LatestNewsPoliticsଘଟଣା ଦୁର୍ଘଟଣାଦୁର୍ନୀତିରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

Saliasahi’s

 ଠିକଣା ଖୋଜୁଛି ସାଲିଆସାହିର ବିସ୍ଥାପିତ ପରିବାର…

ଭୁବନେଶ୍ୱର ୩୦-୧୧-୨୦୨୫( ଏସ.ଏମ ) : ଟୋକନ୍‌ ପାଇଁରାତିରେ ନିଦ ହେଉନି। ସକା‌ଳ ହେଲେ ମନରେ ଗୋଟିଏ ଆଶା, ଆଜି ମିଳିବ କି ଟୋକନ୍‌। ସକାଳ ହୋଇ ପୁଣି ସଂଜ ବୁଡ଼ୁଛି, ରାତି ହେଉଛି, କିନ୍ତୁ ଟୋକନ ମିଳୁନି। ଏମିତିରେ ଦଶ ଦିନ ଦଶ ରାତି ବିତିଗଲାଣି। ମାତ୍ର ଟୋକନ ମିଳୁନି। ତେଣୁ ଘର କ’ଣ ମିଳିବ! ଏହା ହେଉଛି ସାଲିଆସାହିରୁ ବିସ୍ଥାପିତ ହୋଇ ସ୍ଥାୟୀ ଠିକଣା ଖୋଜୁଥିବା ଶତାଧିକ ଲୋକଙ୍କ ଅବସ୍ଥା। ବାହାରେ ପଡ଼ିଥିବା ଘରକରଣା ଜିନିଷପତ୍ର ସବୁକୁ ପୁରୁଷମାନେ ହାଡ଼ଭଙ୍ଗା ଶୀତ ରାତିରେ ଜଗି ବସୁଛନ୍ତି। ମହିଳାମାନେ ପିଲାଛୁଆଙ୍କୁ ଧରି କମ୍ୟୁନିଟ୍‌ ହଲ୍‌ରେ ଅଧାନିଦରେ ଶୋଇଶୋଇ ରାତି କାଟୁଛନ୍ତି। ସିସିଟିଭି ନଥିବାରୁ ନିଜିଷ ଚୋରି ଭୟ ସମସ୍ତଙ୍କ ନିଦ ହଜାଇଦେଇଛି।ସାଲିଆସାହିରୁ ଆସି ବୁଦ୍ଧବିହାର ଆବାସିକ ଆପାର୍ଟମେଣ୍ଟରେ ପହଞ୍ଚିଥିବା ଲୋକଙ୍କ ମଧ୍ୟରୁ କିଛି ପରିବାରକୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ। ସରକାରୀ ସର୍ଭେ କାର୍ଯ୍ୟ ସରିନଥିବାରୁ ଆବାସିକ ଗୃହ ପାଇଁ ସେମାନଙ୍କୁ ଟୋକୋନ୍‌ ମିଳିପାରୁ ନାହିଁ। ଫଳରେ ଦୁଇ ଶହ ଫୁଟିଆ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ ହୋଇଥିବା ଶତାଧିକ ସାଲିଆସାହି ବାସିନ୍ଦା ଏବେ ବୁଦ୍ଧବିହାର ନୂଆ ଠିକଣାରେ କୋଠା ଘର ପାଇବା ପାଇଁ ଅଶାବାନ୍ଧି ବସିଛନ୍ତି।ଆପାର୍ଟମେଣ୍ଟ ଲକ୍ ଥିବାରୁ ଅନେକ ଲୋକଙ୍କ ଜିନିଷପତ୍ର କୋଠା ବାହାରେ ପଡ଼ିଛି। ଯେଉଁମାନେ ସେର୍ଭଭୁକ୍ତ ହୋଇ ଟୋକନ୍ ପାଇଥିଲେ, ସେମାନଙ୍କୁ ଘର ମିଳିଯାଇଛି। ଯେଉଁ ପରିବାର ସର୍ଭେ ସମୟରେ ଘରେ ଅନୁପସ୍ଥିତ ଥିଲେ, ସର୍ଭେ ଅଧିକାରୀ ସେମାନଙ୍କ ନାମରେ ହାଉସ୍ ଲକ୍ ଲେଖିଦେଇଥିବାରୁ, ସେମାନଙ୍କୁ ଟୋକନ୍ ମିଳିନଥିବା ଅଭିଯୋଗ ହୋଇଛି। ସେହିଭଳି କିଛି ଅସାଧୁ ବ୍ୟକ୍ତି ଲୋକପ୍ରତିନିଧିଙ୍କୁ ହାତକରି ଓ ହାତଗୁଞ୍ଜା ଦେଇ ଘର ମାଡ଼ିବସିଥିବା ଅଭିଯୋଗ ମଧ୍ୟ ହୋଇଛି। ଫଳରେ ପ୍ରକୃତ ହିତାଧିକାରୀ ଘର ନପାଇ କୋଠା ବାହାରେ ପିଲାଛୁଆ ଧରି ଶୀତ କାକରରେ ଜିନିଷ ପତ୍ରକୁ ଜଗିବସିଛନ୍ତି। ଅନେକ ଲୋକ ଟୋକନ୍ ବାବଦକୁ ଦେଢ଼ଲକ୍ଷ ଟଙ୍କା ପଇଠ ନ କରିଥିଲେ ମଧ୍ୟ ସେମାନଙ୍କ ନାମରେ ଲ‌ଟେରି ଉଠିଛି ଏବଂ ସେମାନଙ୍କୁ ‌ଘର ମିଳିଛି ବୋଲି ଅଭିଯୋଗ ହେଉଛି। ବଡ଼ କଥା ହେଉଛି କିଛି ବୟସ୍କ ବ୍ୟକ୍ତିମାନେ ଉପର ମହଲାକୁ ଶିଡ଼ିରେ ଚଢ଼ି ନପାରି ପରିବାରଠାରୁ ବିଛିନ୍ନ ହୋଇ କମ୍ୟୁନିଟି ହଲ୍‌ରେ ଦିନ ବିତାଉଥିବା ଦେଖିବାକୁ ମିଳିଛି। ପ୍ରସାଶନ ପକ୍ଷରୁ ଦୁଇ ବେଳା ଖାଦ୍ୟ ମିଳୁଛି। ଗୃହ ପାଇନଥିବା ଲୋକେ ଧାଡ଼ିବାନ୍ଧି ଖାଦ୍ୟ ଆଣୁଥିବା ଦେଖିବାକୁ ମିଳିଛି। ଏଠାରେ ମୋଟ ୮୦ ରୁ ଅଧିକ ବ୍ଲକ୍ ରହିବା ଉପଯୋଗୀ ହୋଇଯାଇଥିଲେ ମଧ୍ୟ ମାତ୍ର ହାତଗଣତି କିଛି ବ୍ଲକରେ ଲୋକ ରହିବା ପାଇଁ ଅନୁମତି ଦିଆଯାଇଛି। ତେଣୁ ଅନେକ ଘର ଖାଲିଅଛି ସତ ହେଲେ ଲୋକଙ୍କୁ ସର୍ଭେଭୁକ୍ତ ଟୋକନ୍ ଦିଆଯାଇ ନଥିବାରୁ ଘର ହସ୍ତାନ୍ତର କରାଯାଇପାରିନାହିଁ।
ଏସବୁ ଭିତରେ ଉଚ୍ଛେଦ ହୋଇଥିବା ପରିବାରରେ ଥିବା ପାଠପଢ଼ୁଆ ପିଲାମାନଙ୍କ ପାଠପଢ଼ା ଚୁଲିକୁ ଯାଇଛି। ଦଶ ଦିନ ହେଲା କୌଣସି ପିଲା ସ୍କୁଲ ଯାଇପାରି ନାହାନ୍ତି। ରୋଜଗାର ବନ୍ଦ ହୋଇଯାଇଥିବରୁ ଅନେକ ପରିବାର ରାଜଧାନୀ ଛାଡ଼ି ଗାଁକୁ ଚାଲିଯିବା ପାଇଁ ସ୍ଥିର କରିଛନ୍ତି। ସେହିଭଳି ଦେଢ଼ଲକ୍ଷ ଟଙ୍କା ଦେବା ଭଳି ସାମର୍ଥ୍ୟ ନଥିବାରୁ ଅନେକ ଲୋକ ଘର ‌ମିଳିଲେ ମଧ୍ୟ ନେଇପାରିବେ ନାହିଁ ବୋଲି ଦୁଃଖରେ କହିଛନ୍ତି। ଅପରପକ୍ଷରେ ସାଲିଆସାହିରେ ପୁଲିସ୍ ଛାଉଣି କରାଯାଇ ରାସ୍ତା କାମ ଆଗେଇ ଚାଲିଛି। ଗଛ କଟାଯାଇ ଖୋଲା ପଡ଼ିଆକୁ ତାର ବାଡ଼ ବୁଲାଯାଉଛି। ଉଚ୍ଛେଦ ସ୍ଥାନରେ କିଛି ଲୋକ ପାଲଟାଣି ରହିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ସେମାନଙ୍କୁ ସେଠାରୁ ପୁଲିସ ଘଉଡ଼ାଇଦେଇଛି। ସାଲିଆସାହିରେ ସର୍ଭେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ମତ ଅନୁଯାୟୀ ଯେଉଁମାନଙ୍କ ଘର ଉଚ୍ଛେଦ ହୋଇଛି, ସେମାନଙ୍କୁ ଘର ମିଳିଛି ଓ ଅନ୍ୟ କିଛି ଲୋକଙ୍କୁ ମିଳିବ। ହେଲେ ଯେଉଁମାନେ ଭଡ଼ାରେ ଥିଲେ କିମ୍ବା ନୂଆ କରି ରହୁଥିଲେ, ସେମାନଙ୍କୁ ସର୍ଭେଭୁକ୍ତ କରାଯାଇନାହିଁ। ସେମାନଙ୍କ ଥଇଥାନ ପାଇଁ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *