Uncategorized

ରାଜଧାନୀର ଗଳିକନ୍ଦିରେ ବନ୍ଧୁକ !

ରାଜଧାନୀର ଗଳିକନ୍ଦିରେ ବନ୍ଧୁକ…!

ରାଜଧାନୀର ଗଳିଗଳିରେ ବନ୍ଧୁକ ବୁଲିଲାଣି। ଅପରାଧୀମାନେ ଅଣ୍ଟାରେ ବନ୍ଧୁକ ଖୋସି ବେଧଡ଼କ ବୁଲୁଛନ୍ତି। କଥା କଥାକେ ବନ୍ଧୁକ ଗର୍ଜୁଛି। ନିଶାବେପାରୀ, ଖଣିମାଫିଆ, ଗୋ-ଚାଲାଣକାରୀ….

ଭୁବନେଶ୍ୱର ୧୭-୧୦-୨୦୨୫(ଏସ.ଏମ. ) : (ବିଜୟ କୁମାର ପଣ୍ଡା ) ରାଜଧାନୀର ଗଳିଗଳିରେ ବନ୍ଧୁକ ବୁଲିଲାଣି। ଅପରାଧୀମାନେ ଅଣ୍ଟାରେ ବନ୍ଧୁକ ଖୋସି ବେଧଡ଼କ ବୁଲୁଛନ୍ତି। କଥା କଥାକେ ବନ୍ଧୁକ ଗର୍ଜୁଛି। ନିଶାବେପାରୀ, ଖଣିମାଫିଆ, ଗୋ-ଚାଲାଣକାରୀ ଓ ଜମିମାଫିଆଙ୍କ ପାଖରେ ବନ୍ଧୁକ ଏକ ସାଧାରଣ ଅସ୍ତ୍ର ହୋଇଯାଇଛି। ଗତ ୧୦ମାସ ଭିତରେ ପୁଲିସ ଅପରାଧୀମାନଙ୍କଠାରୁ ୪୦ରୁ ଅଧିକ ବନ୍ଧୁକ ଜବତ କଲାଣି ଏବଂ ଏହି ଆଗ୍ନେୟାସ୍ତ୍ର ବ୍ୟବହାର କରୁଥିବା ୩୯ ଅପରାଧୀଙ୍କୁ ବାନ୍ଧି ଜେଲ୍‌ ପଠାଇଛି। ଏତେ ପରିମାଣର ପିସ୍ତଲ ଜବତ ହେବା କଥା କମିସନରେଟ୍‌ ପୁଲିସ ପାଇଁ ସଫଳତା ବୋଲି କୁହାଯାଉଥିଲେ ହେଁ ଅପରାଧୀଙ୍କ ଅଣ୍ଟାରେ ପିସ୍ତଲ ସାଧାରଣରେ ଚିନ୍ତା ବଢ଼ାଇଛି। ଶାନ୍ତିପ୍ରିୟ ଓଡ଼ିଶା ଖୁବ୍‌ଶୀଘ୍ର ବିହାର ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କଟକ ବୟାଳିଶ ମୌଜାରେ ବିହାରୀ ମାଫିଆ ପିସ୍ତଲ କାରଖାନା ବସାଇବା ଭଳି ଘଟଣା ପଦାକୁ ଆସିବା ପରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। 

ଗ୍ୟାଙ୍ଗ ଅପରାଧୀଙ୍କ ମୁଖ୍ୟ ଅସ୍ତ୍ର ମାଉଜର୍‌…

କିଛିଦିନ ତଳେ କମିସନରେଟ୍‌ ପୁଲିସ ୫ରୁ ଅଧିକ ଗ୍ୟାଙ୍ଗ୍‌ଠାରୁ ବନ୍ଧୁକ ଜବତ କରିଥିଲା। ଗୋଲ୍ଡେନ୍‌ ଗ୍ୟାଙ୍ଗ୍‌ର ୫ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ  ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଜବତ କରାଯାଇଥିଲା। ସେହିପରି ଖୋରା ଗ୍ୟାଙ୍ଗ୍‌ର ୨ଜଣଙ୍କୁ ପୁଲିସ ଗିରଫ କରିବା ସହ ୨ଟି ବନ୍ଧୁକ ଜବତ କରିଥିଲା। ବିହାରୀ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ ଓ ଧର୍‌ ଗ୍ୟାଙ୍ଗଠାରୁ ୩ଟି ବନ୍ଧୁକ ଜବତ କରାଯାଇଥିଲା। ସେମାନେ ଖସିବା ପାଇଁ ପୁଲିସକୁ ଗୁଳି କରିବା ବେଳେ ଏନ୍‌କାଉଣ୍ଟର୍‌ର ଶିକାର ହୋଇଥିଲେ।  ବିହାରୀ ମାଫିଆ ଗ୍ୟାଙ୍ଗର ୩ଜଣଙ୍କୁ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ଗିରଫ କରି ୮ଟି ବନ୍ଧୁକ, ୩୪ ରାଉଣ୍ଡ ଗୁଳି ଜବତ କରିଥିଲା।

ବିହାର ଓ ୟୁପି ବନ୍ଧୁକ ହବ୍‌…

କିଛିଦିନ ତଳେ ଗୁଜରାଟ ଓ ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗ୍‌ର ୩ ବନ୍ଧୁକ ମାଫିଆଙ୍କୁ ପୁଲିସ ଗିରଫ କରିଥିଲା।  ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ କରିଥିଲା। ସେହିପରି ୟୁପିର ଏକ ବନ୍ଧୁକ ମାଫିଆ ଗ୍ୟାଙ୍ଗ୍‌କୁ ଠାବ କରି ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ଜବତ କରିଥିଲା। ଏପର୍ଯ୍ୟନ୍ତ ଜବତ ହୋଇଥିବା ଅଧିକାଂଶ ବନ୍ଧୁକ ଓ ଗୁଳି ବିହାର ଓ ୟୁପିରୁ ଆସୁଥିବା ମାଫିଆଙ୍କୁ ଜେରା ବେଳେ ଜଣାପଡ଼ିଛି। 

ନିଶା ବ୍ୟବସାୟୀଙ୍କ ପ୍ରମୁଖ ଅସ୍ତ୍ର

ନିଶା ବ୍ୟବସାୟୀ ନିଜକୁ ସୁରକ୍ଷା ଦେବା ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଛନ୍ତି। କିଛିଦିନ ତଳେ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ କୁଖ୍ୟାତ ନିଶା ମାଫିଆ ସେକ୍‌ ଜାମ୍‌ସେଦ୍‌କୁ ଏନ୍‌କାଉଣ୍ଟର କଲାବେଳେ ତା’ଠାରୁ ଗୋଟିଏ ବନ୍ଧୁକ ଜବତ କରିଥିଲା। ରାଜଧାନୀରେ ସକ୍ରିୟ ଥିବା ବହୁ ନିଶା ବ୍ୟବସାୟୀଙ୍କ ନିକଟରେ ବନ୍ଧୁକ ରହିଛି। ନିକଟରେ ବରମୁଣ୍ଡା ‌ଖେଳପଡ଼ିଆରୁ ଗିରଫ ହୋଇଥିବା ଜଟଣୀ ଖୁଦୁପୁରର କାହ୍ନା ନିକଟରୁ ବନ୍ଧୁକ ଜବତ କରାଯାଇଛି। କାହ୍ନା ଜଣେ ନିଶାମାଫିଆ ଏବଂ ଖୋର୍ଦ୍ଧାରୁ ବ୍ରାଉନ୍‌ସୁଗାର ଆଣି ରାଜଧାନୀରେ ବେପାର କରୁଥିଲା। ଗୋଲ୍‌ଡେନ୍‌ ଗ୍ୟାଙ୍ଗ୍‌ ସହ ମିଶି ଡକାୟତି କରିବା ସହ ନିଶା କାରବାର କରୁଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *