Views: 7
ଆମେ ବିକାଶ ନେଇ ଆଗକୁ ବଢୁଛୁ: ମୁଖ୍ୟମନ୍ତ୍ରୀ
ଆମେ ବିକାଶ ନେଇ ଆଗକୁ ବଢୁଛୁ। ଆମର ଲକ୍ଷ୍ୟ ସ୍ପଷ୍ଟ, ଓଡ଼ିଶାର ବିକାଶ ପାଇଁ ଶକ୍ତିଶାଳୀ ପ୍ରତିନିଧିତ୍ୱ। ମନମୋହନ ସାମଲ ଏବଂ ସୁଜିତ୍ କୁମାର ରାଜ୍ୟସଭାକୁ ଗଲେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ।
ଭୁବନେଶ୍ୱର ୦୩-୦୩-୨୦୨୬(ଏସ .ଏମ ) : ଆମେ ବିକାଶ ନେଇ ଆଗକୁ ବଢୁଛୁ। ଆମର ଲକ୍ଷ୍ୟ ସ୍ପଷ୍ଟ, ଓଡ଼ିଶାର ବିକାଶ ପାଇଁ ଶକ୍ତିଶାଳୀ ପ୍ରତିନିଧିତ୍ୱ। ମନମୋହନ ସାମଲ ଏବଂ ସୁଜିତ୍ କୁମାର ରାଜ୍ୟସଭାକୁ ଗଲେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ଓ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବେ।
ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚତୁର୍ଥ ଆସନରେ ସ୍ୱାଧିନପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଦିଲ୍ଲୀପ ରାୟ ଆଜି ତାଙ୍କ ନାମ ଘୋଷଣା କରିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଦଳର ସଭାପତି କହିଛନ୍ତି। ମୁଁ ମଧ୍ୟ ଏଥିରେ ସହମତ ଅଛି। ଦିଲ୍ଲୀପ ରାୟ ଓଡ଼ିଶାର ଜଣେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ ରାଜନେତା। ବିଧାୟକ, ସାଂସଦ, ଓଡ଼ିଶାରେ ଏବଂ କେନ୍ଦ୍ରରେ ମନ୍ତ୍ରୀ ଭାବରେ ତାଙ୍କର ଅଭିଜ୍ଞତା ରହିଛି। ନିଜସ୍ୱ ଶକ୍ତି ବଳରେ ସେ ରାଜ୍ୟସଭା ସାଂସଦ ହେବାର ରେକର୍ଡ ମଧ୍ୟ ଅଛି। ଦିଲ୍ଲୀପ ରାୟଙ୍କର ରାଜ୍ୟ ପ୍ରତି ଯେଉଁ ଅବଦାନ ଅଛି ଓ ରାଜନୈତିକ ଅଭିଜ୍ଞତା ଅଛି ସେ ଦୃଷ୍ଟିକୋଣରୁ ଆମ ଦଳ ସମର୍ଥନ କରିଛି ଏବଂ ସମସ୍ତ ବିଧାୟକ ମାନଙ୍କର ମଧ୍ୟ ତାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିବ। ଚତୁର୍ଥ ଆସନ ପାଇଁ ଯେହେତୁ କୌଣସି ରାଜନୈତିକ ଦଳର ସ୍ପଷ୍ଟସଂଖ୍ୟା ନାହିଁ, ତେଣୁ ସେ ନିଶ୍ଚିନ୍ତ ଭାବେ ବିଜୟପ୍ରାପ୍ତ ହେବେ।
ଆଜି ଆମ ଓଡ଼ିଶା ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରୁ ଦୁଇ ଜଣ ଯୋଗ୍ୟ ତଥା ଅଭିଜ୍ଞ ନେତାଙ୍କ ନାମ ଘୋଷଣା କରିଛନ୍ତି। ମୁଁ ସର୍ବପ୍ରଥମେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନ ଜୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନର ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଚୟନ ଦର୍ଶାଉଛି ଯେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ସ୍ୱାର୍ଥ ଏବଂ ଅଭିଜ୍ଞତାକୁ ସବୁବେଳେ ସମ୍ମାନ ଦେଇଆସିଛି।
ମନମୋହନ ସାମଲ ହେଉଛନ୍ତି ଜଣେ ତୃଣମୂଳ ସ୍ତରର ସଂଗଠକ ଓ ନେତା। ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ଐତିହାସିକ ସଫଳତା ପାଇଛି। ତାଙ୍କର ସଂସଦୀୟ ଅଭିଜ୍ଞତା ଏବଂ ଓଡ଼ିଶାର ସମସ୍ୟା ବୁଝିବାର ଶୈଳୀ ନିଶ୍ଚିତ ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଶାଣିତ କରିବ। ସୁଜିତ କୁମାର ଜଣେ ଉଚ୍ଚଶିକ୍ଷିତ ଏବଂ ଦକ୍ଷ ନେତା। ପୂର୍ବରୁ ସାଂସଦ ଭାବେ ସେ ନିଜର ପାରଦର୍ଶିତା ପ୍ରମାଣିତ କରିଛନ୍ତି।
ଆପଣମାନେ ଜାଣନ୍ତି, ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଚଳିତ ନିର୍ବାଚନ ହେଉଛି। ସଂଖ୍ୟା ଦୃଷ୍ଟିରୁ ବିଜେପି ପାଖରେ ସ୍ପଷ୍ଟ ବହୁମତ ରହିଛି। ଆମର ୭୯ ଜଣ ବିଧାୟକ ଏବଂ ଆମକୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ଆମେ ଏହି ଦୁଇଟି ଯାକ ଆସନରେ ବୃହତ ବିଜୟ ହାସଲ କରିବୁ।