ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ: ବିଜେଡି
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ: ବିଜେଡି
ଏସସିବି ମେଡିକାଲ କଲେଜର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ଦୁଃଖଦ ମୃତ୍ୟୁ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଏକ ସପ୍ତାହରୁ ବିଧାନସଭା ଅଚଳ ହୋଇଥିବା ବେଳେ, ରାମ ନବମୀ ଶୋଭାଯାତ୍ରାରେ…
ଭୁବନେଶ୍ୱର ୨୮-୦୩-୨୦୨୬(ଏସ.ଏମ ) : ଏସସିବି ମେଡିକାଲ କଲେଜର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ଦୁଃଖଦ ମୃତ୍ୟୁ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଏକ ସପ୍ତାହରୁ ବିଧାନସଭା ଅଚଳ ହୋଇଥିବା ବେଳେ, ରାମନବମୀଶୋଭାଯାତ୍ରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ବିନା ହେଲମେଟରେ ମଟର ସାଇକେଲ ଚଲାଇବାକୁ ନେଇ ବିଜୁ ଜନତା ଦଳ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଆଚରଣ ଉଚ୍ଚାରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଅସ୍ମିତା, ନିତି ଓ ନୈତିକତାର ପାଠ ପଢ଼ାଉଥିବା ବିଜେପି ବାସ୍ତବରେ ପ୍ରତିଦିନ ଏହାର ହତ୍ୟା କରି ଚାଲିଛି। ଏସସିବିରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଦୁଃଖଦ ମୃତୁ୍ୟ ହେବା ପରେ, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳମାନେ ଦାବି କରି ଆସୁଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ପୂର୍ବରୁ ସ୍ୱାସ୍ଥ୍ୟ ସହିତ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଥିବା ମୁକେଶ ମହାଲିଙ୍ଗ ବିଧାନସଭାରେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିଲେ, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। କିନ୍ତୁ, ମନ୍ତ୍ରୀଙ୍କ ଏହି ବିଶୃଙ୍ଖଳିତ ଆଚରଣ ପାଇଁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଯେତେବେଳେ, ଏସସିବିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରେ ଗୋଟିଏ ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇ ମୃତୁ୍ୟ ବରଣ କରୁଥିଲେ, ସେତେବେଳେ ମନ୍ତ୍ରୀ ପାରାଦୀପରେ ମଉଜ ମଜଲିସରେ ବ୍ୟସ୍ତ ଥିଲେ। ତାପର ଦିନ ତାଙ୍କୁ, ଜଣେ ବିଧାୟକଙ୍କୁ ତମେ ଟଙ୍କା ନେଇଚ ଭୋଟ ଦେବାକୁ ବାଧ୍ୟ ବୋଲି କହୁଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ କୌଣସି ଭଦ୍ର ସମାଜ ପାଇଁ ଗ୍ରହଣୀୟ ହୋଇ ନଥିବା ବେଳେ ରାଜ୍ୟ ବିଜେପି ସରକାରଙ୍କୁ ଏହା କୌଣସି ଫରକ ପଡୁନାହିଁ।ଅପରପକ୍ଷରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଜ ଆଚରଣ ଓ ଉଚ୍ଚାରଣରେ ସୁଧାର ଆଣିବାରେ କୌଣସି ପ୍ରଚେଷ୍ଟା କରୁ ନାହାନ୍ତି । ଆଇନ ଉଲ୍ଲଂଘନ ଯେପରି ତାଙ୍କର ଜନ୍ମଗତ ଅଧିକାର, ସେହିପରି ଆଚରଣ କରୁଛନ୍ତି। ଗତକାଲି ପବିତ୍ର ରାମ ନବମୀ ଅବସରରେ ହେଉଥିବା ଶୋଭାଯାତ୍ରାରେ, ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିନା ହେଲମେଟରେ ମଟର ସାଇକେଲ ଚଳାଉଥିବା ଦେଖିବାକୁ ମିଳିଲା। ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ରାଜ୍ୟର ସାଧାରଣ ଜନତା ନାପସନ୍ଦ କରିଛନ୍ତି। ସାମାଜିକ ଗଣମାଧ୍ୟମରେ, ବିନା ହେଲମେଟରେ ମନ୍ତ୍ରୀ ମଟର ସାଇକେଲ ଚଲାଉଥିବା ଫଟୋ ପୋଷ୍ଟ କରି, ଏହା କଣ ବିଜେପି ସରକାରଙ୍କ ନୀତି ନୈତିକତା ବୋଲି କିଛି ସାଧାରଣ ଲୋକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

