ରାଜନୀତିରାଜ୍ୟ

New districts, block

 ଏବେ ଘୋଷଣା ହେବନି ନୂଆ ଜିଲ୍ଲା, ବ୍ଲକ୍‌, ତହସିଲ: ମାର୍ଚ୍ଚ ୨୦୨୭ ପରେ ଯାହା ନିଷ୍ପତ୍ତି

୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ବହୁ ବର୍ଷ ହେଲା ଦାବି ହେଉଛି। ବିଜେଡି ସରକାର ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ। ଏହା ଘୋଷଣାରେ ରହିଗଲା।

ଭୁବନେଶ୍ୱର ୦୪-୧୧-୨୦୨୫(ଏସ,ଏମ ) :  ୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ବହୁ ବର୍ଷ ହେଲା ଦାବି ହେଉଛି। ବିଜେଡି ସରକାର ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ। ଏହା ଘୋଷଣାରେ ରହିଗଲା। ବିଜେପି ନିର୍ବାଚନ ପୂର୍ବରୁ ଓ ପରେ କହିଥିଲା, ସରକାରକୁ ଆସିଲେ ଜିଲ୍ଲା ଦାବି ପୂରଣ ହେବ। ହେଲେ ଗତ ଦେଢ଼ ବର୍ଷ ଭିତରେ ହୋଇପାରିଲାନି। ଏବେ ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ।
ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ପରିପ୍ରେକ୍ଷୀରେ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ କେବଳ ଡିସେମ୍ବର ୩୧ ସୁଦ୍ଧା କିଛି ରାଜସ୍ବ ଗ୍ରାମ ଘୋଷଣା ହେବା ସହ ସେ ସଂକ୍ରାନ୍ତ ବିଜ୍ଞପ୍ତିି ପ୍ରକାଶ ପାଇପାରେ। ପୂର୍ବରୁ ରାଜ୍ୟ ସରକାର ୨୮ଟି ଏନ୍‌ଏସି , ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି। ଜନଗଣନା ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ କହିଛନ୍ତି, ରାଜ୍ୟ ସରକାର ଯଦି କିଛି ବି ନୂଆ ରାଜସ୍ବ ଗାଁ, ଏନ୍‌ଏସି, ମ୍ୟୁନିସିପାଲିଟି, ମହାନଗର ନିଗମ, ବ୍ଲକ୍‌, ତହସିଲ, ଜିଲ୍ଲା ଆଦି କରିବାକୁ ଚାହୁଁଛନ୍ତି ସମସ୍ତ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ସାରିବାକୁ ହେବ। ଏହି ସମୟ ମଧ୍ୟରେ ଯଦି କୌଣସି ପୌରସଂସ୍ଥାରେ ନୂଆ ଅଞ୍ଚଳ ସାମିଲ୍ କରିବାକୁ ଚାହୁଛନ୍ତି, ନୂଆ ୱାର୍ଡ ଗଠନ କରିବାକୁ ଚାହୁଁଛନ୍ତି ତାକୁ ବି ସାମିଲ କରି ତା’ର ସୀମା ଧାର୍ଯ୍ୟ କରିବାକୁ କୁହାଯାଇଛି। ଏହା ଭିତରେ ଯାହା ‌ସେମାନେ କରିବେ ତା’ର ରିପୋର୍ଟ ଓ ବିଜ୍ଞପ୍ତି ଜନଗଣନା ପ୍ରକ୍ରିୟାରେ ସାମିଲ ହେବ। ଅନ୍ୟଥା ରେକର୍ଡରେ କାର୍ଯ୍ୟକାରୀ କରାଯାଇପାରିବନି।
ଡିସେମ୍ବର ପୂର୍ବରୁ ହଜାରେ ରାଜସ୍ବ ଗାଁ ଘୋଷଣା ଯୋଜନା
ପ୍ରଥମ ପର୍ଯ୍ୟାୟ ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନଗଣନା ହେବ। ଏଥିରେ ଘର ଗଣତି ସହ କେଉଁଠି କ’ଣ ଭିତ୍ତିଭୂମି ଅଛି ତା’ର ତଥ୍ୟ ସଂଗ୍ରହ ହେବ। ‌କେଉଁ ଗାଁ, ପଞ୍ଚାୟତ, ବ୍ଲକ୍‌, ତହସିଲ, ୱାର୍ଡ, ପୌରସଂସ୍ଥା, ଜିଲ୍ଲାରେ କ’ଣ ଅଛି ତା’ର ସୂଚନା ରହିବ। ୨୦୨୭ ଫେବ୍ରୁଆରି ୧ରୁ ‌େଫବ୍ରୁଆରି ୨୮ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ଜନଗଣନା ହେବ। ମାର୍ଚ୍ଚ ୧ ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ସରିବ। ତେଣୁ ରାଜ୍ୟ ସରକାର ଯାହା କିଛି ନୂଆ ନିଷ୍ପତ୍ତି ନେବେ କି ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରିବେ ମାର୍ଚ୍ଚ, ୨୦୨୭ ପରେ ହିଁ କରିବେ। ସେ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨୦ଟି ପୌରସଂସ୍ଥା ଓ ସେମାନଙ୍କ ଅଧୀନକୁ କେଉଁ ନୂଆ ଗାଁ ଆସିଛି, ସେହି ରିପୋର୍ଟ ପାଇସାରିଲୁଣି। ଏହାକୁ ଜନଗଣନାରେ ସହରାଞ୍ଚଳ ଭାବେ ସାମିଲ କରାଯିବ। ବାକି ପୌରସଂସ୍ଥାଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆମର ଏବେ ଆଉ କୌଣସି ନୂଆ ଜିଲ୍ଲା, ତହସିଲ, ବ୍ଲକ୍‌ ଗଠନ ଯୋଜନା ନାହିଁ। ପ୍ରାୟ ହଜାରେ ରାଜସ୍ବ ଗାଁ ମାନ୍ୟତା ଦେବାକୁ ଯୋଜନା ଅଛି। ଯେଉଁ ଜିଲ୍ଲାରେ ପ୍ରକ୍ରିୟା ଶେଷ ହେଉଛି ସେନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି। ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ସରକାର ନୂଆ ନିଷ୍ପତ୍ତି ନେବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *