ଖେଳଦେଶ- ବିଦେଶ

୨୭ ବର୍ଷ ପରେ ଜିତିଲା କୌଣସି ଆଇସିସି ଟ୍ରଫି:ଦକ୍ଷିଣ ଆଫ୍ରିକା

୨୭ ବର୍ଷ ପରେ ଜିତିଲା କୌଣସି ଆଇସିସି ଟ୍ରଫି:ଦକ୍ଷିଣ ଆଫ୍ରିକା

ପ୍ରଭାବୀ ପ୍ରଦର୍ଶନ ପରେ ଫାଇନାଲ୍‌ ହାରିବାର ବର୍ଷ ବର୍ଷର ଗ୍ଳାନି, ଦୁଃଖ ଓ ଅପମାନ; ବଡ଼ ମ୍ୟାଚ୍‌ ଚାପରେ ଚାପି ହୋଇ ‘ଚୋକର୍‌’ର ଅପବାଦ, ଏସବୁକୁ ଶେଷରେ ସମୂଳେ ଦୂର କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ

ଲର୍ଡସ/ନୂଆଦିଲ୍ଲୀ ୧୫-୦୬-୨୦୨୫(ଏସ .ଏମ ) : ପ୍ରଭାବୀ ପ୍ରଦର୍ଶନ ପରେ ଫାଇନାଲ୍‌ ହାରିବାର ବର୍ଷ ବର୍ଷର ଗ୍ଳାନି, ଦୁଃଖ ଓ ଅପମାନ; ବଡ଼ ମ୍ୟାଚ୍‌ ଚାପରେ ଚାପି ହୋଇ ‘ଚୋକର୍‌’ର ଅପବାଦ, ଏସବୁକୁ ଶେଷରେ ସମୂଳେ ଦୂର କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ। ନାଟକୀୟ ତଥା ନବୀନ ଇତିହାସ ବହନ କରିଥିବା ଫାଇନାଲ୍‌ରେ ବିଜେତା ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ପରାସ୍ତ କରି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି)ର ବହୁ ପ୍ରତୀକ୍ଷିତ ମୁକୁଟ ଜିତି ନେଇଛି ତେମ୍ବା ବଭୁମାଙ୍କ ଉତ୍ସାହୀ ତଥା ଆତ୍ମବିଶ୍ବାସରେ ଭରପୂର ଆଫ୍ରିକୀୟ ବାହିନୀ। ତା’ସହିତ କ୍ରିକେଟ୍‌ର ଶ୍ରେଷ୍ଠ ଫର୍ମାଟ୍‌ ‘ଟେଷ୍ଟ୍ କ୍ରିକେଟ୍‌’ର ନୂଆ ମହାନାୟକ ଭାବେ ଉଭା ହୋଇଛି।

ଦକ୍ଷିଣ ଆଫ୍ରିକାର ଏହି ବହୁ ପ୍ରତୀକ୍ଷିତ ଭାଗ୍ୟୋଦୟ ୨୭ବର୍ଷ ତଥା ୯୭୨୨ ଦିନର ବଡ଼ ବ୍ୟବଧାନ ପରେ ହୋଇଛି। ଶେଷଥର ପାଇଁ ୧୯୯୮ରେ ଆଇସିସି ନକ୍‌ଆଉଟ୍ ଟ୍ରଫି ଜିତିଥିଲା ଏହି ଦଳ। ସେବେଠୁ ଖେଳିଥିବା ସବୁ ଆଇସିସି ପ୍ରତିଯୋଗିତାରୁ ଖାଲି ହାତରେ ଫେରିବାର ହତାଶା ତା’ ପାଇଁ ଯେମିତି ଭାଗ୍ୟ ପାଲଟି ଯାଇଥିଲା। ଏବେ କିନ୍ତୁ ଅନ୍ତିମ ଲଢ଼େଇରେ ସେହି ଦୁର୍ଦ୍ଦଶା ଓ ଦୁର୍ଭାଗ୍ୟକୁ ଦମ୍‌ଦାର୍ ପ୍ରଦର୍ଶନରେ ଦୂର କରି କ୍ରିକେଟ୍‌ର ମକ୍କା ଲର୍ଡସରେ ସଫଳତାର ଐତିହାସିକ ଫର୍ଦ୍ଦ ଯୋଡ଼ିଛି। ବାରମ୍ବାର ବିଫଳତା ଓ ଆଇସିସି ଟ୍ରଫି ମରୁଡ଼ିର ଦୁଃଖକୁ ଭୁଲିଛି। ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ପରେ ଆଇସିସି ଟ୍ରଫି ତୋଳି ଧରିବାର ମଧୁର ସ୍ବାଦ ଚାଖିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଇତିହାସ ପାଇଁ ‘ଶନିବାର ଅପରାହ୍‌ଣ’ ସବୁଠୁ ଗୌରବମୟ ମୁହୂର୍ତ୍ତ ଭାବେ ଉଭା ହୋଇଛି। ବହୁଦିନର ଆଶା ପୂରଣ ହେବା ପରେ ଭାବବିହ୍ବଳ ଦକ୍ଷିଣ ଆଫ୍ରିକା ଖେଳାଳି ନିଜ ପରିବାର ସହ ଲର୍ଡସ ପଡ଼ିଆର ଚାରିପଟେ ଟ୍ରଫି ଧରି ବୁଲିଥିଲେ। ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସାରା ଦକ୍ଷିଣ ଆଫ୍ରିକା ଉତ୍ସବ ମୁଖର ହୋଇଥିଲା। ଦର୍ଶକ ଗ୍ୟାଲେରିରେ ଥିବା ଏବି ଡିଭିଲିୟର୍ସ, ସନ୍ ପୋଲକଙ୍କ ସହ ବହୁ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ବେଶ୍ ଭାବବିହ୍ବଳ ହୋଇଯାଇଥିଲେ।

ପ୍ରଥମ ପାଳିରେ ୭୪ ରନ୍‌ରେ ପଛୁଆ ରହିବାର ଚିନ୍ତା ଓ ଅବସୋସ୍‌କୁ ଦ୍ବିତୀୟ ପାଳିରେ ଜବରଦସ୍ତ ବୋଲିଂ କରି ଦୂର କରିଥିଲା ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ୨୦୭ ରନ୍ କରିବା ପରେ ଲର୍ଡସର କଠିନ ଓ କଷ୍ଟକର ପିଚ୍‌ରେ ଏହି ଦଳକୁ କିନ୍ତୁ ମିଳିଥିଲା 

୨୮୨ ରନ୍‌ର ଆହ୍ବାନଭରା ବିଜୟ ଲକ୍ଷ୍ୟ। ଓପନର୍ ରିଆନ ରିକେଲଟନଙ୍କୁ ୯ ରନ୍‌ରେ ହରାଇବା ପରେ ଐଦେନ ମାର୍କରାମଙ୍କ ଯାଦୁଗରୀ ଶତକ ଏବଂ ଅଧିନାୟକ ବଭୂମାଙ୍କ ସାହସିକ ଅର୍ଦ୍ଧଶତକ ବଳରେ ଶୁକ୍ରବାର ତୃତୀୟ ଦିବସରେ ହିଁ ବିଶ୍ବ ମୁକୁଟ ପିନ୍ଧିବାର ଦ୍ବାର ଦେଶରେ ପହଞ୍ଚି ଯାଇଥିଲା ଦକ୍ଷିଣ ଆଫ୍ରିକା। ଶନିବାର କେବଳ ଯାହା ବିଜୟର ଔପଚାରିକତା ପୂରଣ କରିବା ବାକିଥିଲା। ତଥାପି କିଛି କମ୍ କଷ୍ଟ କରିବାକୁ ପଡ଼ିନଥିଲା ଏହି ଦଳକୁ। ୨୧୩/୨ରୁ ଖେଳ ଆରମ୍ଭ କରିବା ପରେ ବଭୂମାଙ୍କ ଲଢ଼େଇ ମାତ୍ର ୧ ରନ୍ ପରେ ଅର୍ଥାତ୍ ୬୬ ରନ୍‌ରେ ଅଟକିଯାଇଥିଲା। ୧୦୨ ରନ୍‌ରେ ଅପରାଜିତ ଥିବା ମାର୍କରାମଙ୍କ ମହାନ୍‌ ପାଳି ୧୩୬ ରନ୍‌ରେ ଶେଷ ହୋଇଯାଇଥିଲା। କିନ୍ତୁ ସେତେ‌ବେଳକୁ ଦଳକୁ ସେ ବିଜୟ ମୁହଁରେ ଛାଡ଼ିସାରିଥିଲେ। ଡେଭିଡ୍ ବେଡିଂହାମ (୨୧*) ଓ କାଇଲ ଭେରିନେ (୪*)ଙ୍କ ଦାୟିତ୍ବପୂର୍ଣ୍ଣ ଭାଗୀଦରି ପାଇଁ ଦକ୍ଷିଣ ଆଫ୍ରିକା ଶନିବାର ମାତ୍ର ୨୭.୪ ଓଭର ଖେଳି ଅବଶ୍ୟକ ୬୯ ରନ୍ ସଂଗ୍ରହ କରି ନେଇଥିଲା। ମିଚେଲ ଷ୍ଟାର୍କଙ୍କୁ କଭର୍ ପଏଣ୍ଟ୍‌କୁ ଖେଳି ସିଙ୍ଗଲ୍‌ରେ ଭେରିନେ ନିଜ ଦଳର ବିଜୟ ମୁଣ୍ଡି ମାରିବା ସହ ଲର୍ଡସ ବାଲକୋନିରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଡବ୍‌ଲ୍ୟୁଟିସି ମଧ୍ୟ ତିନି ବର୍ଷରେ ତୃତୀୟ ବିଜେତା (ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା) ପାଇଥିଲା। ଅଷ୍ଟ୍ରେଲିଆର ଲଗାତାର ବିଜୟ ସ୍ବପ୍ନ କିନ୍ତୁ ସ୍ବପ୍ନରେ ରହିଯାଇଥିଲା।

ସୂଚନାଯୋଗ୍ୟ ଯେ ଦକ୍ଷିଣ ଆ‌ଫ୍ରିକା ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କାଗିସୋ ରବାଡ଼ାଙ୍କ ୫ ୱିକେଟ୍ ସଫଳତା ବଳରେ କଙ୍ଗାରୁ ଦଳକୁ ୨୧୨ ରନ୍‌ରେ ଅଲଆଉଟ୍ କରି ମନୋବଳ ବଢ଼ାଇଥିଲା। ହେଲେ ପ୍ୟାଟ୍ କମିନ୍ସଙ୍କ ୬ ୱିକେଟ୍ ଆଗରେ ଆତ୍ମସମର୍ପଣ କରି କେବଳ ୧୩୮ ରନ୍ କରିପାରିଥିଲା। ତଥାପି ହାର୍ ନମାନି ଅଷ୍ଟ୍ରେଲିଆକୁ ଦ୍ବିତୀୟ ପାଳିରେ ୨୦୭ ରନ୍‌ରେ ଅଟକାଇ ଆଶା ସୃଷ୍ଟି କରିଥିଲା। ଶେଷରେ ଅଦମ୍ୟ ଏକାଗ୍ରତା‌ ଓ ଶୃଙ୍ଖଳିତ ଖେଳ ଖେଳି ପ୍ରଥମ ଥର ଡବ୍‌ଲ୍ୟୁଟିସି ଟ୍ରଫି ଜିତିଥିଲା। ଯାହା ଏହି ଦଳର ଦ୍ବିତୀୟ ଆଇସିସି ଟ୍ରଫି ଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୧୨। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି:୧୩୮। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି:୨୦୭। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୮୩.୪ ଓଭରରେ ୨୮୨/୫ (ଐଦେନ ମାର୍କରାମ-୧୩୬, ତେମ୍ବା ବଭୂମା-୬୬, ୱିଆନ୍ ମଲ୍ଡର-୨୭, ତ୍ରିସ୍ତନ ଷ୍ଟବ୍ସ ୨୧*, ମିଚେଲ୍ ଷ୍ଟାର୍କ-୩/୬୬, ଜୋସ୍ ହାଜେଲଉଡ୍-୧/୫୮)।

ଆକର୍ଷଣରେ ବଭୂମାଙ୍କ ପୁଅ ଲିହେଲ
ଦକ୍ଷିଣ ଆଫ୍ରିକା ଦଳର ଉତ୍ସବ ପାଳନ ବେଳେ ଅଧିନାୟକ ବଭୂମାଙ୍କ ଦେଢ଼ ବର୍ଷର ପୁଅ ଲିହେଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ପିତାଙ୍କ ସହ ଲର୍ଡସ ପଡ଼ିଆ ଚାରିପଟେ ନିଜ କୁନିକୁନି ପାଦରେ ବୁଲି ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଲିହେଲ ଅନେକ ସମୟରେ ବଭୂମାଙ୍କଠାରୁ ଡବ୍‌ଲ୍ୟୁଟିସି ଗଦା ଛଡ଼ାଇ ନେବାକୁ ଚେଷ୍ଟା କରିବା ଆବେଗପୂର୍ଣ୍ଣ ମୁହୂର୍ତ୍ତ ସୃଷ୍ଟି କରିଥିଲା। ବଭୂମା ଓ ଲିହେଲଙ୍କ ସହ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ମଧ୍ୟ ଏହି ଐତିହାସିକ କ୍ଷଣକୁ ମନଭରି ଉପଯୋଗ କରିଥିଲେ। ଅନେକ ଏହାକୁ କ୍ୟାମେରା ଲେନ୍ସରେ ତୋଳି ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *