ଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ଖୋଳିଦେଲେ, ମରାମତି କଲେନି

ଖୋଳିଦେଲେ, ମରାମତି କଲେନି…

ରାସ୍ତା ଚକାଚକ୍‌ ଥିଲା। ଗାଡ଼ି ଚଳାଚଳରେ କୌଣସି ଅସୁବିଧା ହେଉ ନ ଥିଲା। ପାଖାପାଖି ୩୦ ଫୁଟ୍‌ ଓସାରିଆ ରାସ୍ତାରେ ବିନା ବାଧାରେ ଦୁଇଟି ଚାରିଚକିଆ ଯାନ ପରସ୍ପରକୁ ଅତିକ୍ରମ…

ଭୁବନେଶ୍ୱର ୧୯-୧୦-୨୦୨୫(ଏସ.ଏମ ) :  ରାସ୍ତା ଚକାଚକ୍‌ ଥିଲା। ଗାଡ଼ି ଚଳାଚଳରେ କୌଣସି ଅସୁବିଧା ହେଉ ନ ଥିଲା। ପାଖାପାଖି ୩୦ ଫୁଟ୍‌ ଓସାରିଆ ରାସ୍ତାରେ ବିନା ବାଧାରେ ଦୁଇଟି ଚାରିଚକିଆ ଯାନ ପରସ୍ପରକୁ ଅତିକ୍ରମ କରିପାରୁଥିଲେ। ପାଦଚଲା ଲୋକଙ୍କ ଚଳପ୍ରଚଳରେ ମଧ୍ୟ କୌଣସି ଅସୁବିଧା ହେଉ ନଥିଲା। ମାତ୍ର ଏବେ ସ୍ଥିତି ବଦଳି ଯାଇଛି। ଲୋକେ ଯିବେ କ’ଣ ଘରୁ ବାହାରିଲା ବେଳକୁ ଦୁଇ ଥର ଭାବୁଛନ୍ତି। ପ୍ରାୟ ବର୍ଷକ ତଳେ ପାଣି ପାଇପ୍‌ ବିଛାଇବାକୁ ,ଭଲ ଥିବା ପିଚୁ ରାସ୍ତାକୁ ଖୋଳାଯାଇଥିଲା ଯେ ଏବେ ସୁଦ୍ଧା ମରାମତି ହୋଇ ନାହିଁ। ଦୁଇଟି ୪ ଚକିଆ ଯାନ ଦୂରେ ଥାଉ, ଏବେ ଗୋଟିଏ ଚାରିଚକିଆ ଗାଡ଼ି ଯିବା କଷ୍ଟକର ହୋଇପଡ଼ୁଛି। ଆଉ ଅସରାଏ ବର୍ଷା ହୋଇଗଲେ କଥା ସରିଲା। ଏହା କୌଣସି ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ, ବରଂ ରାଜଧାନୀର ଆଇଟି ହବ୍‌ ଭାବେ ପରିଚିତ ଇନ୍‌ଫୋସିଟି ଅଞ୍ଚଳରେ ଏଭଳି ଅବସ୍ଥା। ବ‌ର୍ଷେ ହେଲା ସହରର ହଜାର ହଜାର ଲୋକ ଏହି ରାସ୍ତାରେ ହନ୍ତସନ୍ତ ହେଉଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁ ନାହିଁ। ଏମିତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶକୁ ମଧ୍ୟ ଏଠାକାର ଅଧିକାରୀମାନେ ହେୟଜ୍ଞାନ କରୁଛନ୍ତି। ସେପ୍ଟେମ୍ବର ମାସରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଦଶହରା ପୂର୍ବରୁ ରାସ୍ତାଗୁଡ଼ିକର ମରାମତି ହେବ। ଇତିମଧ୍ୟରେ ଗୋଟିଏ ମାସ ବିତିବାକୁ ବସିଥିଲେ ମଧ୍ୟ ଏଠାକାର ରାସ୍ତାର ମରାମତି ହେଉ ନାହିଁ। ‌ପାଇପ୍‌ ବିଛାବା ପରେ, ମରାମତି ନ ହେବାରୁ ଦୁର୍ଘଟଣା ବଢ଼ିଚାଲିଥିଲା। ୨୦ରୁ ଅଧିକ ଲୋକ ଆହତ ହେବା ପରେ ପ୍ରଶାସନ ଗୋଡ଼ି ପକାଇ ମରାମତି କଲା ସିନା, ହେଲେ ପିଚୁ କଲା ନାହିଁ। ପରିଣାମ ସ୍ବରୂପ ଏବେ ବାଲି, ମାଟି, ଗୋଡ଼ି ଓ ଧୂଆଁରେ ଅଞ୍ଚଳର ଆଇଟି ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ ଅଞ୍ଚଳବାସୀ ଘାଣ୍ଟି ହେଉଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସବୁଜ ବଳୟ ମଧ୍ୟରେ ଏହି ଅଞ୍ଚଳ ରହିଥିଲେ ମଧ୍ୟ ବାୟୁ ପ୍ରଦୂଷଣର ମାତ୍ରା ଏବେ ସବୁଠାରୁ ଅଧିକ ରହୁଛି। ବାୟୁମଣ୍ଡଳରେ ଧୂଳିକଣା ଉଡ଼ୁଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଦେଢ଼ କିଲୋମିଟରର ଏହି ରାସ୍ତା ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବା ଚିନ୍ତାର ବିଷୟ ପାଲଟିଛି। ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ସ୍ଥାନୀୟ ‌ଲୋକେ ଅଭିଯୋଗ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *