30 lakh’s Brown sugar
୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର୍ ଜବତ…
- ଧଳା ଜହର କବଳରେ ରାଜଧାନୀରେ।
- ବସ୍ତିରେ ମଧ୍ୟ ଏହି ଜହର ମାଡ଼ିଗଲାଣି।
- ପୁଲିସ, ଅବକାରୀ ବିଭାଗ ଯେତେ ଖୋଳୁଛନ୍ତି ସେତେ ବ୍ରାଉନ୍ସୁଗାର୍ ବାହାରୁଛି।
- ଆଜି ଗୋଟିଏ ଦିନରେ ପୁଲିସ…
ଭୁବନେଶ୍ୱର ୦୨-୧୨-୨୦୨୫(ଏସ.ଏମ ) : ଧଳା ଜହର କବଳରେ ରାଜଧାନୀରେ। ବସ୍ତିରେ ମଧ୍ୟ ଏହି ଜହର ମାଡ଼ିଗଲାଣି। ପୁଲିସ, ଅବକାରୀ ବିଭାଗ ଯେତେ ଖୋଳୁଛନ୍ତି ସେତେ ବ୍ରାଉନ୍ସୁଗାର୍ ବାହାରୁଛି। ଆଜି ଗୋଟିଏ ଦିନରେ ପୁଲିସ ୪ଜଣକୁ ଧରିଥିବା ବେଳେ ଅବକାରୀ ବିଭାଗ ମଧ୍ୟ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ ୩୧ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର୍ ଜବତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ସରକାରୀ ଆପାର୍ଟମେଣ୍ଟରୁ ଅବକାରୀ ବିଭାଗକୁ ଏହି ଜହର ମିଳିଛି। ଜଣେ ମହିଳା ଏହି ଚୋରାକାରବାରରେ ସାମିଲ ଅଛନ୍ତି। ପୁଲିସ ଓ ଅବକାରୀ ବିଭାଗ ଚାଲାଣକାରୀଙ୍କୁ ଧରୁଥିବା ବେଳେ ମୂଳ ଲୋକଙ୍କୁ ତାକୁ ଧରିବାରେ ବିଫଳ ରହୁଛି। ଏହି ବ୍ରାଉନ୍ସୁାଗର ଯୋଗୁ ରାଜଧାନୀରେ ଚୋରି, ଛିନତାଇ, ଲୁଟ ଭଳି ମାମଲା ବୃଦ୍ଧି ପାଉଥିବାଅଭିଯୋଗ ହେଉଛି।
ଆଜି ଅବକାରୀ ବିଭାଗ ରେଞ୍ଜ ୧ ପକ୍ଷରୁ ମହିଷାଖାଲସ୍ଥିତ ସରକାରୀ ଆପାର୍ଟମେଣ୍ଟ ବ୍ଲକ୍ ୨ରେ ଚଢ଼ଉ କରାଯାଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ରମେଶ ସେଠୀ(୨୬), ସୀମାଞ୍ଚଳ ଗୌଡ଼(୩୩) ଓ ମମତା ଦାସ(୪୧)। ସେମାନଙ୍କ ନିକଟରୁ ୩୪୦ ଗ୍ରାମ ବ୍ରାଉନ୍ସୁଗାର୍ ଜବତ କରାଯାଇଛି। ଜବତ ବ୍ରାଉନ୍ସୁଗାର୍ର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଦୁଇଜଣ ଲୋକ ଏକ ସ୍କୁଟିରେ ବ୍ରାଉନ୍ସୁଗାର୍ ଚାଲାଣ କରୁଥିବା ନେଇ ଅବକାରୀ ବିଭାଗକୁ ବିଶ୍ବସ୍ତସୂତ୍ରରୁ ଖବର ମିଳିଥିଲା। ଅବକାରୀ ବିଭାଗ କର୍ମଚାରୀମାନେ ସ୍କୁଟିକୁ ଚିହ୍ନଟ କରି ତାର ପିଚ୍ଛା କରିଥିଲେ। ସ୍କୁଟିଟି ମହିଷାଖାଲ ନିକଟରେ ଆସି ରହିଥିଲା। ପରେ ସେଠାରେ ଥିବା ସରକାରୀ ଆପାର୍ଟମେଣ୍ଟର ବ୍ଲକ୍ ୨ ବେସ୍ମେଣ୍ଟକୁ ଆସି ମମତା ଦାସ ସହିତ ଭେଟିବା ସହିତ ବ୍ରାଉନ୍ସୁଗାର୍ ବ୍ୟାଗ୍କୁ ତାକୁ ଦେବା ସମୟରେ ପୂର୍ବରୁ ଛକି ରହିଥିବା ଅବକାରୀ ବିଭାଗ ଟିମ୍ ସେମାନଙ୍କୁ କାବୁ କରି ବ୍ରାଉନ୍ସୁଗାର୍ ଥଳିକୁ ଜବତ କରିଥିଲା। ଦୁଇ ଏଜେଣ୍ଟ ମହିଳାଙ୍କ ଜରିଆରେ ମହିଷାଖାଲ ବସ୍ତିରେ ବ୍ରାଉନ୍ସୁଗାର୍ ବେପାର କରୁଥିବା ଜାଣିବାକୁ ପାଇଛି।

