Potato Mission
ଆଳୁ ମିସନ: ବିହନରୁ ମୁହଁ ଫେରାଉଛନ୍ତି ଚାଷୀ…
ଓଡ଼ିଶାରେ ଆଳୁଚାଷ ପ୍ରତି ଚାଷୀଙ୍କ ଆଗ୍ରହ ନଥିବାରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ିଛି। ତେଣୁ ରାଜ୍ୟରେ ଆଳୁଚାଷ କରି ରାଜ୍ୟରୁ ଆଳୁ ସଙ୍କଟ ଦୂର କରିବା ସହ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ‘ଆଳୁ ମିସନ୍’ ମାଧ୍ୟମରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଉଛି।
ଭୁବନେଶ୍ୱର ୦୩-୧୨-୨୦୨୫( ଏସ.ଏମ ) : ଓଡ଼ିଶାରେ ଆଳୁଚାଷ ପ୍ରତି ଚାଷୀଙ୍କ ଆଗ୍ରହ ନଥିବାରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ିଛି। ତେଣୁ ରାଜ୍ୟରେ ଆଳୁଚାଷ କରି ରାଜ୍ୟରୁ ଆଳୁ ସଙ୍କଟ ଦୂର କରିବା ସହ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ‘ଆଳୁ ମିସନ୍’ ମାଧ୍ୟମରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଉଛି। ହେଲେ ଚାଷୀ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ସରକାରୀ ବିହନ ଅପେକ୍ଷା ବଜାରରେ ବସ୍ତା(୫୦କେଜି)କୁ ୫୦୦/୫୫୦ ଟଙ୍କାରେ ମିଳୁଥିବା ବେଳେ ସରକାରୀ ବିହନ ବସ୍ତା ପିଛା ଏକ ହଜାର ଟଙ୍କାରେ କିଣିବାକୁ ପଡୁଛି। ସବୁଠୁ ବଡ଼ କଥା ହେଉଛି, ସରକାର ଯୋଗାଇ ଦେଉଥିବା ବିହନ ପଞ୍ଜାବ ରାଜ୍ୟରୁ ଆସୁଛି। ତେଣୁ ଏହି ବିହନ ଅଧିକ ଶୀତ ସମୟରେ ଲଗାଯାଏ। ହେଲେ ଓଡ଼ିଶାରେ କିଛି ଜିଲ୍ଲାକୁ ଛାଡ଼ିଦେଲେ ଅଧିକାଂଶ ଜିଲ୍ଲାରେ ଶୀତ ଲହରି ଖୁବ୍ କମ୍ ରହିଛି। ତେଣୁ ଏହି ବିହନ ଲଗାଇଲେ ମଧ୍ୟ ଠିକ୍ ଭାବେ ଅମଳ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଜଣେ ପଞ୍ଜୀକୃତ ଚାଷୀକୁ ଅତି କମ୍ରେ ୩ ବସ୍ତା ଅର୍ଥାତ୍ ଦେଢ଼ କ୍ବିଣ୍ଟାଲ୍ ବିହନ ଯୋଗାଇ ଦେବାର ନିୟମ ରହିଛି। ୩ ପ୍ୟାକେଟ୍ରୁ କମ୍ବିହନ କିଣିଲେ, ସବ୍ସିଡି ମିଳୁନାହିଁ। ତେଣୁ ଅଧିକାଂଶ ଚାଷୀ ଆବଶ୍ୟକତା ଅନୁସାରେ ମାର୍କେଟ୍ରୁ ବିହନ କିଣି ଲଗାଉଛନ୍ତି। ସେହିପରି ଚାଷୀ ଆଳୁ ଲଗାଇବା ପରେ ବିଭାଗୀୟ ଅଧିକାରୀମାନେ କ୍ଷେତ ପରିଦର୍ଶନ କରି ଜିପିଏସ୍ ମୋଡ୍ରେ କ୍ଷେତର ଫଟୋ ଉଠାଇ ନେବା ପରେ ହିଁ ସରକାରଙ୍କ ପକ୍ଷରୁ ସବ୍ସିଡି ମିଳିବାର ବ୍ୟବସ୍ଥା ରହିଛି। ଦେଖିବାକୁ ଗଲେ ଜଟଣୀ ଅଞ୍ଚଳର କିଛି ପଞ୍ଚାୟତରେ ଆଳୁଚାଷ-ଉପଯୋଗୀ ଜମି ରହିଛି। ପୂର୍ବରୁ ମଧ୍ୟ ଆଳୁ ଚାଷ କରାଯାଉଥିଲା। ହେଲେ ଗତ କିଛିବର୍ଷ ହେଲାଣି ପ୍ରୋତ୍ସାହନ ଅଭାବରୁ ଚାଷୀ ମୁହଁ ଫେରାଉଛନ୍ତି। ଅଞ୍ଚଳରେ ଶୀତଳଭଣ୍ଡାରଟିଏ ନଥିବାରୁ ଅମଳ ଆଳୁ ରଖାଯିବାର ବ୍ୟବସ୍ଥା ନାହିଁ। ଫଳରେ ଚାଷୀ କ୍ଷତି ସହୁଛି। ସେହିପରି କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ବିହନ ଓ ଚାରା ନଷ୍ଟ କରି ଦେଉଛନ୍ତି। ତେଣୁ ଚାଷ କରିବାକୁ ରାଜି ହେଉନାହାନ୍ତି ଚାଷୀ। ଅନ୍ୟପଟେ ଏହି ପରିପ୍ରେକ୍ଷୀରେ ଚାଷ ବଢ଼ାଇବା ପାଇଁ ଜଟଣୀ ଉଦ୍ୟାନ କୃଷି ବିଭାଗକୁ ପ୍ରଥମ ପର୍ଯ୍ୟାୟରେ ୩୫୦ ବସ୍ତା ବିହନ ଆସିଥିଲା। ଆସନ୍ତାକାଲି ଆଉ ୩୫୦ ପ୍ୟାକେଟ୍ ଓ ଆଗକୁ ଆହୁରି ୮୦୦ ପ୍ୟାକେଟ୍ ବିହନ ଆସିବାର ରହିଛି। ତେବେ ବର୍ତ୍ତମାନ ଉଦ୍ୟାନ କୃଷି ବିଭାଗ ପାଇଁ ସଙ୍କଟ ସ୍ଥିତି ଉପୁଜିଛି। ପୂର୍ବପରି ଚାଷୀ ବିହନ ନେବାକୁ ଆଗଭର ହେଉନାହାନ୍ତି। କେବଳ ଟାର୍ଗେଟ୍ ପୂରଣ କରିବାକୁ ଜୋର୍ଜବରଦସ୍ତ ଦିଆଯାଉଛି। ଆଉ ବିହନ ନେଲା ପରେ ସଙ୍ଗେ ସଙ୍ଗେ ଟଙ୍କା ପୈଠ କରିବାକୁ ଚାଷୀଙ୍କୁ କୁହାଯାଉଛି। ତେଣୁ ଚାଷୀ ଏକା ସାଙ୍ଗରେ ଏତେ ଟଙ୍କା ଦେବାକୁ ରାଜି ହେଉନାହାନ୍ତି। ଆଗକୁ ବିହନ ଲଗାଇବାର ସମୟ ଆଉ ୧୫ ଦିନ ରହିଥିବା ବେଳେ ଆସୁଥିବା ବିହନ କିପରି ବିକ୍ରି କରାଯିବ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ସେହିପରି ଷ୍ଟକ୍ ଥିବା ବିହନ ପ୍ୟାକେଟ୍ରେ କିଛି ପଚି ନଷ୍ଟ ହୋଇଥିବା ଜଣାପଡ଼ିଛି।
ଅଞ୍ଚଳର ଚାଷୀ କହିଛନ୍ତି ଯେ, ଗତବର୍ଷ ସରକାର ପଞ୍ଜାବରୁ ବିହନ ଆଣିଥିଲେ। ଶୀତ କମ୍ଯୋଗୁ ଭଲ ଅମଳ ହେଲାନାହିଁ। ଫଳରେ କ୍ଷତି ସହିଲୁ। ଏଥିସହ ଅମଳ ପରେ ରଖିବାକୁ ଜାଗା ନାହିଁ। ପଶ୍ଚିମବଙ୍ଗରେ ପର୍ଯ୍ୟାପ୍ତ ପରିମାଣରେ ଶୀତଳଭଣ୍ଡାର ରହିଛି। ତେଣୁ ଉତ୍ପାଦନ ପରେ ସେମାନେ ଆଳୁକୁ ଶୀତଳଭଣ୍ଡାରରେ ଷ୍ଟକ୍ ରଖୁଛନ୍ତି। ପରେ ବଜାରକୁ ଛାଡୁଛନ୍ତି। ତେଣୁ ପଶ୍ଚିମବଙ୍ଗ ଆଳୁର ଚାହିଦା ରହିବା ସହ ଆଳୁର ମାନ ଠିକ୍ ରହୁଛି। ସରକାର ବାଧ୍ୟବାଧକରେ ବିହନ ନ ଯୋଗାଇ ପ୍ରଥମେ ଷ୍ଟକ୍ ରଖିବା ପାଇଁ ଶୀତଳଭଣ୍ଡାରର ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ଏ ନେଇ ସହକାରୀ କୃଷି ଉଦ୍ୟାନ ଅଧିକାରିଣୀ ମିତାଲି ମିଶ୍ର କହିଛନ୍ତି ଯେ, ବଜାରରେ ମଞ୍ଜି ଆଳୁର ପ୍ରକୃତ ଦର କେଜି ପ୍ରତି ୪୨ଟଙ୍କା ରହିଛି। ତା ଉପରେ ସବସିଡ୍ କାଟି କେଜି ପିଛା ୨୦ଟଙ୍କାରେ ଦିଆଯାଉଥିବା ବେଳେ ଲଗାଇବା ପରେ ୧୦ପ୍ରତିଶତ ସବସିଡ୍ ମଧ୍ୟ ଦିଆଯାଉଛି। ଆଳୁ ମିସନ୍ ପାଇଁ ଅଧିକ ଟାର୍ଗେଟ୍ ରହିଛି, ତେଣୁ ଚାଷୀଙ୍କୁ ବାଧ୍ୟ ନକଲେ ସେମାନେ ଲଗାଇବେ ନାହିଁ।ତେଣୁ ଉତ୍ପାଦନ ବଢ଼ିବା ପାଇଁ ଏପରି କରାଯାଉଛି। ଏଥିସହ ଚାଷୀଙ୍କୁ ସବସିଡ୍ କାଟି କେଜି ପ୍ରତି ୧୦ ଟଙ୍କାରେ ଯୋଗାଇଦେବାକୁ ଚିଠି ଲେଖିଛି। ସେହିପରି କିଛି ସ୍ଥାନରେ ଧାନ କଟାଯାଇନାହିଁ, ତେଣୁ ଯେଉଁ ଚାଷୀ ନେବା କଥା ସେମାନେ ନେଇ ପାରୁନାହାନ୍ତି ସେ ବୋଲି କହିଛନ୍ତି।

