ରାଜନୀତିରାଜ୍ୟ

୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍‌ଘାଟନ

୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍‌ଘାଟନ…

ଢେଙ୍କାନାଳକୁ ୩୦୮ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ/ଭୁବନେଶ୍ୱର ୦୫-୦୬-୨୦୨୫(ଏସ.ଏମ ) :  ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ଅପରାହ୍‌ଣରେ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ ୧୨୦ କୋଟି ଟଙ୍କା ବ୍ୟୟରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ୭୬ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଯୋରନ୍ଦା ମହିମାଗାଦିର ଉନ୍ନତୀକରଣ ତଥା ଆଇନସ୍‌ ଉଇଣ୍ଡ୍‌ସ ଇଣ୍ଡଷ୍ଟ୍ରି ପାଇଁ ୪୦୦୦ କୋଟି ଟଙ୍କାର ପ୍ରକଳ୍ପ ସମେତ ୫୦ ହଜାର କୋଟିରେ ହେବାକୁ ଥିବା ୪ଟି ଶିଳ୍ପ ପ୍ରକଳ୍ପ ଭେଟି ଦେଇଛନ୍ତି।

ସହର ଉପକଣ୍ଠ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଅପରାହ୍‌ଣ ୪ଟା ୧୫ ମିନିଟ୍‌ରେ ପହଞ୍ଚିଥିଲେ। ଏହା ପୂର୍ବରୁ ସହର ଉପକଣ୍ଠ ବନମାଳୀପ୍ରସାଦ ଠାରେ ୧୨୦ କୋଟି ଟଙ୍କାର ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଢେଙ୍କାନାଳରେ ୫୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଓଡ଼ିଶାର ବିକାଶ ଧାରାରେ ଆଉ ଏକ ସ୍ରୋତ ଯୋଡ଼ି ଦେଇଛି। ଏଠାରେ ୩୦ ହଜାର କୋଟି ଟଙ୍କାରେ କେବଳ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଢେଙ୍କାନାଳକୁ ଓଡ଼ିଶାର ସୌରଶକ୍ତି ସମୃଦ୍ଧ ଅଗ୍ରଣୀ ଜିଲ୍ଲା କରିବା ତାଙ୍କ ସରକାରର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୫୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପ ଯୋଗୁଁ ପ୍ରାୟ ୨୬ ହଜାର ୪୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସରକାରର ବର୍ଷେ ପୂରିବାକୁ ଆଉ ୮ ଦିନ ବାକି ରହିଛି।

୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍‌ଘାଟନ
୧୨୦ କୋଟିର ବାଜିରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ
୩୦ ହଜାର କୋଟି ଟଙ୍କା ବ୍ୟୟରେ ହେବ ସୌରଶକ୍ତି ପ୍ରକଳ୍ପ
ଶିଳ୍ପସଂସ୍ଥାରେ ନିଯୁକ୍ତି ପାଇବେ ୨୬,୪୦୦ ଯୁବକ ଯୁବତୀ     

ନିର୍ବାଚନୀ ଇସ୍ତାହାରରେ ଦେଇଥିବା ୨୧ଟି କାର୍ଯ୍ୟକ୍ରମରୁ ବର୍ଷେ ପୂର୍ବରୁ ୧୧ଟି ପ୍ରତିଶ୍ରୁତି ପୂରଣ କରାଯାଇଛି। ଯେଉଁ ବିଶ୍ୱାସର ସହ ଲୋକଙ୍କ ପାଖକୁ ଆସିଛୁ, ସେହି ବିଶ୍ୱାସ ଆମେ କେବେ ଭାଙ୍ଗିବୁନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ବନମାଳିପ୍ରସାଦ ଅଞ୍ଚଳରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥିରେ ଫୁଟବଲ୍‌ ପଡ଼ିଆ, ସିନ୍ଥେଟିକ୍‌ ଆଥଲେଟିକ୍‌ ଟ୍ରାକ୍‌, ହକି ଟ୍ରେନିଂ ସେଣ୍ଟର୍‌, ଇଣ୍ଡୋର୍‌ ଷ୍ଟାଡିୟମ୍‌, ସୁଇମିଂ ପୁଲ୍‌ ଓ ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ରହିବ। ଯୋରନ୍ଦା ପାଇଁ ଗତ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅର୍ଥ ବ୍ୟବସ୍ଥା କରି ନଥିଲେ। ବିଜେପି ସରକାର ଆସିବା ପରେ ଅର୍ଥ ବ୍ୟବସ୍ଥା କରାଯାଇଛି। ଛାଟିଆ ଠାରେ ୪୦୦୦ ହଜାର କୋଟି ଟଙ୍କାର ଆଇନସ ଉଇଣ୍ଡସ୍‌ ସୌର ପ୍ରକଳ୍ପ ସମେତ ୱାରି ଏନର୍ଜି ଓ କଲ୍ୟାଣୀ ଷ୍ଟିଲ୍‌ ପ୍ରତିଷ୍ଠା ଦ୍ବାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ସମୃଦ୍ଧ ଓଡ଼ିଶା ଗଠନ କରିବାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲୋକଙ୍କ ଭରସାକୁ ଅକ୍ଷୁଣ୍ଣ ରଖିବା ଗଣତନ୍ତ୍ରର ମୂଳକଥା ବୋଲି କହିଥିଲେ। ଜିଲ୍ଲା ଯାହା ଦାବି କରିବ, ଆଗାମୀ ଦିନରେ ତାହା ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଇଁ ସାଂସଦ ରୁଦ୍ରନାରାୟଣ ପାଣି ଧନ୍ୟବାଦ ଦେଇଥିଲେ। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପର୍ଜଙ୍ଗ ବିଧାୟକ ବିଭୂତି ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଜିଲ୍ଲାର ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଫଳ, ପନିପରିବା ଓ ହଳ ଭେଟି ଦେଇଥିଲେ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *