୨୦୨୫ ହେବ ସବୁଠୁ ଉତ୍ତପ୍ତ ବର୍ଷ !
୨୦୨୫ ହେବ ସବୁଠୁ ଉତ୍ତପ୍ତ ବର୍ଷ !
ଏପ୍ରିଲରୁ ହେଲାଣି ମେ’ ଭଳି ଖରା…
ଭୁବନେଶ୍ୱର ୦୯-୦୪-୨୦୨୫(ଏସ.ଏମ) : ଆକାଶରୁ ବର୍ଷୁଛି ନିଆଁ ହୁଳା । ଦିନ ୧୧ଟା ବେଳୁ ଏତେ ଖରା ହେଉଛି ଯେ ମଣିଷ ସହିପାରୁନି । ଅସହ୍ୟ ତାତି ଆଉ ଟାଇଁ ଟାଇଁ ଖରା ଭିତରେ ସୂର୍ୟ୍ୟ ଟିକେ ମୁଣ୍ଡ ଉପରକୁ ଗଲାବେଳକୁ ଅର୍ଥାତ ଦିନ ୧୨ଟା କିମ୍ବା ଗୋଟାଏ ବେଳକୁ ଅବସ୍ଥା ପୂରା ସାଙ୍ଘାତିକ । ତତଲା କଡେଇରେ ଫୁଟୁଛି ଗାଁ ଓ ସହର । କୁହାଯାଉଛି ଗ୍ରୀଷ୍ମ ଋତୁରେ ଏଥର ରେକର୍ଡ ଭାଙ୍ଗିବ ତାତି । କାରଣ ଏପ୍ରିଲ ପହିଲାରୁ ଯଦି ମେ’ ମାସ ଭଳି ଖରା ହେଲାଣି ତାହାଲେ ମେ’ ମାସ ବେଳକୁ ଖରା କେମିତି ହେଉଥିବ ତାହାର ଅନୁମାନ କରନ୍ତୁ ।ଉତ୍ତର ଏବଂ ପଶ୍ଚିମ ଭାରତରେ ତାତି ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଜନସାଧାରଣ । ଏବେଠୁ ଏତିକି ହେଲାଣି ଆଗକୁ କେତେ ହେବ ସେନେଇ ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଥିବା ବେଳେ ୧୯୦୧ ମସିହା ପରେ ୨୦୨୪ ଥିଲା ସବୁଠୁ ଉତ୍ତପ୍ତ ମସିହା । ମାତ୍ର ୨୦୨୪ ଅପେକ୍ଷା ୨୦୨୫ ତାତିର ସବୁ ରେକର୍ଡ କାଟି ତତଲା ବର୍ଷ ବା ଉତ୍ତପ୍ତ ମସିହା ହେବ ବୋଲି ଆକଳନ କରାଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ଗରମ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରବାହ ପାଇଁ ବାହାରକୁ ଯିବା ବଡ଼ କଷ୍ଟକର ହୋଇପଡୁଥିବା ବେଳେ ସତର୍କ ସୂଚନା ଜାରି କରୁଛନ୍ତି ପାଣିପାଗୀ ବିଜ୍ଞାନୀମାନେ । ଏପ୍ରିଲର ମୁଣ୍ଡଫଟା ଖରା ଦେଖି ଆଗାମୀ ମାସର ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ଏବେଠୁ ଆକଳନ କରାଗଲାଣି । ଯଦି ୨୦୨୫ ସବୁଠୁ ଉତ୍ତପ୍ତ ବର୍ଷ ହୁଏ ତେବେ ନିତିଦିନିଆ ଜୀବନରେ ମଣିଷ ପାଇଁ ବଞ୍ଚିବା କଷ୍ଟକର ହୋଇପଡିବ |