ବାଣିଜ୍ୟରାଜ୍ୟସମସ୍ୟା ଭିତ୍ତିକ ଖବର

୪ର୍ଥ ଦିନରେ ଡ୍ରାଇଭର୍‌ ମହାସଂଘର ଆନ୍ଦୋଳନ

୪ର୍ଥ ଦିନରେ ଡ୍ରାଇଭର୍‌ ମହାସଂଘର ଆନ୍ଦୋଳନ

ଲିଖିତ ପ୍ରତିଶ୍ରୁତି ଦାବିରେ ମହାସଂଘ ଅଟଳ

ଭୁବନେଶ୍ବର୧୨-୦୭-୨୦୨୫(ଏସ .ଏମ ) : ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛ‌ାଡ଼ ଆନ୍ଦୋଳନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ପ୍ରଥମ ଦିନ ମହାସଂଘ ସହ ରାଜ୍ୟ ସରକାର ଆଲୋଚନା କରିଥିଲା ବେଳେ ଦ୍ବିତୀୟ ଦିନ ଠାରୁ ଆଉ ଆଲୋଚନା ହେଉ ନାହିଁ। ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଦାବିରେ ଅଟଳ ରହିଛି ମହାସଂଘ। ଆନ୍ଦୋଳନ କିପରି ବନ୍ଦ ହେବ, ସେ ଦିଗରେ ସରକାର ଠୋସ୍ ପଦ‌କ୍ଷେପ ନେଉନାହାନ୍ତି। ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ସମସ୍ୟା ଜଟିଳ ଆକାର ଧାରଣ କରିବାରେ ଲାଗିଛି। ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ସବୁ ସଂଘ ସାମିଲ ହୋଇନି। କିଛି କିଛି ଗାଡ଼ି ରାଜ୍ୟର ବିଭିନ୍ନ ସ୍ଥାନରେ ଚଳାଚଳ କରୁଛି। କିନ୍ତୁ ତାହା ଯଥେଷ୍ଟ ହେଉ ନାହିଁ। ଅଧିକ ସଂଖ୍ୟାରେ ବସ୍, ଟ୍ରକ୍, ଅଟୋ ଡ୍ରାଇଭର୍‌ ଆନ୍ଦୋଳନରେ ସାମିଲ ଥିବାରୁ ପରିବହନ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇଯାଇଛି। ଯେଉଁଠି ଗାଡ଼ି ଚଳାଚଳ କରୁଛି, ସେଠାରେ ଆନ୍ଦୋଳନକାରୀମାନେ ଅଟକାଉଥିବାର ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସୁଛି। ଏହାକୁ ନେଇ କିଛି ଜାଗାରେ ଗଣ୍ଡଗୋଳ ବି ହୋଇଛି। ବହୁ ସ୍ଥାନରେ ଅଧ ରାସ୍ତାରେ ମାଲ୍‌ବାହୀ ଟ୍ରକ୍‌ଗୁଡ଼ିକ ଅଟକିଛି। ତେବେ ଆନ୍ଦୋଳନକାରୀମାନେ କଂଗ୍ରେସ କର୍ମୀମାନଙ୍କୁ ନେଇ ଆସୁଥିବା ବସ୍‌ଗୁଡ଼ିକୁ ଅଟକାଇ ନଥିଲେ।

ଡ୍ରାଇଭର ଆନ୍ଦୋଳନ‌କୁ ରାଜନୀତିକରଣ କରାଯାଉଛି: ପରିବହନ ମନ୍ତ୍ରୀ

ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ଡ୍ରାଇଭର ମହାସଂଘର ଦାବି ଉପରେ ସରକାର ଆଲୋଚନା କରିଥିବା ବେଳେ ସେମାନଙ୍କ ସମସ୍ୟାକୁ ଗୁରୁତ୍ବ ଦିଆଯାଉଛି। ସମସ୍ତ ଦାବିର ସମାଧାନ କରାଯିବା ନେଇ ମଧ୍ୟ ସରକାର ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି ଦେଇସାରିଛନ୍ତି। ସଫଳ ଆଲୋଚନା ପରେ ମଧ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରତି ୧୦୦ କିଲୋମିଟର ଦୂରରେ ଡ୍ରାଇଭରମାନଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ପାଇଁ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ। ଏଥିସହ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ଆଉ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ୪୦୦ରୁ ଊର୍ଧ୍ବ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର‌୍ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛି। ୩୫ରୁ ଅଧିକ ଡ୍ରାଇଭର ସଂଘ ପରିବହନ ବିଭାଗ ସହ ରହିଛନ୍ତି। ଆନ୍ଦୋଳନକାରୀ ଡ୍ରାଇଭରମାନେ ଯେଉଁ ଗାଡ଼ି ଚାଳକଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡ୍ରାଇଭରମାନେ ଆନ୍ଦୋଳନ ନାମରେ ଜନସାଧାରଣଙ୍କୁ ହଇରାଣ କରିବା ସରକାର ଗ୍ରହଣ କରିବେ ନାହିଁ। କଂଗ୍ରେସ ଡ୍ରାଇଭରଙ୍କୁ ନେଇ ରାଜନୀତି କରୁଛନ୍ତି ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି।

ମନ୍ତ୍ରୀଙ୍କ ଟ୍ବିଟ୍‌ ପରେ ମହାସଂଘ ପକ୍ଷରୁ କଡ଼ା ଜବାବ ରଖାଯାଇଛି। ଲିଖିତ ପ୍ରତିଶ୍ରୁତି ନ ପାଇଲା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ଓହ୍ଲାଇବୁ ନାହିଁ ବୋଲି ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। ଏଥିସହ ରାହୁଲ ଗାନ୍ଧୀଙ୍କ ଗସ୍ତ ପାଇଁ ମହାସଂଘ କାହିଁକି କୋହଳ ମନୋଭାବ ପୋଷଣ କଲାବୋଲି ଜବାବ ଦେଇ ଶ୍ରୀ ମେଣ୍ଡୁଲି କହିଛନ୍ତି, କୌଣସି ଜରୁରୀ କାର୍ଯ୍ୟ ବା ଅସୁବିଧା ସମୟରେ ଯାଉଥିବା ଯାନବାହାନକୁ ନ ଅଟକାଇବା ପାଇଁ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆମେ ଡ୍ରାଇଭର୍‌ ଲୋକ। ଆମର ରାଜନୀତି କରିବାର ନାହିଁ। ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ କଂଗ୍ରେସ କାର୍ଯ୍ୟକ୍ରମ ପାଇଁ ଗାଡ଼ି ନେବାକୁ ମନା କରି ଏତେ ବଡ଼ ଜାତୀୟ ଦଳର ଆମେ କାହିଁକି ବିରୋଧୀ ହେବୁ ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ କାର୍ଯ୍ୟକ୍ରମ ପାଇଁ ବିଧିବଦ୍ଧ ଭାବେ ଶହ ଶହ ସଂଖ୍ୟାରେ ଗାଡ଼ି ଆସୁଥିବା ବେଳେ ଆମେ ତାହାକୁ ଅଟକାଇଲେ ବଡ଼ ଧରଣର ଝଗଡ଼ାର ସୂତ୍ରପାତ ହୋଇଥା’ନ୍ତା। ଗତକାଲି ରାତିରେ ରାଜନୈତିକ ସ୍ତରରେ କିଛି ଷଡ୍‌ଯନ୍ତ୍ର ହେଉଥିବାର ଆମେ ଆଭାସ ପାଇଥିଲୁ। ଡ୍ରାଇଭର ଓ କଂଗ୍ରେସ କର୍ମୀ ମାର୍‌ପିଟ୍‌ ହେବେ ଓ ସାରା ଓଡ଼ିଶା ଏହାର ତାମ୍‌ସା ଦେଖୁଥିବ ବୋଲି ଷଡ୍‌ଯନ୍ତ୍ର ହେଉଥିଲା। ଆମେ କୌଣସି ରାଜନୀତି ସହ ସଂପୃକ୍ତ ନୁହେଁ। ଆମ ଡ୍ରାଇଭରଙ୍କ କଥା ଯେଉଁ ସରକାର ନ ବୁଝିଲା, ସେ ଆମର ବିରୋଧୀ। ଯିଏ ଆମ ପାଇଁ ପଦେ କହିଲା, ଆମେ ତାଙ୍କୁ ଆମ ବଡ଼ଭାଇ ମାନିବୁ। ଆମେ ଶାନ୍ତିରେ ଆନ୍ଦୋଳନ କରିବୁ। ସରକାର ଆମ ଦାବି ନ ମାନିଲା ଯାଏ ଆନ୍ଦୋଳନ ପ୍ରତ୍ୟାହାର କରିବୁ ନାହିଁ ନାହିଁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *