LatestNewsଅପରାଧରାଜ୍ୟ

Odisha criminals

ଓଡ଼ିଶା ଅପରାଧୀଙ୍କ କାର୍ବାଇନ୍ ମୋହ: ପୁଣି ୧ କାର୍ବାଇନ୍‌, ୧୦ ପିସ୍ତଲ ଜବତ, ଏଥର ଧରାପଡ଼ିଲେ ୨ ଓଡ଼ିଆ ମାଫିଆ

ପୂର୍ବରୁ ଓଡ଼ିଶାକୁ ବିହାର ମୁଙ୍ଗେରରୁ ବନ୍ଧୁକ ଆସୁଥିଲା। ଓଡ଼ିଆ ଅପରାଧୀମାନେ ଚୋରା ବନ୍ଧୁକ କାରଖାନାର ପେଣ୍ଠ ତଥା ଅନ୍ତୁଡ଼ିଶାଳ ମୁ‌ଙ୍ଗେରରୁ ଅତ୍ୟାଧୁନିକ ପିସ୍ତଲ ଓ ଗୁଳି ମଗାଉଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ଓଡ଼ିଆ ଅପରାଧୀଙ୍କ ଭିତରେ କାର୍ବାଇନ୍‌….

ଭୁବନେଶ୍ୱର ୦୭-୧୨-୨୦୨୫(ଏସ.ଏମ ) :  ପୂର୍ବରୁ ଓଡ଼ିଶାକୁ ବିହାର ମୁଙ୍ଗେରରୁ ବନ୍ଧୁକ ଆସୁଥିଲା। ଓଡ଼ିଆ ଅପରାଧୀମାନେ ଚୋରା ବନ୍ଧୁକ କାରଖାନାର ପେଣ୍ଠ ତଥା ଅନ୍ତୁଡ଼ିଶାଳ ମୁ‌ଙ୍ଗେରରୁ ଅତ୍ୟାଧୁନିକ ପିସ୍ତଲ ଓ ଗୁଳି ମଗାଉଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ଓଡ଼ିଆ ଅପରାଧୀଙ୍କ ଭିତରେ କାର୍ବାଇନ୍‌ ଭଳି ଭୟଙ୍କର ଆଗ୍ନେୟାସ୍ତ୍ର ପ୍ରତି ମୋହ ବଢ଼ିବା ପରିଲକ୍ଷିତ ହେଉଛି। ମାସକ ଭିତରେ ଓଡ଼ିଶା ପୁଲିସ ଦୁଇ ଦୁଇ ଥର ବିହାରରୁ ଆସୁଥିବା କାର୍ବାଇନ୍‌ ଜବତ କରିବା ପରେ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ କାର୍ବାଇନ୍‌ ଆଣି ଆସିଥିବା ୨ ବିହାରୀ ମାଫିଆ ପୁଲିସ ଜାଲରେ ଫସିଥିଲେ। ଏଥର କିନ୍ତୁ ୨ ଓଡ଼ିଆ ମାଫିଆଙ୍କଠାରୁ କାର୍ବାଇନ ଜବତ କରାଯାଇଛି। ଗତକାଲି ରାତିରେ କମିସନେରଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌(ଏସ୍‌ସିୟୁ) ପୁଣି ଏକ ବଡ଼ ସଫଳତା ମିଳିଛି। ଏଥର ୨ ଓଡ଼ିଆ ମାଫଆଙ୍କଠାରୁ ଗୋଟିଏ କାର୍ବାଇନ୍‌ ଓ ୧୦ଟି ପିସ୍ତଲ ଜବତ କରାଯାଇଛି। ଧରାପଡ଼ିଥିବା ମାଫିଆଦ୍ବୟ ହେଲେ ଢେଙ୍କାନାଳ ପରଜଙ୍ଗର ସୌଭାଗ୍ୟ ନାୟକ(୩୦) ଓ ଅନୁଗୁଳ ବଅଁରପାଳର ସୁମନ୍ତ ନାୟକ(୩୦)। ଦୁଇଜଣଯାକ ପେସାଦାର ଅପରାଧୀ ଓ ସେମାନଙ୍କ ନାଁରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ ସଂଗିନ ମାମଲା ରହିଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିପି ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ସିପି ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ଏହି ରୢାକେଟ୍‌ ବାବଦରେ ସୂଚନା ଦେଇଥିଲେ। ଚୋରା ବନ୍ଧୁକ ଚାଲାଣରେ ରୋକ୍‌ ଲଗାଇବାକୁ ପୁଲିସ ବିଛାଇଥିବା ନେଟ୍‌ୱର୍କ ସୂଚନାକୁ ଭିତ୍ତି କରି ଗତକାଲି ରାତିରେ ଏସ୍‌ସିୟୁ ଡିସିପି ଅନୁପ କାନୁନ୍‌ଗୋଙ୍କ ନେତୃତ୍ବାଧୀନ ଏକ ଟିମ୍‌ ୧୬ନମ୍ବର ଜାତୀୟ ରାଜପଥରେ ଛକି ରହିଥିଲା। ଅନୁଗୁଳରୁ ଏକ ବୋଲେରୋ(ଓଡି ୧୯ଟି ୭୮୦୨) ଯୋଗେ ସୌଭାଗ୍ୟ ଓ ସୁମନ୍ତ ବିପୁଳ ଆଗ୍ନୋୟାସ୍ତ୍ର ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଖବର ପାଇ ଏହି ସ୍କ୍ବାଡ୍‌ ଆଇଗିଣିଆ-ପାତ୍ରପଡ଼ା ଫ୍ଲାଏଓଭର ବ୍ରିଜ୍‌ ଉପରେ ଜଗି ରହିଥିଲା। ମାଫିଆଦ୍ବୟ ଆଠଗଡ଼ ଦେଇ ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବା ପରେ କୌଣସି ଜାଗାରେ ଅପେକ୍ଷା କରିଥିଲେ। ରାତି ପ୍ରାୟ ୨ଟା ବେଳେ ସେମାନେ ଭୁବନେଶ୍ବରରୁ ବାହାରି ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ମାତ୍ର ୧୬ନମ୍ବର ଜାତୀୟ ରାଜପଥରେ ପୁଲିସ ବିଛାଇଥିବା ଜାଲରେ ସେମାନେ ପଡ଼ିଯାଇଥିଲେ। ଯାଞ୍ଚ ବେଳେ ଗାଡ଼ି ସିଟ୍‌ ତଳୁ ଏକ ବ୍ୟାଗ୍‌ରୁ ଗୋଟିଏ ଅଟୋମେଟେଡ୍‌ କାର୍ବାଇନ୍‌, ୧୦ଟି ପିସ୍ତଲ( ୨ଟି ୯ମିମି ଓ ୮ଟି ୭.୬୫ମିମି ପିସ୍ତଲ) ଓ ୧୨ଟି ଗୁଳି ଜବତ କରାଯାଇଥିଲା। ସେମାନେ ବିହାର ମୁଙ୍ଗେରରୁ ଏସବୁ ଆଗ୍ନେ‌ୟାସ୍ତ୍ର ଆଣି ବ୍ରହ୍ମପୁରରେ ପହଞ୍ଚାଇବାର ଥିଲା ବୋଲି ମାନିଯାଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *