୁରୋପୀୟ ରାଷ୍ଟ୍ରମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ରୁଷ୍‌ ବିରୋଧରେ ମିଳିତ ରଣନୀତି ପାଇଁ ୟୁରୋପୀୟ ସଂଘର ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *