Lingaraj niti bivrat prasanga.
ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗ ପଦକ୍ଷେପ ନେଉଛନ୍ତି ସରକାର
ଭୁବନେଶ୍ବରର ଏକାମ୍ର କ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ନେଇ ବିଧାୟକ ପ୍ରଶାନ୍ତ ବେହେରା ଆଜି ବିଧାନସଭାରେ ଲିଖିତ ପ୍ରଶ୍ନ କରିଥିଲେ। ଉତ୍ତରରେ….
ଭୁବନେଶ୍ୱର ୩୦-୧୧-୨୦୨୫( ଏସ.ଏମ ) : ଭୁବନେଶ୍ବରର ଏକାମ୍ର କ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ନେଇ ବିଧାୟକ ପ୍ରଶାନ୍ତ ବେହେରା ଆଜି ବିଧାନସଭାରେ ଲିଖିତ ପ୍ରଶ୍ନ କରିଥିଲେ। ଉତ୍ତରରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଦର୍ଶାଇଛନ୍ତି ଯେ ୨୦୨୪ ଓ ୨୦୨୫ରେ ବିଭିନ୍ନ ସମୟରେ ନୀତିକାନ୍ତିରେ ସୃଷ୍ଟି ହୋଇଥିବା ବିଭ୍ରାଟକୁ ପରବର୍ତ୍ତୀ ପର୍ଯ୍ୟାୟରେ ସମାଧାନ କରାଯାଇଛି। ଏପରିକି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ସେବା ପ୍ରଦାନ କରୁଥିବା ନିଯୋଗମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଓ ବିବାଦକୁ ସବୁଦିନ ପାଇଁ ସମାଧାନ କରି ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ନିକଟରେ ଦୁଇ ଜଣିଆ ସ୍ବତ୍ବଲିପି କମିଟି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି।
ତେବେ ହାଣ୍ଡିଭଙ୍ଗା ଯାତ୍ରାରେ ଶ୍ରୀ କପିଳନାଥ ମନ୍ଦିରରେ ମଲ୍ଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ପାରମ୍ପରିକ ସେବାପୂଜା ନେଇ ମତଭେଦ ଓ ଦ୍ବନ୍ଦ୍ବ ପାଇଁ ଗତ ୧୫ବର୍ଷ ହେଲା ବିଶୃଙ୍ଖଳା ଲାଗିରହିଛି। ୨୦୨୪ରେ ହାଣ୍ଡିଭଙ୍ଗା ଯାତ୍ରା ପୂର୍ବରୁ ଦେବୋତ୍ତର ଆୟୁକ୍ତଙ୍କ ତତ୍ତ୍ବାବଧାନରେ ସମସ୍ତ ସେବାୟତ, ବୁଦ୍ଧିଜୀବୀ, ବରିଷ୍ଠ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ। ଫଳରେ ୨୦୨୪ ଓ ୨୦୨୫ରେ ହାଣ୍ଡିଭଙ୍ଗା ଯାତ୍ରାରେ ଶ୍ରୀ ଜୀଉଙ୍କର ଭୋଗ ମଣ୍ଡପରେ କୌଣସି ନୀତି ନହୋଇ ତା’ ପରଦିନ ପୁନଃ ମଙ୍ଗଳଆଳତୀ ଠାରୁ ନୀତି ହୋଇଥିଲା। ସେହିପରି ୨୦୨୪ରେ ପବିତ୍ରରୋପଣ ନୀତି ହୋଇନଥିଲା ବେଳେ ୨୦୨୫ରେ ପବିତ୍ରାରୋପଣ ନୀତି ବନ୍ଦ ରହିଥିଲେ ହେଁ ସ୍ବତ୍ବଲିପି କମିଟି ଅଧକ୍ଷ ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ପରାମର୍ଶ କ୍ରମେ ପ୍ରଶାସନର ହସ୍ତକ୍ଷେପ ଫଳରେ ଅନ୍ୟ ନୀତି କରାଯାଇଥିଲା। ୨୦୨୪ରେ ଶ୍ରୀ ଜୀଉଙ୍କର ଓଢଣ ଷଷ୍ଠୀରେ ସକାଳ ମଙ୍ଗଳ ଆଳତୀଠାରୁ ସମସ୍ତ ନୀତି ବନ୍ଦ ରହିଥିଲା। ତା ପରଦିନ ଶ୍ରୀ ଜୀଉଙ୍କର ନୀତିକାନ୍ତି ସ୍ବଭାବିକ ହୋଇଥିଲା। ସେହିପରି ତା ୨୬/୧୧/୨୫ରେ ଓଢଣ ଷଷ୍ଠୀ ସ୍ବଭାବିକ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଆଗୁଆ ତା ୧/୧୧/୨୫ରେ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ସମାଧାନ ପରାମର୍ଶ ଦେଇଥିଲେ। ୨୦୨୫ରେ ନବାଙ୍କବେଢା ନୀତି ହୋଇନପାରିବାରୁ ଶ୍ରୀଜୀଉମାନେ ମକର ମଣ୍ଡପରେ ତା ୧୩/୧/୨୫ରୁ ତା ୧୫/୧/୨୫ ସଂଧ୍ୟା ପର୍ଯ୍ୟନ୍ତ ଉପବାସ ରହିଥିଲେ। ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ହସ୍ତକ୍ଷେପ କରିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ଟ୍ରଷ୍ଟବୋର୍ଡ଼ର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇ ସମ୍ପୃକ୍ତ ସେବାୟତମାନଙ୍କ ସହ ଆଲୋଚନା କରି ମଧ୍ୟରାତି ସୁଦ୍ଧା ବନ୍ଦ ଥିବା ନୀତିକାନ୍ତି କରାଯାଇଥିଲା।
