ରାଜନୀତିରାଜ୍ୟ

Nuapada election

ପତିଆରା ଲଢ଼େଇ, କମ୍ପୁଛି ପ୍ରଚାର ମଇଦାନ: ମୋହନ, ବିଷ୍ଣୁଦେଓଙ୍କ ପ୍ରଚାର ଆଜି

ନୂଆପଡ଼ା ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ଓଲଟପାଲଟ କରିବାର ନାହିଁ। କ୍ଷମତା ରାଜନୀତିର ଗଣିତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କିନ୍ତୁ ରାଜ୍ୟ ରାଜନୀତିରେ ପତିଆରା ଲଢ଼େଇରେ ଏହି ଉପନିର୍ବାଚନର ଗୁରୁତ୍ବ ବହୁମାତ୍ରାରେ ବଢ଼ିଯାଇଛି।

ଭୁବନେଶ୍ୱର ୦୬-୧୧-୨୦୨୫(ଏସ.ଏମ ) : ନୂଆପଡ଼ା ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ଓଲଟପାଲଟ କରିବାର ନାହିଁ। କ୍ଷମତା ରାଜନୀତିର ଗଣିତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କିନ୍ତୁ ରାଜ୍ୟ ରାଜନୀତିରେ ପତିଆରା ଲଢ଼େଇରେ ଏହି ଉପନିର୍ବାଚନର ଗୁରୁତ୍ବ ବହୁମାତ୍ରାରେ ବଢ଼ିଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିଛି ନା ବଢ଼ିଛି, ତାହାର ପ୍ରମାଣ ଦେବ ନୂଆପଡ଼ା। ବିଜେପି ସଭାପତି ମନମୋହନ ସାମଲଙ୍କ ଦକ୍ଷତା ଓ ମୋହନ ମାଝୀଙ୍କ ସରକାରର ଭାବମୂର୍ତ୍ତି ପରଖିବ ଉପନିର୍ବାଚନ। ପିସିସି ସଭାପତି ଭକ୍ତଚରଣ ଦାସ ଭୋଟ ରାଜନୀତିରେ କେତେ ସଫଳ, ତାହାର ପରୀକ୍ଷା ହେବ। ତେଣୁ ପ୍ରଚାର ମଇଦାନରେ କୌଣସି ସୁଯୋଗକୁ କେହି ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି। ଏଠି ତିନି ଦଳର ପ୍ରଚାର ଶୈଳୀ ଦେଖିଲେ ଅନୁଭବ ହେଉଛି ଯେ ପ୍ରାର୍ଥୀ ଗୌଣ, ଦଳ ମୁଖ୍ୟ। ପୂରା ନିର୍ବାଚନମଣ୍ଡଳୀ ପ୍ରଚାରରେ କମ୍ପୁଛି। ତିନିଟି ଯାକ ଦଳର ଅସ୍ଥାୟୀ କାର୍ଯ୍ୟାଳୟ ନିର୍ବାଚନମଣ୍ଡଳୀ ସାରା ଛାଇଯାଇଛି। ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାରକୁ ଅଧିକ ଫୋକସ୍ କରୁଥିବା ଦେଖିବାକୁ ମିଳୁଛି। ନୂଆପଡ଼ା ପ୍ରଚାର ମଇଦାନରେ ଛତିଶଗଡ଼ୀ ନେତାଙ୍କର ଚାହିଦା ଅଧିକ। ଉଭୟ ବିଜେପି ଓ କଂଗ୍ରେସର ବହୁ ସଂଖ୍ୟାରେ ଛତିଶଗଡ଼ୀ ନେତା ଡେରା ପକାଇଛନ୍ତି। ଛତିଶଗଡ଼ ବିଧାୟକମାନେ ପ୍ରାର୍ଥୀଙ୍କ ସହ ଘର ଘର ବୁଲୁଛନ୍ତି। ନୂଆପଡ଼ା ବ୍ଲକ୍ ଓ ନୂଆପଡ଼ା ଏନ୍‌ଏସିରେ ଓଡ଼ିଆ ଭାଷା ବାଦ୍ ହିନ୍ଦୀ ଓ ଲରିଆ ଭାଷାର ବହୁଳ ବ୍ୟବହାର ରହିଛି। ଛତିଶଗଡ଼ର ପ୍ରଭାବରେ ଏଠାରେ ବହୁ ଲୋକ ଲରିଆ ଭାଷାରେ କଥା ହେଉଛନ୍ତି। ଓଡ଼ିଶାର ଅନ୍ୟ ଜିଲ୍ଲାରୁ ଯାଇଥିବା ନେତାମାନେ ଏହି ଭାଷାରେ କଥା ହୋଇ ପାରୁନଥିବାରୁ ଅଡ଼ୁଆରେ ପଡ଼ୁଛନ୍ତି। ସେମାନଙ୍କୁ ସ୍ଥାନୀୟ ନେତା ଓ ଛତିଶଗଡ଼ୀ ନେତାମାନେ ବୁଝାଉଥିବା ଦେଖିବାକୁ ମିଳୁଛି। ଓଡ଼ିଶା ସୀମାରେ ଛତିଶଗଡ଼ ପଟେ ଥିବା କେତୋଟି ଗାଁ ଧରମବନ୍ଧା, ଚୁଲାଭାଟ୍‌, କେନ୍ଦୁବାହାରା, ମୋଟାନୂଆପଡ଼ା, ଭରୁଆମୁଣ୍ଡା, ଆମାନାରା, ଖୁଟୁମନଭେରାରେ ମଧ୍ୟ ନୂଆପଡ଼ା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେଉଛି। ସେଠାରେ ଛତିଶଗଡ଼ ନେତାମାନେ ରହି ନିର୍ବାଚନ ପ୍ରଚାରକୁ ପରିଚାଳନା କରୁଛନ୍ତି। 

କାଲି ପୁଣି ନବୀନଙ୍କ ସଭା, କଂଗ୍ରେସ ପାଇଁ ଆସିବେ ପାଇଲଟ୍‌

ବର୍ତ୍ତମାନ କୋମନା ବ୍ଲକ୍‌ ପାଇଁ ତିନିଟି ଯାକ ଦଳ ସ୍ବତନ୍ତ୍ର ରଣନୀତି କରି ଫୋକସ୍ କରୁଛନ୍ତି। ନୂଆପଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଦୁଇଟି ବ୍ଲକ୍ ଓ ଦୁଇଟି ଏନ୍‌ଏସି ମଧ୍ୟରେ କୋମନାରେ ସର୍ବାଧିକ ଭୋଟର୍‌ ରହିଛନ୍ତି। ଏହି ବ୍ଲକ୍‌ ହିଁ ନିର୍ବାଚନୀ ଫଳାଫଳକୁ ସର୍ବାଧିକ ପ୍ରଭାବିତ କରିବ। ପୂର୍ବ ନିର୍ବାଚନରେ ବିଜେଡି ଏଠାରୁ ଅଧିକ ଭୋଟ୍‌ ପାଇଥିଲା ଓ ସେବେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ (ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ) ଦ୍ବିତୀୟ ସ୍ଥାନରେ ଥିଲେ। ତାଙ୍କର ଏଠାରେ ସ୍ବତନ୍ତ୍ର ଭୋଟ୍‌ ବ୍ୟାଙ୍କ ରହିଛି। କିନ୍ତୁ ଏହି ବ୍ଲକ୍‌ରେ ଗତ ନିର୍ବ‌ାଚନର ସ୍ଥିତି ନାହିଁ। ପୂର୍ବ ନିର୍ବାଚନର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଏବେ ବିଜେପି ପ୍ରାର୍ଥୀ। ତେଣୁ ଏଠାରେ ମତଦାନକୁ ନେଇ ଆକଳନ କରିବା ମୁସ୍କିଲ୍‌। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ପୁରୁଣା ବିଜେଡି ଭୋଟକୁ ବାନ୍ଧି ରଖିବା ପାଇଁ ନେତାମାନେ ଜୋରଦାର ଚେଷ୍ଟା କରୁଛନ୍ତି। ତେବେ ବିଜେପିକୁ ଅଧିକ ବଳ ‌ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଏଠାରେ ସଭା କରିବେ। ତାଙ୍କ ସଭା ପରେ ବିଜେପିର ସ୍ଥିତି ସମ୍ପର୍କରେ ଆଉ ଟିକେ ଚିତ୍ର ସ୍ପଷ୍ଟ ହେବ। ନିଜ ଭୋଟ ବ୍ୟାଙ୍କ ଯେପରି ନ ଭାଙ୍ଗେ, ସେଥିପାଇଁ ଘାସିରାମ ବି ବ୍ୟକ୍ତିଗତ ଜନସମ୍ପର୍କ ଉପରେ ଜୋର୍‌ ଦେଉଛନ୍ତି। 

ଉପନିର୍ବ‌ାଚନକୁ ବିଜେଡି ସମ୍ମାନ ଭାବେ ନେଇଛି। ଏଣୁ ୭ ତାରିଖରେ ଦ୍ବିତୀୟଥର ପାଇଁ ନବୀନ ନୂଆପଡ଼ାକୁ ଆସି ପ୍ରଚାର କରିବେ। ଏହା ସହ ଖରିଆର୍‌ ରୋଡ୍‌ ଓ ନୂଆପଡ଼ା ଏନ୍‌ଏସିରେ ରୋଡ୍‌ ସୋ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ପାଇଁ ବିଜେଡି ନେତାମାନେ ଘନ ଘନ ପ୍ରସ୍ତୁତି ବୈଠକ ଚଳାଇଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ଏ ଯାଏଁ ବିଜେପିର ବଡ଼ ସଭା ହୋଇନାହିଁ। ଦଳର ୪୦ରୁ ଅଧିକ ବିଧାୟକ ଏଠାରେ ଡେରା ପକାଇଛନ୍ତି। ୮ ମନ୍ତ୍ରୀ ୮ଟି ‌ଜୋନ୍‌ ଦାୟିତ୍ବ ନେଇଥିଲେ ବି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ମଝିରେ ମଝିରେ ଆସି ପ୍ରଚାର ଅଭିଯାନରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ଗୁରୁବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନୂଆପଡ଼ା ଆସୁଛନ୍ତି। ସେ ନୂଆପଡ଼ା ବ୍ଲକ୍‌ରେ ବିଜେପି ପ୍ର‌ାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଉଭୟ ମୋହନ ଓ ବିଷ୍ଣୁଦେଓଙ୍କ ସଭା ସଫଳ କରିବାକୁ ବିଜେପି ନେତାମାନେ ଲାଗି ପଡିଛନ୍ତି। ନବୀନଙ୍କ କୋମନା ସଭାଠାରୁ ଯେପରି ଅଧିକ ଲୋକ ଯୋଗଦେବେ, ତା’ଉପରେ ଜୋର ଦିଆ ଯାଉଛି। କଂଗ୍ରେସରେ କୌଣସି ବଡ଼ସଭା ଏ ପର୍ଯ୍ୟନ୍ତ ହୋଇନି। ୮ ତାରିଖରେ ସଚିନ ପାଇଲଟ୍‌ଙ୍କ ସଭା ହେବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସିବେ ବୋଲି କୁହାଯାଉଥିଲେ ମଧ୍ୟ ସେ ସମ୍ପର୍କରେ ଚୂଡ଼ାନ୍ତ ସୂଚନା ମିଳିପାରି ନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *