ପାକିସ୍ତାନରେ ସଙ୍କଟ!
ପାକିସ୍ତାନରେ ସଙ୍କଟ!
ମାସକର ରାସନ ପାଇଁ ଦୋକାନରେ ଭିଡ଼, ବଙ୍କର ମୁହାଁ ସାଧାରଣ ଲୋକେ
ଇସଲାମାବାଦ/ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୦୫-୨୦୨୫ ( ଏସ.ଏମ ) : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଡ୍ରୋନ୍ ଏବଂ ତୋପ ଦ୍ବାରା ଆକ୍ରମଣ କରାଯାଉଛି। ଏହା ୩୦ ବର୍ଷ ମଧ୍ୟରେ ଦୁଇଦେଶ ମଧ୍ୟରେ ବଡ଼ ଧରଣର ଲଢ଼େଇ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନର କିଛି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରି ପ୍ରତିଶୋଧ ନେଇଥିଲା। ଭାରତ କହିତିଲା ଯେ, ଏହି ସ୍ଥାନଗୁଡ଼ିକ ଆତଙ୍କବାଦୀ ଶିବିର ଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଉ;ତ୍ତେଜନା ବୃଦ୍ଧି ପାଇଥିଲା। ପାକିସ୍ତାନର ଲାହୋର ସହରରେ ଲୋକମାନେ ଭୟଭୀତ ଅଛନ୍ତି। ସ୍କୁଲଗୁଡ଼ିକ ବନ୍ଦ ଅଛି। ଲୋକମାନେ ଖାଦ୍ୟ, ଗ୍ୟାସ ସିଲିଣ୍ଡର ଏବଂ ଔଷଧ ମହଜୁଦ କରୁଛନ୍ତି।ଲୋକେ ଅଟା, ଚା, ତେଲ ଏବଂ ଡାଲି ଭଳି ଗୋଟିଏ ମାସର ସାମଗ୍ରୀ ସଂଗ୍ରହ କରୁଛନ୍ତି। ଔଷଧ ଦୋକାନଗୁଡ଼ିକରେ ଭିଡ଼ ଲାଗିଛି। ଲୋକମାନେ ପାରାସିଟାମଲ୍, ଆଣ୍ଟି-ଆଲର୍ଜି ଏବଂ ଡାଇବେଟିସ୍ ଔଷଧ କିଣୁଛନ୍ତି। ଫୁଡପାଣ୍ଡା ଆପ୍ରେ କିରାଣା ଅର୍ଡର ବୃଦ୍ଧି ପାଇଛି। ସରକାର ଦୋକାନୀମାନଙ୍କୁ ମୂଲ୍ୟ ବୃଦ୍ଧି ନ କରିବାକୁ ଚେତାବନୀ ଦେଇଛନ୍ତି।ସୀମା ନିକଟବର୍ତ୍ତୀ ଗାଁଗୁଡ଼ିକର ଲୋକମାନେ ସେମାନଙ୍କ ପରିବାରକୁ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି। ପିଓକେରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି। ରାତିରେ ଭାରତର ଉରି ଜିଲ୍ଲାରେ ସେଲ୍ ପଡ଼ିଥିଲା। ଏହା ଯୋଗୁ ଅନେକ ଘର ଭାଙ୍ଗି ଯାଇଥିଲା। ରାତିରେ ଲୋକମାନେ ବଙ୍କରରେ ଲୁଚି ରହୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ଆମେ ଏତେ ଭୟଙ୍କର ଗୁଳିବର୍ଷା କେବେ ଦେଖି ନଥିଲୁ। ଅଧିକାଂଶ ଲୋକ ଗାଁ ଛାଡି ପଳାଇଛନ୍ତି। ପାକ୍ ଅଧିକୃତ କଶ୍ମୀରରେ ୪୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।ପାକିସ୍ତାନର ଦୈନିକ ଅଶୋଧିତ ତୈଳ ବ୍ୟବହାର ୦.୨୫ ନିୟୁତ ବ୍ୟାରେଲ। ଏହାର ୭୮ ପ୍ରତିଶତ ଆମଦାନୀ କରାଯାଇଥାଏ। ଏବେ ଦେଶରେ କେବଳ ୨୨ ଦିନର ଜରୁରୀକାଳୀନ ସଂରକ୍ଷଣ ଅଛି। ଯେତେବେଳେ ୨୦୨୫-୨୬ ରେ ଗହମ ଉତ୍ପାଦନ ୨୭.୫ ନିୟୁତ ଟନ୍ ରହିଛି। ପାକିସ୍ତାନରେ ୩୨୩ ଦିନ ପାଇଁ ଗହମ ମହଜୁଦ ଅଛି। ସେହପରି ଚାଉଳ ଷ୍ଟକ୍ ୪୮୭ ଦିନ ପାଇଁ ରହିଛି। ଦେଶରେ ମକା ଉତ୍ପାଦନ ୯୬ ଲକ୍ଷ ଟନ୍ ହୋଇଥିବାବେଳେ ଦେଶରେ ବ୍ୟବହାର ହେବାର ଆଶା ୯୧ ଲକ୍ଷ ଟନ୍ ରହିଛି। ଦେଶରେ ୪୮୦ ଦିନର ମକା ଷ୍ଟକ୍ ବାକି ଅଛି।